ଏଇ ଭାରତରେ

ମଣିଷ କର୍ମ ବଳରେ ସ୍ବତନ୍ତ୍ର ପରିଚୟ ପାଏ, ଯାହା ପାଇଛନ୍ତି ବେଙ୍ଗାଲୁରୁର ଜଣେ ଟ୍ରାନ୍ସ ଓମେନ ପୂର୍ଣ୍ଣିମା ସୁକୁମାର। ଆରାବଣୀ ଆର୍ଟ ପ୍ରୋଜେକ୍ଟର ପ୍ରତିଷ୍ଠାତା ପୂର୍ଣ୍ଣିମା ବହୁ ଟ୍ରାନ୍ସ ଓମେନଙ୍କୁ ଆର୍ଟ କାର୍ଯ୍ୟରେ ଲଗାଇଛନ୍ତି। ୨୦୧୬ରେ ପୂର୍ଣ୍ଣିମା ଏହି ଆର୍ଟ ପ୍ରୋଜେକ୍ଟ ଆରମ୍ଭ କରିଥିଲେ। ଏବେ କରୋନା ମହାମାରୀ ସମୟରେ ତାଙ୍କ ଟିମ୍‌ ପେଣ୍ଟିଂ କାନ୍‌ଭାସ ବିକ୍ରି କରି ଗୁଜୁରାଣ ମେଣ୍ଟାଇବା ସହ ତାଙ୍କ କମ୍ୟୁନିଟିର ବହୁ ଗରିବଙ୍କୁ ମାଗଣାରେ ଖାଦ୍ୟ ଓ ଔଷଧ ଯୋଗାଉଛନ୍ତି। ତାଙ୍କ ଟିମ୍‌ ପେଣ୍ଟିଂକୁ ଲୋକଙ୍କ ଘରେ ପହଞ୍ଚାଇ ଦେଉଛନ୍ତି। ଯେଉଁମାନେ ଚାହଁୁଛନ୍ତି ସେମାନେ ବି ତାଙ୍କ ପାଖରୁ ଏହା କିଣୁଛନ୍ତି। ଏଥିରୁ ଯାହା ଆୟ ହେଉଛି ସେଥିରୁ ଅଧା ପେଣ୍ଟରମାନଙ୍କୁ ଦେଉଛନ୍ତି ପୂର୍ଣ୍ଣିମା। ଆଉ ଅଧକରୁ କିଛି ରଙ୍ଗ ଓ ଅନ୍ୟାନ୍ୟ ଉପକରଣ କିଣିବା ପରେ ଯାହା ରହୁଛି ସେଥିରେ ତାଙ୍କ କମ୍ୟୁନିଟିର ଗରିବମାନଙ୍କୁ ଚାଉଳ, ଡାଲି, ଚିନି, ତେଲ ଏବଂ ଔଷଧ ଯୋଗାଇଦେଉଛନ୍ତି। ପୂର୍ଣ୍ଣିମାଙ୍କ ଟିମ୍‌ରେ ୯ ଜଣ ଟ୍ରାନ୍ସ ଓମେନ ରହିଛନ୍ତି। ସେଥିରୁ ଦୁଇଜଣ ଲୋକମାନଙ୍କଠାରୁ ଅର୍ଡର ରଖି ସେମାନଙ୍କ ପାଖରେ କାନ୍‌ଭାସ ପହଞ୍ଚାଇବା ଦାୟିତ୍ୱରେ ରହିଛନ୍ତି। ସପ୍ତାହରେ ଥରେ ସେମାନେ ପୂର୍ଣ୍ଣିମାଙ୍କ ଘରେ ଏକାଠି ହେଉଛନ୍ତି ଓ ତା’ପରେ ଘରେ ରହି ପରସ୍ପର ସହ ଯୋଗାଯୋଗ କରି ପେଣ୍ଟିଂ କରୁଛନ୍ତି। ସେମାନେ ୧୦ଦିନରେ ପାଖାପାଖି ୭ଟି କାନ୍‌ଭାସ ପେଣ୍ଟିଂ କରୁଛନ୍ତି। ଜୁନ୍‌ରୁ ଏଯାବତ୍‌ ୧୦୦ ପେଣ୍ଟିଂ ବିକ୍ରି କରି ସାରିଲେଣି। ତାଙ୍କ ଟିମ୍‌ ଭାରତର ବିଭିନ୍ନ ସହରରେ ଉଚ୍ଚକୋଟୀର ୫୦ରୁ ଊର୍ଦ୍ଧ୍ୱ ଓ୍ବାଲ୍‌ ପେଣ୍ଟିଂ କରିବା ସହ ଆମେରିକାର ସାନ୍‌ଫ୍ରାନ୍ସିସ୍କୋରେ ବି ଏହା କରିଛନ୍ତି। କିନ୍ତୁ କରୋନା ସମୟରେ ଏହା ସମ୍ଭବ ନ ହେବାରୁ ଗରିବମାନଙ୍କୁ ସାହାଯ୍ୟ କରିବା ଲାଗି ଏଭଳି ଉପାୟ ଆପଣାଇଛନ୍ତି।