ଏଇ ଭାରତରେ

ଆମତ୍ନିର୍ଭରଶୀଳ ମନ୍ତ୍ର ଯଦି ଶିଖିବାର ଅଛି ତେବେ ସବିରାଙ୍କ ଠାରୁ ଶିଖନ୍ତୁ। ଜଣେ ଗୃହିଣୀ ଭାବେ ଘରର ସବୁ କାର୍ଯ୍ୟ କରିବା ସହ ନିଜସ୍ବ ଉଦ୍ୟମ ଓ ନିଷ୍ଠା ବଳରେ ଅର୍ଚ୍ଚିଡ ଚାଷ କରି ମାସକୁ ୩ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। କେରଳର ଥ୍ରିସୁର ବାସିନ୍ଦା ସବିରା ମହମ୍ମଦ ୧ ଏକର ଜମିରେ ଏହି ଚାଷ କରିଛନ୍ତି। ୫୦୦ରୁ ଊର୍ଦ୍ଧ୍ୱ ପ୍ରକାରର ଅର୍ଚ୍ଚିଡ ତାଙ୍କ ଫାର୍ମରେ ଶୋଭାପାଉଛି। ଏତେ କିସମର ଅର୍ଚ୍ଚିଡ ସଂଗ୍ରହ କରିବା ପାଇଁ ତାଙ୍କୁ ୨୨ ବର୍ଷ ଲାଗିଯାଇଛି। ଦଶମ ପାସ୍‌ କରିବା ପରେ ତାଙ୍କ ବାହାଘର ହୋଇଯାଇଥିଲା। ପରେ ସେ ସ୍ବାମୀଙ୍କ ସହ ୟୁଏଇ ଚାଲିଯାଇଥିଲେ ।
ସେଠାରୁ ଫେରିବା ପରେ ପ୍ରଥମେ ୧୯୯୮ରେ ଅର୍ଚ୍ଚିଡ ଚାଷ ଆରମ୍ଭ କରିଥିଲେ। ନିକଟସ୍ଥ କୃଷି ଭବନରୁ ଚାରା ସଂଗ୍ରହ କରିବା ସହ ଥାଇଲାଣ୍ଡରୁ ବି ଏହାକୁ ମଗାଇଥିଲେ। ୨୦୦୬ ବେଳକୁ ଅର୍ଚ୍ଚିଡର ଚାହିଦା ବଢିବାରେ ଲାଗିଲା। ଏବେ କେରଳର ବିଭିନ୍ନ ସହର ସମେତ ରାଜ୍ୟ ବାହାରେ ବି ଏହା ବିକ୍ରି ହେଉଛି। ତାଙ୍କୁ କେରଳ ସରକାରଙ୍କ ଉଦ୍ୟାନ ଶ୍ରେଷ୍ଠ ପୁରସ୍କାର ମଧ୍ୟ ମିଳିଛି। ସବିରାଙ୍କ ଫାର୍ମ ଦେଖିବାକୁ କେରଳର ସବୁଆଡୁ ଲୋକମାନେ ଆସୁଛନ୍ତି। ସେ ଥ୍ରିସୁରରେ ‘ପର୍ଲ ଅର୍ଚ୍ଚିଡ’ନର୍ସରି ଆରମ୍ଭ କରି ଚାରା ବିକ୍ରି କରୁଛନ୍ତି। ଏଥିରେ ୨୦ ଲକ୍ଷ ଟଙ୍କା ନିବେଶ କରିଛନ୍ତି। ହ୍ବାଟ୍ସଆପ୍‌ ଜରିଆରେ ଲୋକମାନଙ୍କଠାରୁ ଅର୍ଡର ରଖୁଛନ୍ତି। ସେ ମଧ୍ୟ ଗିର୍‌ ଜାତୀୟ ଗାଈ ରଖିଛନ୍ତି ଓ ତା’ଗୋବରକୁ ଖତ ଭାବେ ବ୍ୟବହାର କରୁଛନ୍ତି। ଚାଷରେ କୌଣସି ରାସାୟନିକ ସାର ଉପଯୋଗ କରୁନାହାନ୍ତି। ଏଥିରେ ସେ ମାସକୁ ୫୦,୦୦୦ ଟଙ୍କା ଖଟାଉଛନ୍ତି ବୋଲି କହନ୍ତି ୫୨ ବର୍ଷୀୟା ସବିରା।