ଏଇ ଭାରତରେ

ମାଲିକଙ୍କ ଜୀବନ ବଞ୍ଚାଇବା ପାଇଁ ବାଘ ସହ ଲଢ଼ିଲା ପୋଷା କୁକୁର। ମଧ୍ୟପ୍ରଦେଶର ସେଓନି ଜିଲାରେ ଏଭଳି ଏକ ଘଟଣା ଘଟିଛି। ସ୍ଥାନୀୟ ଜାତୀୟ ଅଭୟାରଣ୍ୟ କୁରଇ ଜଙ୍ଗଲକୁ ପରଷ୍ପନି ଗଁାର ପଞ୍ଚମ ନାମକ ଯୁବକ ଶୌଚ ହେବା ପାଇଁ ଯାଇଥିଲେ। ତାଙ୍କ ସହିତ ପୋଷା କୁକୁର ମଧ୍ୟ ଯାଇଥିଲା। ପଞ୍ଚମ ଗୋଟିଏ ଗଛରୁ ଡାଳ ଭାଙ୍ଗିବା କ୍ଷଣି ବାଘଟିଏ ବୁଦା ମଧ୍ୟରୁ ଡିଆଁମାରି ତାଙ୍କୁ ଆକ୍ରମଣ କରିଥିଲା। ସେ ଜୋର୍‌ରେ ଚିତ୍କାର କରିଥିଲେ। ପୋଷା କୁକୁରଟି ଭୟରେ ସେଠାରୁ ଚାଲି ନ ଯାଇ ଭୁକିବାକୁ ଲାଗିଲା। ବାଘଟି ଝାମ୍ପିପଡି ପଞ୍ଚମଙ୍କ ଗଳାକୁ ଧରିବାକୁ ଉଦ୍ୟତ ହେବାବେଳେ କୁକୁର ଜୋର୍‌ରେ ଭୁକିବାକୁ ଲାଗିଲା। କୁକୁର ରଡିରେ ବାଘ ପଞ୍ଚମକୁ ଛାଡିଦେଇ ବୁଦା ଭିତରକୁ ଡିଆଁ ମାରିଲା। ପରେ ଖବରପାଇ ପଞ୍ଚମଙ୍କ ଭାଇ ଏବଂ ଗ୍ରାମବାସୀ ଆସି ତାଙ୍କୁ ଉଦ୍ଧାର କରିଥିଲେ। ତାଙ୍କୁ ବନ ବିଭାଗ ପକ୍ଷରୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପଞ୍ଚମଙ୍କୁ ସ୍ଥାନୀୟ ଏକ ହସ୍ପିଟାଲ୍‌ରେ ପ୍ରାଥମିକ ଚିକିତ୍ସା ପରେ ଛାଡି ଦିଆଯାଇଛି। ଏବେ ସେ ସୁସ୍ଥ ଥିବା କୁହାଯାଉଛି।