ଏଇ ଭାରତରେ

ପରିବେଶ ଓ ପରିସ୍ଥିତି ବହୁ ସମୟରେ ସେବା ଲାଗି ବାଟ କଢ଼ାଇ ନିଏ, ଯାହା ଘଟିଛି କେରଳର ଜୋଲି ଜନଶନ୍‌ଙ୍କ କ୍ଷେତ୍ରରେ। ସେ ଖବରକାଗଜ ବିକି ନିଜସ୍ବ ସଂସ୍ଥା ଲାଗି ପାଣ୍ଠି ଯୋଗାଡ଼ କରିବା ସହ ୨୦୦୦ ଦିବ୍ୟାଙ୍ଗ ପିଲାଙ୍କୁ ଶିକ୍ଷାଦାନ କରୁଛନ୍ତି। ଏଥିରେ ମାନସିକ ଅନଗ୍ରସର ପିଲାମାନେ ବି ରହିଛନ୍ତି। ଦିବ୍ୟାଙ୍ଗ ପିଲାମାନଙ୍କୁ ବିଭିନ୍ନ କୌଶଳ ବିକାଶ ପ୍ରୋଗ୍ରାମ୍‌ ମାଧ୍ୟମରେ ପ୍ରଶିକ୍ଷଣ ଦେଇ ସ୍ବାବଲମ୍ବୀ କରାଉଛନ୍ତି ଜୋଲି। ହେଲ୍‌ପିଂ ହ୍ୟାଣ୍ଡ୍‌ସ୍‌ ଅର୍ଗାନାଇଜେଶନ ଦ୍ୱାରା ସେ ଏହି ସେବା ଜାରି ରଖିଛନ୍ତି। ଏହି ସଂସ୍ଥା ସହ କେରଳର ବିଭିନ୍ନ କଲେଜର ପ୍ରାୟ ୧୨,୦୦୦ ଛାତ୍ର ସ୍ବେଚ୍ଛାସେବୀ ଭାବେ ସାମିଲ ହୋଇ ସେବାକାର୍ଯ୍ୟ ପରିଚାଳନା କରୁଛନ୍ତିି। ସ୍ବେଚ୍ଛାସେବୀମାନେ ପୁରୁଣା ଖବରକାଗଜ ବିକ୍ରି କରି ପାଣ୍ଠି ଯୋଗାଡ଼ କରିବାରେ ଜୋଲିଙ୍କୁ ସହଯୋଗ କରିବା ସହ ସେମାନଙ୍କ ମଧ୍ୟରୁ ଅନେକେ ପ୍ରଶିକ୍ଷଣ ବି ଦେଉଛନ୍ତି। ଜୋଲିଙ୍କୁ ବର୍ତ୍ତମାନ ବୟସ ୩୬। ଥିରୁଭାନନ୍ତପୁରମ୍‌ ଜିଲା ଭଳିଥୁରା ଗାଁରେ ତାଙ୍କର ଜନ୍ମ । ୧୦ମ ପାସ କରିବା ପରେ କଲେଜରେ ପଢିବା ସମୟରେ ସେ ଗରିବ ପିଲାମାନଙ୍କୁ ମାଗଣାରେ ପଢ଼ାଉଥିଲେ। ସପ୍ତାହାନ୍ତରେ ଭେଟିଥୁରାର ସନ୍ଥଓ୍ବାଲା ଜରା ନିବାସକୁ ଯାଇ ସେମାନଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଉଥିଲେ। ସ୍ନାତକ ଡିଗ୍ରୀ ହାସଲ କରିବା ପରେ ସେ ଆଇସିଆଇସିଆଇ ବ୍ୟାଙ୍କରେ ଚାକିରି କରିଥିଲେ, କିନ୍ତୁ ତାହାକୁ ଛାଡି ଘରେ ଦିବ୍ୟାଙ୍ଗ ପିଲାଙ୍କ ଯନତ୍ ନେଉଥିଲେ। ପରେ ୨୦୧୨ରେ ହେଲ୍‌ପିଂ ହ୍ୟାଣ୍ଡ୍‌ସ୍‌ ଅର୍ଗାନାଇଜେଶନ ପ୍ରତିଷ୍ଠା କରି ଦିବ୍ୟାଙ୍ଗ ପିଲାମାନଙ୍କ ସେବାରେ ନିଜକୁ ଉତ୍ସର୍ଗ କରିଛନ୍ତି। ସଂସ୍ଥା ପକ୍ଷରୁ ପିଲାମାନଙ୍କ ପାଇଁ ବିହେଭିୟରାଲ ଥେରାପି, ହର୍ଟିକଲଚର ଥେରାପିର ବ୍ୟବସ୍ଥା କରାଯାଇଛି।
୧୫ରୁ ଅଧିକ ବୟସର ପିଲାଙ୍କ ପାଇଁ ଧନ୍ଦାମୂଳକ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି।