ଏଇ ଭାରତରେ

ମେଶିନରେ ଗୋବରରୁ କାଠଗଣ୍ଡି ଭଳି ଦେଖାଯାଉଥିବା ଜଳେଣି ପ୍ରସ୍ତୁତ କରୁଛନ୍ତି ଉତ୍ତରପ୍ରଦେଶ ମଓ୍ବାନା ନିବାସୀ ଶୁକଦେବ ସିଂ। ଏହାଦ୍ୱାରା କୃଷକମାନେ ଲାଭ ପାଇବା ସହ ଜାଳେଣି ସମସ୍ୟା ମଧ୍ୟ ଦୂର ହୋଇପାରୁଛି। ଇଞ୍ଜିନିୟରିଂ କିମ୍ବା ଅନ୍ୟ କିଛି ଡିଗ୍ରୀ ବିନା ସେ ଏହା ନିର୍ମାଣ କରିଛନ୍ତି। ଶୁକଦେବଙ୍କୁ ବର୍ତ୍ତମାନ ବୟସ ୬୭। ପେସାରେ ସେ ଜଣେ ବ୍ୟବସାୟୀ। ମିରଟସ୍ଥ ତାଙ୍କ ଫ୍ୟାକ୍ଟ୍ରିରେ କୃଷି ଯନ୍ତ୍ରପାତି ତିଆରି କରନ୍ତି। ଦୁଇ ବର୍ଷ ତଳେ ସେ ୟୁଟ୍ୟୁବ୍‌ରୁ ଏଭଳି ମେଶିନ୍‌ ସମ୍ପର୍କରେ ଜାଣିବାକୁ ପାଇଥିଲେ ଯାହା କାଠଗଣ୍ଡି ଭଳି ଜାଳେଣି ତିିଆରି କରିପାରୁଥିଲା। କିନ୍ତୁ ସେଥିରେ ଗିୟର ବକ୍ସ ନ ଥିଲା। ପରେ ସେ ସେଭଳି ଏକ ମେଶିନ ନିର୍ମାଣ କରି ସେଥିରେ ଗିୟର ବକ୍ସ ଓ ଇଲେକ୍ଟ୍ରିକ ମୋଟର ଲଗାଇ ତା’ କ୍ଷମତା ବଢାଇଛନ୍ତି। ଗୋବରକୁ ପୂରା ଶୁଖାଇ ଜଳୀୟଅଂଶ ମୁକ୍ତ କରାଯିବା ପରେ ସେଥିରୁ ଏହି ମେଶିନ ସାହାଯ୍ୟରେ ଜାଳେଣି କାଠଗଣ୍ଡି ପ୍ରସ୍ତୁତ କରାଯାଉଛି। ଏହା ଦେଖିବାକୁ ସିଲିଣ୍ଡର ଆକୃତିର ଓ ଏହାର ଲମ୍ବ ଅତିବେଶିରେ ୩ଫୁଟ। ଏହା ଭାରି ଟାଣ। ପ୍ରତି ମିନିଟ୍‌ରେ ଗୋଟିଏ ଲଗ୍‌ ମେଶିନ୍‌ରୁ ବାହାରେ। ବାୟୋଗ୍ୟାସ୍‌ ୟୁନିଟ୍‌ରୁ ବାହାରୁଥିବା ଘୋଳ ସହ ନଡ଼ାଗୁଣ୍ଡ ମିଶାଇ ବି ଏହା ପ୍ରସ୍ତୁତ କରାଯାଇପାରୁଛି ଓ ଏବେ କୃଷକମାନେ ଏଥିରୁ ମାସକୁ ପାଖାପାଖି ୮୦୦୦ ଟଙ୍କା ରୋଜଗାର କରୁଛନ୍ତି। ଏହାର ବହୁଳ ବ୍ୟବହାର ପ୍ରଦୂଷଣ ଦୂର କରିବା ସହ ଜଙ୍ଗଲ କ୍ଷୟ ରୋକିବାରେ ସହାୟକ ହେବ ବୋଲି କହନ୍ତି ଶୁକଦେବ।