ଏଇ ଭାରତରେ

କୋଭିଡ୍‌-୧୯ ମହାମାରୀରେ ଜୀବିକା ହରାଇଥିବା ଲୋକମାନଙ୍କୁ କାମ ଯୋଗାଇ ଦେବାରେ ଜଣେ ଆଇଏଏସ୍‌ ଅଧିକାରୀଙ୍କ ପ୍ରୟାସ ପ୍ରଶଂସନୀୟ। ଉତ୍ତରପ୍ରଦେଶ ବାରାବଙ୍କି ଜିଲାର ଜିଲାପାଳ ଡ. ଆଦର୍ଶ ସିଂ କଲ୍ୟାଣୀ ନଦୀର ପୁନରୁଦ୍ଧାର କାର୍ଯ୍ୟ କରି ଲୋକମାନଙ୍କୁ କାମ ଯୋଗାଇଦେଇଛନ୍ତି। ଯେଉଁ ଗାଁ ଦେଇ ନଦୀ ଯେତିକି ଦୂର ପ୍ରବାହିତ ସେଠାରେ ସେହି ଗ୍ରାମର ଲୋକମାନେ କାମ କରୁଛନ୍ତି। ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଯୋଜନାରେ ଏହି କାର୍ଯ୍ୟ କରାଉଛନ୍ତି ସିଂ। ସେ ପ୍ରଥମ ପର୍ଯ୍ୟାୟରେ ୫୯ ଲକ୍ଷ ଟଙ୍କା ବ୍ୟୟ କରାଯିବାର ଯୋଜନା କରିଛନ୍ତି। ମାଭୟା ଗାଁ ଦେଇ ପ୍ରବାହିତ ନଦୀର ୨.୬ କି.ମି. ପୁନରୁଦ୍ଧାର ଲାଗି ସେହି ଗାଁର ୮୦୦ ଲୋକ ଦୁଇମାସ ଧରି କାମ କରିଛନ୍ତି।
ଏହାପରେ ହାଦିଗଡ଼ର ୧.୫ କି.ମି. କାର୍ଯ୍ୟ ଚାଲିଛି। ସେହିି ଗାଁର ୩୦୦ ଲୋକ ଏବେ କାମରେ ଲାଗିଛନ୍ତି। ଏହି ନଦୀ ଜଳସେଚନ ଲାଗି କୃଷକମାନଙ୍କର ଏକମାତ୍ର ଭରସା ଥିଲା। କାଳକ୍ରମେ ତାହା ପୋତି ହୋଇ ଯିବାରୁ ଜଳାଭାବ ଦେଖାଯାଇଥିତ୍ଲା। କିନ୍ତୁ ଜିଲାପାଳ ସିଂଙ୍କ ଏତାଦୃଶ ପଦକ୍ଷେପ ସେଠାକାର ଜଳାଭାବ ଦୂର କରିବାରେ ସହାୟକ ହେବା ସହ ମହାମାରୀ ସମୟରେ ସେମାନଙ୍କ ଅର୍ଥାଭାବ ବି ଦୂର କରିପାରିଛି।
ଏହି କାର୍ଯ୍ୟ ଚାଲୁଥିବାବେଳେ ନଦୀର ସୁରକ୍ଷା ସମ୍ପର୍କରେ ସେ ଲୋକମାନଙ୍କୁ ସଚେତନ କରୁଛନ୍ତି। ଜବରଦଖଲ ଉଚ୍ଛେଦ କରୁଛନ୍ତି। ୧୭୦ କି.ମି. ପ୍ରବାହିତ କଲ୍ୟାଣୀ ନଦୀକୁ ଏହି ଉପାୟରେ ସମୟକ୍ରମେ ଉଦ୍ଧାର କରାଯିବ ବୋଲି କହିଛନ୍ତି ଆଦର୍ଶ ସିଂ।