ଏଇ ଭାରତରେ

ଭାରତୀୟ ନୌବାହିନୀ ଅଧିକାରୀ ଭାବେ ଯୋଗଦେଇ ଦେଶ ସେବା କରିବାର ସ୍ବପ୍ନ ଦେଖି ପରବର୍ତ୍ତୀ ସମୟରେ ଲକ୍ଷ ଲକ୍ଷ ଦିବ୍ୟାଙ୍ଗଙ୍କ ସାହାରା ପାଲଟିଛନ୍ତି ତାମିଲନାଡୁର ଏସ୍‌.ରାମକ୍ରିଷ୍ଣନ୍‌। ଥାଞ୍ଜାଭୁରରେ ସ୍କୁଲ ଶିକ୍ଷା ଶେଷ କରିବା ସହ କୋଏମ୍ବାଟୁରସ୍ଥ ସରକାରୀ ଇଞ୍ଜିନିୟରିଂ କଲେଜରେ ପଢୁଥିବା ସମୟରେ ସେ ଇଣ୍ଡିଆନ ନ୍ୟାଭିରେ ଚାକିରି କରିବା ପାଇଁ ଇଣ୍ଟରଭ୍ୟୁ ଦେବାବେଳେ ଗୁରୁତର ଆହତ ହୋଇଥିଲେ। ପୁଣେସ୍ଥିତ ମିଲିଟାରୀ ହସ୍ପିଟାଲରେ ଚିକିତ୍ସିତ ହେବା ସମୟରେ ଡ. ଅମରଜିତ ସିଂ ଛହାଲ ଦିବ୍ୟାଙ୍ଗଙ୍କ ସେବା ଲାଗି ତାଙ୍କୁ ପ୍ରେରଣା ଦେଇଥିଲେ । ପରେ ସେ ୧୯୮୧ରେ ଦିବ୍ୟାଙ୍ଗ ପିଲାଙ୍କ ପାଇଁ ଆଇକୁଡିରେ ଏକ ସ୍କୁଲ ପ୍ରତିଷ୍ଠା କରି ତାହାକୁ ‘ଅମର ସେବା ସଙ୍ଗମ’ ନାମରେ ପଞ୍ଜୀକୃତ କରିଥିଲେ। ଉକ୍ତ ସଂସ୍ଥା ମାଧ୍ୟମରେ ସେ ମାନସିକ ଓ ଶାରୀରିକ ଦିବ୍ୟାଙ୍ଗଙ୍କୁ ପୁନଃ ଥଇଥାନ କରିବା ସହ ସଶକ୍ତ ବି କରିବାରେ ଲାଗିଛନ୍ତି। ରାମକ୍ରିଷ୍ଣନ୍‌ ଏବେ ସୁଦ୍ଧା ୫ ଲକ୍ଷ ଦିବ୍ୟାଙ୍ଗଙ୍କ ଜୀବନରେ ପରିବର୍ତ୍ତନ ଆଣିପାରିଛନ୍ତି।