ଏଇ ଭାରତରେ

ଝାଡ଼ଖଣ୍ଡର ଜଣେ ସାମାଜିକ କର୍ମୀ ୨୫,୦୦୦ ଲୋକଙ୍କ ଜୀବନଜୀବିକାରେ ଉନ୍ନତି ଆଣିବା କିଛି କମ୍‌ କଥା ନୁହେଁ। ଏଇ ସମାଜସେବୀ ହେଉଛନ୍ତି ନୀଳକଣ୍ଠ ମିଶ୍ର। ନୀଳକଣ୍ଠଙ୍କ ଜନ୍ମ ଜାମସେଦପୁରରେ। ବର୍ତ୍ତମାନ ତାଙ୍କୁ ବୟସ ୪୫। ସେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରୁ ଗଣିତରେ ଡିଗ୍ରୀ ହାସଲ କରିଛନ୍ତି। ୨୦୦୬ରେ ଅକ୍ସଫାମ୍‌ରେ ପ୍ରୋଗ୍ରାମ ଅଫିସର ଭାବେ କାର୍ଯ୍ୟ କରୁଥିବା ସମୟରେ ସେ ଧୀବରମାନଙ୍କ ଜୀବନ ଜୀବିକା ସମ୍ପର୍କରେ ଜାଣିବାକୁ ପାଇଥିଲେ। ପରେ ନିଜସ୍ବ ଉଦ୍ୟମରେ ୨୦୧୩ରେ ‘ସେଣ୍ଟର ଫର୍‌ ଆକ୍ୱାଟିକ୍‌ ଲାଇଭ୍‌ହୁଡ ଜଳଜୀବିକା’ ସଂସ୍ଥା ପ୍ରତିଷ୍ଠା କରିଥିଲେ। ସେବେଠାରୁ ଏହା ମାଧ୍ୟମରେ ନୀଳକଣ୍ଠ ମଧୁରଜଳ ମାଛ ଚାଷ ଓ ମାଛ ଧରା ସମ୍ପର୍କରେ ଗ୍ରାମୀଣ ଲୋକଗୀତ ଆରମ୍ଭ କରି ପ୍ରଶିକ୍ଷଣ ଦେବା ଆରମ୍ଭ କରିଛନ୍ତି। କେବଳ ଧୀବର ବର୍ଗର ନୁହନ୍ତି, ବିଭିନ୍ନ ବର୍ଗର ଲୋକଙ୍କୁ ମାଛଚାଷ ଓ ଏହାର ବ୍ୟବସାୟ ଉପରେ ପ୍ରଶିକ୍ଷଣ ଦେବାରେ ତାଙ୍କର ଭୂମିକା ଉଲ୍ଲେଖନୀୟ। ୫,୦୦୦ରୁ ଊର୍ଦ୍ଧ୍ୱ ମହିଳାଙ୍କୁ ବି ଏହା ମାଧ୍ୟମରେ ସେ ସଶକ୍ତ କରିଛନ୍ତି। ଜଳଜୀବିକା ସଂସ୍ଥା କେବଳ ଝାଡ଼ଖଣ୍ଡ ନୁହେଁ,ବିହାର ,ଓଡ଼ିଶା,ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ ଓ ଆନ୍ଧ୍ରପ୍ରଦେଶରେ ପ୍ରାୟ୧ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କୁ ମାଛ ବ୍ୟବସାୟ କରିବାକୁ ପ୍ରୋତ୍ସାହିତ କରିଛି। ଶୁଖୁଆ ପ୍ରସ୍ତୁତ କରି ତାହାକୁ କିପରି ବିକ୍ରି କରାଯାଇପାରିବ ସେ ସମ୍ପର୍କରେ ମହିଳାମାନଙ୍କୁ ତାଲିମ ଦେଉଛନ୍ତି।