ଏଇ ଭାରତରେ

ଆମମାନଙ୍କ ମଧ୍ୟରୁ ଅନେକେ ଭାବନ୍ତି ଯେ ରକ୍ତ ସମ୍ପର୍କୀୟମାନେ ହିଁ ଆମ ପରିବାର। କିନ୍ତୁ ପରିବାରର ଏହି ସଂଜ୍ଞା ବାହାରେ ବି ଏକ ପରିବାର ଗଢିଛନ୍ତି ଚେନ୍ନାଇର ସୋଲୋମୋନୋ ରାଜ୍‌। ତାଙ୍କ ସ୍ତ୍ରୀ ଓ ଦୁଇଟି ପିଲାଙ୍କୁ ନେଇ ପରିବାର ଥିଲେ ହେଁ ସେ ଏକ ନିଆରା ପରିବାର ଗଢିଛନ୍ତି। ଏହି ପରିବାରରେ ରହିଛନ୍ତି ୪୫ ଜଣ ଏଚ୍‌ଆଇଭି ସଂକ୍ରମିତ ପିଲା। ପରିତ୍ୟକ୍ତ ଅବସ୍ଥାରେ ନିଜ ଭବିଷ୍ୟତ ଖୋଜୁଥିବା ଏହି ପିଲାମାନଙ୍କ ପାଇଁ ଆଶାର ଆଲୋକ ସାଜିଛନ୍ତି ରାଜ୍‌ ଓ ସେମାନଙ୍କ ପାଇଁ ସେ ପାଲଟିଯାଇଛନ୍ତି ‘ଆପ୍ପା’। ପିଲାମାନଙ୍କୁ କୋଳେଇ ନେଇ ଆପ୍ପା ପ୍ରଥମେ କେତୋଟି ଏନ୍‌ଜିଓ ଦ୍ୱାରା ପରିଚାଳିତ ଆଶ୍ରୟଗୃହଗୁଡ଼ିକରେ ରଖିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଏଚ୍‌ଆଇଭି ସଂକ୍ରମିତ ପିଲାମାନଙ୍କୁ କେହି ବି ରଖି ନ ଥିଲେ। ପରେ ସେ ନିଜେ ସେଲ୍‌ଟର ଟ୍ରଷ୍ଟ ପଞ୍ଜୀକୃତ କରି ଏହି ପିଲାମାନଙ୍କୁ ରଖିଛନ୍ତି। ଏହି ଟ୍ରଷ୍ଟ ଦ୍ୱାରା ପରିଚାଳିତ ଆଶ୍ରୟଗୃହ ଏବେ ପିଲାମାନଙ୍କ ପାଇଁ ଏକ ସୁରକ୍ଷିତ ସ୍ବର୍ଗ। ଏଠାରେ ସେମାନଙ୍କ ଖାଦ୍ୟଠାରୁ ଆରମ୍ଭ କରି ଶିକ୍ଷା ଆଦି ସବୁକଥା ବୁଝୁଛନ୍ତି ଆପ୍ପା। ପିଲାମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ଲାଗି ସ୍ବତନ୍ତ୍ର ପରାମର୍ଶଦାତା ମଧ୍ୟ ନିଯୁକ୍ତ କରିଛନ୍ତି। ଚିକିସତ୍ା ଲାଗି ଡାକ୍ତରମାନେ ବି ସହଯୋଗ କରୁଛନ୍ତି। ପିଲାମାନଙ୍କ ମାନସିକ ସ୍ତରରେ ବିକାଶ କରିବା ପାଇଁ ମନସ୍ତତ୍ୱବିତ୍‌ମାନେ ସେବା ଯୋଗାଉଛନ୍ତି।