ଏଇ ଭାରତରେ

କୋଭିଡ୍‌ -୧୯ ସଂକ୍ରମଣରେ ପ୍ରବାସୀ ଶ୍ରମିକମାନେ ସବୁଠୁ ବେଶି କ୍ଷତିଗ୍ରସ୍ତ ହୋଇଛନ୍ତି। ମୁଖ୍ୟତଃ ସୁରଟରେ ବିଭିନ୍ନ ରାଜ୍ୟର ହଜାର ହଜାର ଶ୍ରମିକ ଭୋକ ଉପାସରେ ରହିବା ସବୁଠୁ ଦୁଖଦାୟକ ଘଟଣା। ସେମାନଙ୍କ ମଧ୍ୟରୁ ଅନେକେ ଏବେ ନିଜ ରାଜ୍ୟକୁ ଫେରିବାରେ ଲାଗିଛନ୍ତି। ତେବେ ଏହି ପରିସ୍ଥିତିରେ ସେମାନଙ୍କ ପେଟ ଭରିବା ଲାଗି ସୁରଟର ଛାୟାଁଦୋ ଏନ୍‌ଜିଓ ‘ରୋଟି ସେବା’ ଅଭିଯାନ ଚଲାଇଛି। ଏହି ଅଭିଯାନରେ ସୁରଟର ୨୬,୦୦୦ ପରିବାର ସାମିଲ ହୋଇଛନ୍ତି। ଦୈନିକ ପ୍ରତି ପରିବାର ୫ଟି ଲେଖାଏ ରୋଟି କରି ଯୋଗାଉଛନ୍ତି। ପ୍ରତିଦିନ ପାଖାପାଖି ୧ ଲକ୍ଷ ରୋଟି ଲୋକଙ୍କୁ ବଣ୍ଟାଯାଉଛି। ହ୍ବାଟ୍ସ ଆପ୍‌ ଗ୍ରୁପ୍ସରେ ଲୋକମାନଙ୍କୁ ଏହି ରୋଟି ସେବା ଅଭିଯାନରେ ସାମିଲ ହେବା ଲାଗି ଏନଜିଓ ପକ୍ଷରୁ ନିବେଦନ କରାଯିବା ପରେ ସେମାନେ ସହଯୋଗର ହାତ ବଢ଼ାଇଛନ୍ତି। ଏନ୍‌ଜିଓର ସଦସ୍ୟମାନେ ସମସ୍ତଙ୍କ ଘରକୁ ଯାଇ ରୋଟି ସଂଗ୍ରହ କରି ଆଣୁଛନ୍ତି। ସେମାନେ ପ୍ରତ୍ୟେକଙ୍କ ପାଇଁ ୪ଟି ରୋଟି ସହ ତରକାରି ବି ଦେଉଛନ୍ତି।