ଏଇ ଭାରତରେ

ଭାରତରେ ମାନବ ଚାଲାଣ ଭଳି ଏକ ଉତ୍କଟ ସମସ୍ୟାକୁ ପ୍ରତିହତ କରିବା ଲାଗି ବାପ ଓ ଝିଅଙ୍କ ପ୍ରୟାସ ସଭିଙ୍କ ପାଇଁ ପ୍ରେରଣାଦାୟକ। ସୁନ୍ଦରବନ ଜିଲା ଗୋରାଁବୋଷ ଗାଁର ବାସିନ୍ଦା ନୀହାର ରପ୍ତାନ ଏବଂ ତାଙ୍କ ଝିଅ ଶୁଭଶ୍ରୀ ପ୍ରାୟ ୨,୫୦୦ ନାବାଳିକା ଓ ମହିଳାଙ୍କୁ ଉଦ୍ଧାର କରିସାରିଲେଣି। ‘ଗ୍ରାମ ବିକାଶ କେନ୍ଦ୍ର’ ଏନଜିଓ ମାଧ୍ୟମରେ ସେମାନେ ମହିଳାମାନଙ୍କୁ ଉଦ୍ଧାର କରୁଛନ୍ତି। ସୁନ୍ଦରବନ ଜିଲାରେ ପ୍ରଳୟଙ୍କରୀ ବାତ୍ୟା ପରେ ଗରିବ ଝିଅମାନଙ୍କ ଚାଲାଣ ରୋକିବା ଲାଗି ୧୯୮୫ରେ ଏହି ଏନ୍‌ଜିଓ ପ୍ରତିଷ୍ଠା କରିଥିଲେ । ଶୁଭଶ୍ରୀଙ୍କୁ ୧୯ ବର୍ଷ ହୋଇଥିଲାବେଳେ ସେ ପ୍ରଥମେ ଏକ ମାନବ ଚାଲାଣ ମାମଲାର ସମାଧାନ କରିଥିଲେ। ୨୦୧୩ରେ ଶୁଭଶ୍ରୀ କଲେଜରେ ପଢିବା ସମୟରେ ଜଣେ ନାବାଳିକାକୁ ତାଙ୍କ ଭିଣୋଇ ଦେହ ବ୍ୟବସାୟ ପାଇଁ ବାଧ୍ୟ କରିବା ଖବର ପାଇବା ପରେ ଝିଅଟିକୁ ଉଦ୍ଧାର କରିଥିଲେ। ଏଥିପାଇଁ ସେ ତାଙ୍କ ବାପାଙ୍କ ସହଯୋଗ ନେଇ ସ୍ଥାନୀୟ ପୋଲିସ ନିକଟରେ ଏଫ୍‌ଆଇଆର୍‌ ଦାୟର କରିଥିଲେ ଏବଂ ସେହି ଝିଅକୁ ଏକ ଆଶ୍ରୟସ୍ଥଳୀରେ ରହିବାର ବ୍ୟବସ୍ଥା କରିଥିଲେ। ଏହି ଘଟଣା ପରେ ଶୁଭଶ୍ରୀଙ୍କ ମନୋବଳ ବଢିଯାଇଥିଲା ଓ ସେ ତାଙ୍କ ଆଖପାଖ ଅଞ୍ଚଳରେ ଘଟୁଥିବା ମାନବ ଚାଲାଣକୁ ରୋକିବା ଲାଗି ବାହାରିପଡିଥିଲେ। ଏବେ ସେ ଏହି ସମସ୍ୟା ଉପରେ ଗାଁ, ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟଗୁଡିକରେ କର୍ମଶାଳାମାନ ଆୟୋଜନ କରୁଛନ୍ତି। ଶୁଭଶ୍ରୀ ଇଲିଂଶରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି। ମାନବ ଚାଲାଣ ବିରୋଧରେ ସଂଗ୍ରାମ ଚାଲୁ ରଖିବା ପାଇଁ ଏ ସମ୍ପର୍କରେ ଟିଆଇଏସ୍‌ଏସ୍‌ ମୁମ୍ବାଇ ଓ ଏନଆଇପିସିସିଡି,ଆସାମରୁ ଶିକ୍ଷା ଲାଭ କରିଛନ୍ତି। ଚାକିରି ନ କରି ସେ ଭାରତର ବିଭିନ୍ନ ଅଞ୍ଚଳରେ ଚାଲୁଥିବା ମାନବ ଚାଲାଣ ରୋକିବା ଲାଗି କାର୍ଯ୍ୟ କରିବେ ବୋଲି କହିଛନ୍ତି ଶୁଭଶ୍ରୀ।