ଏଇ ଭାରତରେ

ଶିଶୁମାନଙ୍କ ସ୍ବାସ୍ଥ୍ୟ ଉପରେ କିଏ କେମିତି ବିଚାର କରୁଥାଆନ୍ତୁ ନା କାହିଁକି,କିନ୍ତୁ ସେମାନଙ୍କ ଲାଗି ସ୍ବାସ୍ଥ୍ୟ ଓ ପରିବେଶ ଉପଯୋଗୀ ପୋଷାକ ତିଆରି କରି ନୂତନ ଚିନ୍ତାଧାରାକୁ ପରିପ୍ରକାଶ କରିପାରିଛନ୍ତି ଚେନ୍ନାଇର ଭାଇ-ଭଉଣୀ । ଅରୁଣ କୁମାର ଓ ତାଙ୍କ ଭଉଣୀ ପୋନ୍‌ମାନି ହାତରେ ସୂତା କାଟି ପିଲାଙ୍କ ଲାଗି ପୋଷାକ ତିଆରି କରୁଛନ୍ତି। ଏଥିପାଇଁ ସେ ପ୍ରତିଷ୍ଠା କରିଛନ୍ତି ‘ଅମ୍ବରମ୍‌’। ତାଙ୍କ ଘରୋଇ ସହର ଚେନ୍ନାଇରୁ ପାଖାପାଖି ୧୬୦ କିଲୋମିଟର ଦୂର ଭିଲୁପୁରମ୍‌ର ପୁଲିୟାନୁର ଗାଁରେ ପ୍ରତିଷ୍ଠା କରିଛନ୍ତି ଏହି କମ୍ପାନୀ। ମହିଳାମାନଙ୍କୁ ଏଥିରେ ନିଯୁକ୍ତି ମଧ୍ୟ ଦେଇଛନ୍ତି। ଏହି କମ୍ପାନୀକୁ ମହିଳାମାନଙ୍କ ଘର ପାଖରେ କରାଯାଇଛି, ଯାହାଦ୍ୱାରା ସେମାନେ ଏହି କାର୍ଯ୍ୟ କରିବା ସହ ଘରକଥା ବି ବୁଝିପାରନ୍ତି। ପିଲାମାନଙ୍କ ତ୍ୱଚାକୁ ସଂକ୍ରମଣରୁ ରକ୍ଷା କରିବା ଲାଗି ସେମାନେ ଏଭଳି ପୋଷାକ ତିଆରି କରୁଛନ୍ତି ।
ଏହା ମଧ୍ୟ ପରିବେଶକୁ ଭଲ ବୋଲି କହନ୍ତି ଅରୁଣ। ଏହି ପୋଷାକ ପାଇଁ ଆବଶ୍ୟକ ସମସ୍ତ କଞ୍ଚାମାଲ ସେମାନେ ପରିବେଶରୁ ହିଁ ସଂଗ୍ରହ କରୁଛନ୍ତି। ପୂରା ସୂତାରେ ପୋଷାକକୁ ସେମାନେ ପରିବା ଓ ପତ୍ରରୁ ରଙ୍ଗ ସଂଗ୍ରହ କରି ରଙ୍ଗାଉଛନ୍ତି। ଫ୍ୟାଶନରେ ଡିଗ୍ରୀ କରିଥିବା ପୋନ୍‌ମାନି ପୋଷାକର ଡିଜାଇନ କରୁଛନ୍ତି। ପ୍ରାକୃତିକ ପୋଷାକ ବ୍ୟତୀତ ସେମାନେ ପିଲାଙ୍କ ଲାଗି ଓଷଧୀୟ ବୃକ୍ଷର ଚେର ଓ ତାଳପତ୍ର ଖଡିକାରେ ବ୍ରେସ୍‌ଲେଟ ତିଆରି କରୁଛନ୍ତି।