ଏଇ ଭାରତରେ

କରୋନା ସଂକ୍ରମଣକୁ ନେଇ ସାରା ଦେଶ ଚିନ୍ତିତ ଥିବାବେଳେ ମହାରାଷ୍ଟ୍ରରେ ଏହା ଅଧିକ ଜଟିଳ ପରିସ୍ଥିତି ସୃଷ୍ଟି କରିଛି। କିନ୍ତୁ ମୁମ୍ବାଇର ଶିଶିର ଜୋଷୀ ସଂକ୍ରମଣ ରୋକିବାକୁ ଘରେ କ୍ୱାରାଣ୍ଟାଇନ୍‌ରେ ଥିବା ଲୋକମାନଙ୍କୁ ତେଜରାତି ଜିନିଷଠାରୁ ଆରମ୍ଭ କରି ଓଷଧ ଆଦି ଯୋଗାଇ ଦେଉଛନ୍ତି। ସଂକ୍ରମଣ ରୋକିବା ଲାଗି ଜିନିଷ ବାବଦରେ ଅର୍ଥ ଅନ୍‌ଲାଇନ ପେମେଣ୍ଟ ଜରିଆରେ ଗ୍ରହଣ କରୁଛନ୍ତି। କିନ୍ତୁ ଡେଲିଭରି ବାବଦରେ ସେ କାହାଠାରୁ ଟଙ୍କାଟିଏ ବି ନେଉନାହାନ୍ତି। ଏଭଳି ସଂକଟମୟ ସମୟରେ ଲୋକମାନଙ୍କ ଆବଶ୍ୟକତା ପୂରଣ କରିବା ପାଇଁ ସେ ସ୍ବେଚ୍ଛାସେବୀମାନଙ୍କ ସହ ଆଗକୁ ଆସିଛନ୍ତି ବୋଲି କୁହନ୍ତି ପ୍ରୋଜେକ୍ଟ ମୁମ୍ବାଇ ଏନ୍‌ଜିଓର କାର୍ଯ୍ୟନିର୍ବାହୀ ଶିଶିର। ମୁମ୍ବାଇ କମିଶନରଙ୍କ ଟାସ୍କ ଫୋର୍ସ ଏ କ୍ଷେତ୍ରରେ ଅନେକ ଅଞ୍ଚଳରେ କାର୍ଯ୍ୟ କରୁଥିଲେ ବି ସେମାନଙ୍କ ସହ ମିଶି ଶିଶିର ଓ ତାଙ୍କ ଟିମ୍‌ ଏହି କାର୍ଯ୍ୟକୁ ଆହୁରି ତ୍ୱରାନ୍ବିତ କରିପାରିଛନ୍ତି। କେବଳ କ୍ୱାରାଣ୍ଟାଇନରେ ଥିବା ବ୍ୟକ୍ତି ନୁହନ୍ତି, ଘରେ ଏକୁଟିଆ ରହୁଥିବା ବରିଷ୍ଠ ନାଗରିକମାନଙ୍କୁ ମଧ୍ୟ ଶିଶିରଙ୍କ ଟିମ୍‌ ରାଶନ ସାମଗ୍ରୀ ସମେତ ଓଷଧ ଯୋଗାଇଦେଉଛନ୍ତି। ଯେଉଁମାନେ ସେଲ୍ଫ କ୍ୱରାଣ୍ଟାଇନରେ ରହିଛନ୍ତି ସେମାନେ ସେମାନଙ୍କ ଚିଠି ଓ ଷ୍ଟାମ୍ପର ଛବି ହା୍ବଟ୍ସଆପ୍‌ରେ ତାଙ୍କ ପାଖକୁ ପଠାଇବା ପରେ ଏହା ଉପରେ ଅନୁଧ୍ୟାନ କରାଯାଇ ଜିନିଷ ଯୋଗାଇ ଦିଆଯାଉଛି। ଓଷଧ ଯୋଗାଇବା ଲାଗି ଶିଶିରଙ୍କୁ ଏକ ଇ-ଫାର୍ମା ରିଟେଲର ସାହାଯ୍ୟ କରିବାକୁ ଆଗେଇ ଆସିଛି। ଶିଶିର ଓ ତାଙ୍କ ଟିମ୍‌ର ଏହି କାର୍ଯ୍ୟକୁ ସବୁଆଡୁ ପ୍ରଶଂସା କରାଯାଉଛି। ଏହି କାର୍ଯ୍ୟରେ ଅଧିକ ସ୍ବେଚ୍ଛାସେବୀ ତାଙ୍କ ସହ ଯୋଡିହେବା ଲାଗି ସେ ଆଶା କରିଛନ୍ତି ।