ଏଇ ଭାରତରେ

କରୋନା ସଂକ୍ରମଣକୁ ନେଇ ସାରା ବିଶ୍ୱରେ ଭୟର ବାତାବରଣ ସୃଷ୍ଟି ହୋଇଥିବାବେଳେ ବେଙ୍ଗାଲୁରୁର ମହିତା ନାଗରାଜ ବରିଷ୍ଠ ନାଗରିକମାନଙ୍କ ପାଇଁ ସାହାରା ପାଲଟିଛନ୍ତି। କରୋନା ଯୋଗୁ ବାହାରକୁ ବାହାରି ପାରୁ ନ ଥିବା ବରିଷ୍ଠ ନାଗରିକମାନଙ୍କୁ ସେ ଆବଶ୍ୟକ ସାମଗ୍ରୀ ଯୋଗାଇ ଦେଉଛନ୍ତି। ବରିଷ୍ଠ ନାଗରିକମାନଙ୍କ ବନ୍ଧୁ ଓ ସମ୍ପର୍କୀୟମାନେ ଦୂରରେ ରହୁଥିବାରୁ ସେମାନଙ୍କୁ ରାଶନ ସାମଗ୍ରୀଠାରୁ ଆରମ୍ଭ କରି ଅନ୍ୟସବୁ ଜିନିଷ ଘରେ ପହଞ୍ଚାଇବାର ନିଷ୍ପତ୍ତି ନେଇ ମହିତା ଫେସ୍‌ବୁକରେ ଏ ସମ୍ପର୍କରେ ପୋଷ୍ଟ କରିବା ପରେ ତାଙ୍କୁ ବହୁ ବ୍ୟକ୍ତି ସହଯୋଗର ହାତ ବଢ଼ାଇଥିଲେ। ୩୮ ବର୍ଷୀୟା ନାଗରାଜ ଏହି ଡିଜିଟାଲ ମାର୍କେଟର ‘କେୟାରମଙ୍ଗରସ୍‌ ଇଣ୍ଡିଆ’ ନାମକ ଏକ ପବ୍ଲିକ୍‌ ଗ୍ରୁପ୍‌ ଫେସ୍‌ବୁକରେ ଆରମ୍ଭ କରି ତା’ ମାଧ୍ୟମରେ ଏହିି ସେବା ଯୋଗାଇ ଦେଉଛନ୍ତି। ଏବେ ଏଥିରେ ପାଖାପାଖି ୫୦୦ ସ୍ବେଚ୍ଛାସେବୀ କାର୍ଯ୍ୟକରୁଛନ୍ତି। ବରିଷ୍ଠ ନାଗରିକଙ୍କ ସମେତ ଛୋଟପିଲା, ଗର୍ଭବତୀ ମହିଳା ତଥା ନବଜାତ ଶିଶୁ ଓ ମା’ ମାନଙ୍କ ଆବଶ୍ୟକତା ପୂରଣ କରୁଛନ୍ତି ମହିତା। ବେଙ୍ଗାଲୁରୁ ସମେତ ଚେନ୍ନାଇ, ହାଇଦ୍ରାବାଦ୍‌, ଦିଲ୍ଲୀ, ନଏଡା, ଉତ୍ତରାଖଣ୍ଡ, ଗୁଜରାଟ, ମହାରାଷ୍ଟ୍ର, ତାମିଲନାଡୁ, କେରଳ, ପଶ୍ଚିମବଙ୍ଗରେ ଏମାନେ କରୋନାର ମୁକାବିଲା ଲାଗି ଲୋକମାନଙ୍କୁ ସଚେତନ କରିବା ସହ ଆବଶ୍ୟକ ସାମଗ୍ରୀ ଘରେ ନେଇ ପହଞ୍ଚାଇ ଦେଉଛନ୍ତି।