ଏଇ ଭାରତରେ

କର୍ନାଟକର ଏକ ମଦ୍ରାସାରେ ଅନୁଷ୍ଠିତ ହିନ୍ଦୁ ଓ ମୁସଲମାନଙ୍କ ସାମୂହିକ ବିବାହ ସାମ୍ପ୍ରଦାୟିକ ସଦ୍‌ଭାବ ବାର୍ତ୍ତା ଦେଇଛି। ଏହି ବିବାହରେ ୭୫ଟି ମୁସଲମାନ ଯୋଡି ଓ ୨୫ ଯୋଡି ହିନ୍ଦୁ ବିବାହ କରିଛନ୍ତି। ବେଲଗାଭି ଜିଲା ମୁଖ୍ୟାଳୟଠାରୁ ୫୦ କିଲୋମିଟର ଦୂର ବେଲିହଙ୍ଗଲସ୍ଥିତ ମଦ୍ରାସା ଅଲ୍‌ ଅରବିୟା ଅନଓ୍ବରୁଲ ଉଲୁମାରେ ଏହି ସାମୂହିକ ବାହାଘର ଜାମିଆ ଫୈଜାନ-ଉଲ୍‌-କୁରାନ ଓ ଇଶା ଫାଉଣ୍ଡେଶନର ମିଳିତ ଉଦ୍ୟମରେ ଆୟୋଜିିତ ହୋଇଛି। ବାହାଘରରେ ଉଭୟ ପଣ୍ଡିତ ଓ ମୌଲବୀ ଉପସ୍ଥିତ ରହିଥିଲେ। ଗୋଟିଏ ପକ୍ଷରେ ବିବାହର ଦୁଆ ପଢାଯାଉଥିବାବେଳେ ଅନ୍ୟ ପକ୍ଷରେ ବେଦମନ୍ତ୍ର ଉଚ୍ଚାରଣ ହେଉଥିଲା। ସେମାନେ ନବବିବାହିତ ହିନ୍ଦୁଯୋଡିଙ୍କୁ ଗୀତା ଓ ମୁସଲମାନ ଯୋଡିଙ୍କୁ କୋରାନ ପାଠ କରାଇଥିଲେ। ହିନ୍ଦୁ ବିବାହିତ ଯୋଡି ଓ ମୁସଲମାନ ଯୋଡି ପ୍ରତ୍ୟେକଙ୍କୁ ଯଥାକ୍ରମେ ଗୀତା ଓ କୋରାନ ପ୍ରଦାନ କରାଯାଇଥିଲା। ବିବାହ ଉତ୍ସବରେ ହିନ୍ଦୁ ଯୋଡିଙ୍କୁ ଆୟୋଜକମାନେ ମଙ୍ଗଳସୂତ୍ର ମଧ୍ୟ ଦେଇଥିଲେ। ଏହି ଅବସରରେ ୪ ହଜାରରୁ ଊର୍ଦ୍ଧ୍ୱ ଅତିଥି ଯୋଗ ଦେଇଥିଲେ। ବାହାଘର ପରେ ଆୟୋଜକ ଜାମିଆ ଫୈଜାନ-ଉଲ୍‌-କୁରାନ ତରଫରୁ ପ୍ରତ୍ୟେକ ଯୋଡିଙ୍କୁ ଉପହାର ପ୍ରଦାନ କରାଯାଇଥିଲା।