ଏଇ ଭାରତରେ

ଭାରତୀୟ ସଂସ୍କୃତିରେ ଘରେ ପ୍ରଥମ ରୁଟି ଗାଈଙ୍କ ପାଇଁ କରାଯାଏ ଓ ଏହା ଶୁଭ ବୋଲି ମାନ୍ୟତା ରହିଛି। କିନ୍ତୁ ଏହି ସଂସ୍କୃତି ଧୀରେ ଧୀରେ ଲୋପ ପାଇବାକୁ ବସିଥିବାବେଳେ ତାହାକୁ ବଞ୍ଚାଇ ରଖିତ୍ବାକୁ ପ୍ରୟାସ କରୁଛନ୍ତି ଗ୍ବାଲିୟର୍‌ର କେତେଜଣ ଯୁବକ। ସେମାନେ ଦୈନିକ ସନ୍ଧ୍ୟାରେ ସହରର କଲୋନୀଗୁଡିକରେ ବ୍ୟାଗ ଧରି ପହଞ୍ଚିଯାଆନ୍ତି ଓ ଗାଈଙ୍କ ପାଇଁ ରୁଟି ସଂଗ୍ରହ କରିଥାନ୍ତି। ଏଥିପାଇଁ ଯୁବକମାନେ ‘ରାମରୁଟି’ ଟିମ୍‌ ଗଠନ କରିଛନ୍ତି। ସେମାନେ କଲୋନୀରେ ରାମରୁଟି ରାମରୁଟି ବୋଲି ଉଚ୍ଚସ୍ବରରେ ଡାକନ୍ତି। ତାଙ୍କ ଡାକ ଶୁଣି ଲୋକେ ଘରୁ ରୁଟି ଧରି ବାହାରି ଆସନ୍ତି। ସବୁ ଘରୁ ଏମାନଙ୍କୁ ଦୁଇଟି ଲେଖାଏ ରୁଟି ମିଳିଥାଏ। ଏମିତି ସେମାନେ ଦୈନିକ ୬୦ କେଜି ଅଟାର ରୁଟି ସଂଗ୍ରହ କରୁଛନ୍ତି। ଏହାପରେ ଏହାକୁ ନେଇ ଗୋଶାଳାରେ ପହଞ୍ଚାଇ ଦେଉଛନ୍ତି। ଏହି ଅଭିଯାନ ଆରମ୍ଭରେ ଯୁବକମାନେ ରାମରୁଟି ଡାକିଲେ ବି କେହି ସେମାନଙ୍କୁ ରୁଟି ଦେଉ ନ ଥିଲେ। କିନ୍ତୁ ସେମାନଙ୍କ ମହତ୍‌ ଉଦ୍ଦେଶ୍ୟ ସମ୍ପର୍କରେ ଅବଗତ ହେବା ପରେ ଏବେ ସେମାନେ ଗ୍ବାଲିୟର ସହରର ପିଏଚ୍‌ଆଇ କଲୋନୀ, ଗଣେଶ କଲୋନୀ, ଇନ୍ଦିରା କଲୋନୀ, ପ୍ରସାଦ ନଗର, ଖଡ୍‌ଗେଶ୍ୱର ମନ୍ଦିର ଅଞ୍ଚଳର ୨୫୦ରୁ ଊର୍ଦ୍ଧ୍ୱ ଘରୁ ରୁଟି ସଂଗ୍ରହ କରୁଛନ୍ତି।