ଏଇ ଭାରତରେ

ଶିକ୍ଷା ବିନା ବିକାଶର କଳ୍ପନା କରାଯାଇପାରେନା। ଏଥିପାଇଁ ସମାଜର ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଶିକ୍ଷା ଜରୁରୀ। କିନ୍ତୁ ସମାଜରେ ଏମିତି କିଛି ଲୋକ ଅଛନ୍ତି ଯାହାଙ୍କ ପାଖରେ ଶିକ୍ଷା ପହଞ୍ଚିପାରୁନାହିଁ। ଏହିି ସ୍ଥିତିରେ ଗରିବ ଓ ଅସହାୟ ପରିବାରରୁ ପ୍ରତିଭା ବାହାରକୁ ଆସିପାରନ୍ତି ନାହିଁ। ଏଣୁ ଏଭଳି ପ୍ରତିିଭାଙ୍କୁ ବିକଶିତ କରିବା ପାଇଁ ଡା. ଜେ.କେ. ଭାରତୀ ଶିକ୍ଷାର ଦୀପ ପ୍ରଜ୍ୱଳିତ କରି ଉଦାହରଣ ସୃଷ୍ଟି କରିଛନ୍ତି। ସେ ଏକ ଗୁରୁକୁଳ ଗଢି ତା’ ମାଧ୍ୟମରେ ମାଗଣାରେ ଶିକ୍ଷା ପ୍ରଦାନ କରୁଛନ୍ତି। ସେ ଏହାର ନାମ ରଖିଛନ୍ତି ‘ଭାରତୀ ନିଃଶୁଳ୍କ ଗୁରୁକୁଳ’। ଏଠାରେ ତାଙ୍କ ଶିକ୍ଷାଦାନ ପଦ୍ଧତି ବି ପୂରା ନିଆରା। ମାଧ୍ୟମିକ ପରୀକ୍ଷାର ଠିକ୍‌ ୪ ମାସ ପୂର୍ବରୁ ବାରାକ୍‌ପୁର ଅଞ୍ଚଳର ଭାଟପଡାରେ ଗଙ୍ଗାନଦୀ କୂଳରେ ପ୍ରାକୃତିକ ପରିବେଶରେ ଆରମ୍ଭ ହୋଇଯାଏ ଡା. ଭାରତୀଙ୍କ ଗୁରୁକୁଳ। ତାଙ୍କ ଗୁରୁକୁଳରେ ଦୈନିକ ୩ ହଜାର ପିଲା ପଢ଼ନ୍ତି। ପିଲାମାନଙ୍କୁ ବିନା ଦେୟରେ ସେ ପଢାନ୍ତି। ଏଠାରେ ମାଧ୍ୟମିକ ପରୀକ୍ଷାର୍ଥୀଙ୍କୁ ପ୍ରତ୍ୟେକ ବିଷୟ ପଢାଯାଏ। ଏଥିପାଇଁ ସେ କୌଣସି ବେସରକାରୀ ସଂସ୍ଥାର ସହଯୋଗ ମଧ୍ୟ ନେଉନାହାନ୍ତି। ନିଜେ ଅଭାବରେ ରହି ସେ ୨୨ ବର୍ଷ ହେବ ଗରିବ ପିଲାଙ୍କୁ ଶିକ୍ଷାଦାନ କରୁଛନ୍ତି। ଏମିତିକି ତାଙ୍କ ପିତାଙ୍କ ହତ୍ୟାକାରୀଙ୍କ ପୁଅକୁ ବି ବିନା ଦେୟରେ ପଢାଉଛନ୍ତି।