ଏଇ ଭାରତରେ

ଜଣେ ଉତ୍ତମ ଶିକ୍ଷକ ହିଁ ଶିକ୍ଷା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିପାରନ୍ତି। ଏଭଳି ଜଣେ ବ୍ୟକ୍ତିତ୍ୱ ହେଉଛନ୍ତି ଅବସରପ୍ରାପ୍ତ ସଂସ୍କୃତ ପ୍ରାଧ୍ୟାପିକା ଚିତ୍ରଲେଖା ମଲ୍ଲିକ। କୋଲକାତା ନିବାସୀ ମଲ୍ଲିକ ନିଜ ସୁଖ ତ୍ୟାଗକରି ଶିକ୍ଷାର ପରିବର୍ତ୍ତନ ପାଇଁ ତାଙ୍କ ଦରମା ଓ ପେନ୍‌ସନ ଟଙ୍କା ସଞ୍ଚୟ କରି ବିଭିନ୍ନ ଶିକ୍ଷାନୁଷ୍ଠାନକୁ ୧କୋଟି ଟଙ୍କା ଦାନ କରିଛନ୍ତି। ଚିତ୍ରଲେଖାଙ୍କ ବୟସ ୭୨। ସେ ଶିକ୍ଷା କ୍ଷେତ୍ରରେ ୪୦ ବର୍ଷ ରହି ପିଲାମାନଙ୍କ ମେଧା ବିକାଶରେ ରହିଥିବା ବାଧାକୁ ଭଲଭାବେ ଉପଲବ୍ଧି କରିଥିଲେ। ସେଥିପାଇଁ ସଞ୍ଚତ୍ତ ଟଙ୍କା ସ୍କଲାରଶିପ୍‌ ଓ ଗବେଷଣା ଉଦ୍ଦେଶ୍ୟରେ ବ୍ୟୟ କରିବା ଲାଗି ଶିକ୍ଷାନୁଷ୍ଠାନଗୁଡିକୁ ଦାନ କରିଛନ୍ତି ବୋଲି କୁହନ୍ତି ମଲ୍ଲିକ। ସେ ତାଙ୍କ କ୍ୟାରିୟର ମଧ୍ୟରେ କୋଲକାତାର ମଥାଭାଙ୍ଗ କଲେଜ, କୁଚବିହାର କଲେଜ, କଲେଜ ସର୍ଭିସ କମିଶନ, ଦେଶବନ୍ଧୁ ମହିଳା କଲେଜ ଏବଂ ଶେଷରେ ଭିକ୍ଟୋରିଆ ଇନ୍‌ଷ୍ଟିଚ୍ୟୁଶନରେ ଶିକ୍ଷାଦାନ କରିବା ପରେ ଅବସର ନେଇଛନ୍ତି। କୋଲକାତା ପାଖ ବିର୍ଲାପୁର ସହରରେ ତାଙ୍କ ଜନ୍ମ। ତାଙ୍କ ପିତା ଜଣେ ସ୍କୁଲ୍‌ ଶିକ୍ଷକ ଥିଲେ। ଶିକ୍ଷାଲାଗି ସମର୍ପିତ ତଥା ଅବିବାହିତ ମଲ୍ଲିକ ମାସକୁ ୫୦ ହଜାର ଟଙ୍କା ପେନ୍‌ସନ ପାଉଥିଲେ ବି ଜୀବନଶୈଳୀ ସମ୍ପୂର୍ଣ୍ଣ ନିରାଡମ୍ବର। ସେ ୩୫୦ ବର୍ଗଫୁଟ୍‌ ଘରେ ରହୁଛନ୍ତି, ସବୁବେଳେ ବସ୍‌ରେ ଯିବାଆସିବା କରୁଛନ୍ତି। ଘରକାମ କରିବା ଲାଗି କାହା ସାହାଯ୍ୟ ନେଉନାହାନ୍ତି। ସେ ଏମିତି ଟଙ୍କା ସଞ୍ଚୟ କରି ଶିକ୍ଷାନୁଷ୍ଠାନଗୁଡିକୁ ଦାନ କରୁଛନ୍ତି। ମଲ୍ଲିକ ପ୍ରଥମେ ଭିକ୍ଟୋରିଆ କଲେଜକୁ ୫୦ ହଜାର ଟଙ୍କା ଦାନ ଦେଇଥିଲେ। ୨୦୧୩ରେ ଅବସର ନେବା ପରେ ହାଓଡାସ୍ଥିତ ଇଣ୍ଡିଆନ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ଫର୍‌ ଇଣ୍ଟିଗ୍ରେଟେଡ୍‌ ମେଡିସିନକୁ ୩୧ ଲକ୍ଷ ଦାନ କରିଥିଲେ। ୨୦୧୮ରେ ଯାଦବପୁର ବିଶ୍ୱବିଦ୍ୟାଳୟକୁ ରିସର୍ଚ୍ଚ ସ୍କଲାରଶିପ୍‌ ଲାଗି ୫୬ ଲକ୍ଷ ଟଙ୍କା ଦାନ ଦେଇଛନ୍ତି।