ଏଇ ଭାରତରେ

ବେସାହାରା ଲୋକଙ୍କ ଲାଗି ଯୁବଶକ୍ତିକୁ କାର୍ଯ୍ୟରେ ଲଗାଇ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ଲକ୍ଷ୍ନୌର ଜଣେ ହୋଟେଲ ମାଲିକ ପରମ ସିଂ। ସେ ତାଙ୍କ ସାଙ୍ଗମାନଙ୍କ ସହ ମିଶି ଦୁରାରୋଗ୍ୟ ବ୍ୟାଧିରେ ପୀଡିତଙ୍କୁ ମାଗଣାରେ ଓଷଧ ଯୋଗାଉଛନ୍ତି। ପ୍ରତିମାସରେ ସେ ଅଢ଼େଇରୁ ତିନି ଲକ୍ଷ ଟଙ୍କାର ଓଷଧ ବାଣ୍ଟୁଛନ୍ତି। ତାଙ୍କ ସେବାକେନ୍ଦ୍ରର ନାମ ଗୁରୁ ନାନକ ମେଡିକାଲ ସେବା। ସେ ଲକ୍ଷ୍ନୌର କେଜିଏମ୍‌ସି ମେଡିକାଲ କଲେଜରେ ମାଗଣାରେ ଲଙ୍ଗର ଲଗାଇ ନିଜେ ସେବା ଦେଉଛନ୍ତି। ଏହି ଲଙ୍ଗରକୁ ସେ ଯିବା ସମୟରେ ସେଠାରେ କିଛି ଲୋକଙ୍କ ପାଖରେ ଓଷଧ କିଣିବା ଲାଗି ଟଙ୍କା ନ ଥିବା ଜାଣିବାକୁ ପାଇଥିଲେ। ତା’ପରେ ୬ ମାସ ନିଜ ପକେଟରୁ ଖର୍ଚ୍ଚ କରି ଲୋକମାନଙ୍କୁ ମାଗଣାରେ ଓଷଧ ଦେବାପରେ ଏହି ସେବାରେ ତାଙ୍କର ସାଙ୍ଗମାନେ ସାମିଲ ହୋଇଥିଲେ ଓ ସେବେଠାରୁ ଏହି ସେବା ଆଗକୁ ବଢିବାରେ ଲାଗିଛି। ପରମଙ୍କ ସାଙ୍ଗମାନେ ବିଭିନ୍ନ ବ୍ୟବସାୟ କରୁଛନ୍ତି ଓ ଏଥିଲାଗି ସାହାଯ୍ୟ ବି କରୁଛନ୍ତି। ଏମାନେ ସୋସିଆଲ ମିଡ଼ିଆ ଓ ସହରର ବିଭିନ୍ନ ସ୍ଥାନରେ ପୋଷ୍ଟର୍‌ ମାଧ୍ୟମରେ ମୋବାଇଲ ନମ୍ବର ଜଣାଇ ଦେଇଛନ୍ତି। ଯେଉଁମାନଙ୍କର ଆବଶ୍ୟକ ହେଉଛି ସେମାନେ ପରମଙ୍କୁ ସାକ୍ଷାତ କରୁଛନ୍ତି।