ଏଇ ଭାରତରେ

ସମାଜସେବାରେ ସାରା ଜୀବନ ବିତାଇଦେବା ଲୋକଙ୍କ ସଂଖ୍ୟା କିଛି କମ୍‌ ନାହିଁ। ଏମାନଙ୍କ ମଧ୍ୟରୁ ମହାରାଷ୍ଟ୍ର ପୁଣେ ନିବାସୀ ପଦ୍ମିନୀ ଷ୍ଟମ୍ପ୍‌ ଅନ୍ୟତମ। ସେ ଏବେ ୯୦୦ ବୁଲା କୁକୁର, ଦେଢ଼ଶହ ବିଲେଇ ଓ ୧୦୦ରୁ ଊର୍ଦ୍ଧ୍ୱ ଗାଈ ଓ ମଇଁଷିଙ୍କ ପାଳିକା ମା’ ପାଲଟିଯାଇଛନ୍ତି। ଏମାନଙ୍କ ଲାଗି ସେ ନିଜ ଘର ଖୋଲି ଦେଇଛନ୍ତି। ଏହା ବ୍ୟତୀତ ଦୁଇଟି ଆଶ୍ରୟସ୍ଥଳୀ ବି ନିର୍ମାଣ କରିଛନ୍ତି। ୬୦ ବର୍ଷୀୟା ପଦ୍ମିନୀ ପୁଣେର ପ୍ରଥମ ସୁପର୍‌ ମଡେଲ ଥିଲେ। ଦେଶବିଦେଶରେ ବହୁ ମଡେଲିଂ ଶୋ’ରେ ମଧ୍ୟ ଭାଗ ନେଇଥିଲେ। ବୟସର ସାୟାହ୍ନରେ ଉପନୀତ ପଦ୍ମିନୀ ଅନ୍ୟର ସାହାରା ଲୋଡିବା ସମୟରେ ହଜାର ଜୀବଙ୍କୁ ସେବା ଦେଇ ଉଦାହରଣ ସୃଷ୍ଟି କରିଛନ୍ତି। ୨୦୦୬ରେ ଏକ ସଡ଼କ ଦୁର୍ଘଟଣାରେ ତାଙ୍କର ଏକମାତ୍ର ପୁଅଙ୍କୁ ହରାଇବା ପରେ ସେ ଭାଙ୍ଗିପଡିଥିଲେ। ତା’ପରେ ଘର ପାଖରେ ଏକ ରୋଗଗ୍ରସ୍ତ କୁକୁରକୁ ଦେଖି ତାକୁ ଘରକୁ ଆଣି ସେବା କରିଥିଲେ। ପରେ ସେ ‘ମିଶନ ପଶିବଲ୍‌’ ନାମକ ସଂସ୍ଥା ଗଢି ତା’ମାଧ୍ୟମରେ ଅସହାୟ ପ୍ରାଣୀଙ୍କ ସେବା ଆରମ୍ଭ କରିଛନ୍ତି।