ଏଇ ଭାରତରେ

ସମାଜରେ ଲିଙ୍ଗଗତ ଅସମାନତା ଦୂର କରିବା ସହ ପରିବେଶ ସୁରକ୍ଷା ଲାଗି ରାଜସ୍ଥାନର ଏକ ପରିବାର ଆରମ୍ଭ କରିଥିବା ଅଭିଯାନ ଏବେ ଚର୍ଚ୍ଚାରେ। ଉଦୟପୁର ଜିଲା ତିତରଡି ପଞ୍ଚାୟତ ଅନ୍ତର୍ଗତ ଗାଁଗୁଡିକରେ ଝିଅ ଜନ୍ମ ନେଇଥିବା ଭିନ୍ନ ଭିନ୍ନ ବର୍ଗର ପରିବାରକୁ ୫ ହଜାର ୧ଟଙ୍କା ଲେଖାଏ ଉପହାର ଦିଆଯାଇଛି। ରାଜ୍ୟ ବିଧାନସଭାର ବିରୋଧୀ ଦଳ ନେତା ଗୁଲାବଚାନ୍ଦ କଟରିୟାଙ୍କ ଉପସ୍ଥିତିରେ ଏହି ପରିବାରଗୁଡିକୁ ୫ ହଜାର ୧ଟଙ୍କା ସହ ଗୋଟିଏ ଗଛ ଓ ତା’ର ସୁରକ୍ଷା ଲାଗି ଏକ ଟ୍ରି ଗାର୍ଡ ମଧ୍ୟ ପ୍ରଦାନ କରାଯାଇଛିି। ତିତରଡି ଗାଁର ସିସୋଦିୟା ପରିବାରର ଭଭୂତ ସିଂ ଓ ସ୍ତ୍ରୀ ଉମ୍ମେଦ କୁମ୍ବରଙ୍କ ପ୍ରେରଣାରେ ତାଙ୍କ ପୁଅ ରାଜେନ୍ଦ୍ର ସିଂ ଏବଂ ହମେର ସିଂ ସିସୋଦିୟା ଏହି ପ୍ରଶଂସନୀୟ ଅଭିଯାନ ଆରମ୍ଭ କରିଛନ୍ତି। ଏହି ଅଭିଯାନ ମାଧ୍ୟମରେ କନ୍ୟା ସହ ପରିବେଶ ସୁରକ୍ଷା ମଧ୍ୟ ହାଇପାରିବ। ତିତରଡିର ଅମ୍ବାମାତା ମନ୍ଦିରରେ ଆୟୋଜିତ ଉତ୍ସବରେ ମାତାପିତାଙ୍କ ପ୍ରେରଣାରେ ଏହି ଅଭିଯାନ ଆରମ୍ଭ କରିଛନ୍ତି ବୋଲି କହିଛନ୍ତି ରାଜେନ୍ଦ୍ର ସିଂ ସିସୋଦିୟା। ସମାଜରେ ଝିଅମାନଙ୍କ ପ୍ରତି ରହିଥିବା ଅସମାନତା ତଥା ନିର୍ଯାତନା ବିରୋଧରେ ସଚେତନତା ଆଣିବା ଲାଗି ତାଙ୍କ ପରିବାର ପକ୍ଷରୁ ଏହି ଅଭିଯାନ ଆରମ୍ଭ କରାଯାଇଛି। ତିତରଡି ପଞ୍ଚାୟତରେ କନ୍ୟା ସୁରକ୍ଷାକୁ ନେଇ ଆରମ୍ଭ କରାଯାଇଥିବା ସିସୋଦିୟା ପରିବାରର ଏଭଳି ଅଭିଯାନ ରାଜସ୍ଥାନରେ ପ୍ରଥମ। ଏପରି ଅଭିଯାନରେ ରାଜସ୍ଥାନର ଆହୁରି ଅଧିକ ପରିବାର ସାମିଲ ହେବେ ଓ ଉଦୟପୁରରେ ଲିଙ୍ଗ ଅନୁପାତ କମ୍‌ ଥିବାରୁ ତାହାକୁ ଦୂର କରିବାରେ ଏହା ପ୍ରମୁଖ ଭୂମିକା ନେଇପାରିବ ବୋଲି କଟରିୟା ଆଶାବାଦୀ।