ଏଇ ଭାରତରେ

ନିତିଦିନ ଜୀବନରେ ଜଳର ଆବଶ୍ୟକତା କେତେ ତାହା ଅନୁଭବ କରିଛନ୍ତି ମଧ୍ୟପ୍ରଦେଶର ସରଳା ତ୍ରିପାଠୀ। ତାଙ୍କୁ ଏବେ ବୟସ ୯୪ ବର୍ଷ। ଗ୍ବାଲିୟର ଗାନ୍ଧୀନଗରରେ ରୁହନ୍ତି ସରଳା। ବୟସର ଅପରାହ୍ଣରେ ରେଳଷ୍ଟେଶନରେ ସେ ଲୋକମାନଙ୍କୁ ଥଣ୍ଡାପାଣି ପିଆଉଛନ୍ତି। ସେ ଏହି ସେବା ୨୭ ବର୍ଷ ହେବ କରି ଆସୁଛନ୍ତି। ଏଥିପାଇଁ ଦିନକୁ ୮ଘଣ୍ଟା ସମୟ ଦେଉଛନ୍ତି। ଏଥିରୁ ସମୟ ପାଇଲେ ଶିକ୍ଷା ଓ ସ୍ବାସ୍ଥ୍ୟ ପାଇଁ କାମ କରୁଛନ୍ତି। ଏହି ସେବା ପାଇଁ ସମର୍ପିତ ସରଳାଙ୍କୁ ଗ୍ବାଲିୟରର ଏକ ସଂସ୍ଥା ମଦର ଟେରେସା ସମ୍ମାନରେ ସମ୍ମାନିତ କରିଛି। ତାଙ୍କର ଏହି ମହତ୍‌ ସେବାକୁ ବି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ‘ମନ୍‌ କି ବାତ୍‌’ରେ ପ୍ରଶଂସା କରିଛନ୍ତି। ୧୯୯୩ ମସିହାରେ ଖରାଦିନେ ସରଳା ଟ୍ରେନ୍‌ରେ ଫେରୁଥିବାବେଳେ ଷ୍ଟେଶନ୍‌ରେ ପାଣି ସମସ୍ୟାକୁ ଭଲଭାବେ ଉପଲବ୍ଧି କରିଥିଲେ। ଟ୍ରେନ୍‌ ଛାଡିଦେବା ଭୟରେ ଲୋକମାନେ ତଳକୁ ଓହ୍ଲାଇ ପାଣି ନେଇ ପାରନ୍ତିନି। ଠିକ୍‌ ପରଦିନ ସେ ଷ୍ଟେଶନ୍‌ରେ ପହଞ୍ଚି ସେଠାରେ ପାଣି ଦେଉଥିତ୍ବା ପଞ୍ଜାବୀ ପରିଷଦ ସହ ମିଶି ପାଣି ଦେବା ଆରମ୍ଭ କରିଥିଲେ। ସେବେଠାରୁ ୨୭ ବର୍ଷ ବିତି ଗଲାଣି, ପଞ୍ଜାବୀ ପରିଷଦର ବହୁ କର୍ମକର୍ତ୍ତା ବଦଳି ଗଲେଣି, କିନ୍ତୁ ସରଳା ତ୍ରିପାଠୀ ସେମିତି ନିଃସ୍ବାର୍ଥ ସେବା କରିଆସୁଛନ୍ତି।