ଏଇ ଭାରତରେ

ଛତିଶଗଡ଼ରେ ଏମିତି ଏକ ସ୍କୁଲ୍‌ ରହିଛି ଯେଉଁଠି ନିୟମିତ ଜାତୀୟ ସଙ୍ଗୀତ ଗାନ କରାଯାଉଛି। ଏହାପରେ ସମ୍ବିଧାନ ପ୍ରତି ସମ୍ମାନ ପ୍ରଦର୍ଶନ କରାଯାଉଛି। ଏହି ଅବସରରେ ସ୍କୁଲ ପିଲା ଓ ଶିକ୍ଷକ ସମ୍ବିଧାନର ପ୍ରସ୍ତାବନାକୁ ଏକାଠି ପଢୁଛନ୍ତି। ବିଳାଶପୁର ଜିଲା ଦୂରସ୍ଥ ବନାଞ୍ଚଳର ମର୍‌ବାହି ବ୍ଲକ୍‌ ଅନ୍ତର୍ଗତ ନାକା ଗାଁର ପ୍ରାଥମିକ ସ୍କୁଲରେ ଏଭଳି ଧାରା ୮ ବର୍ଷ ହେବ ଚଳିଆସୁଛି। ସ୍କୁଲ୍‌ର ବିଶେଷତା ହେଉଛି ଯେ, ଏହାର ସବୁ ଛାତ୍ର ଆଦିବାସୀ ବର୍ଗର। ଷଷ୍ଠରୁ ଅଷ୍ଟମ ଶ୍ରେଣୀ ଯାଏ ସବୁ ଛାତ୍ର ଏକାଠି ହୋଇ ପ୍ରଥମେ ଜାତୀୟ ସଙ୍ଗୀତ ଗାଇଥାନ୍ତି। ପରେ ସମ୍ବିଧାନର ପ୍ରସ୍ତାବନା ପଢିଥାନ୍ତି। ଚାରିଜଣ ଛାତ୍ର ଜଣେ ପରେ ଜଣେ ପାଳି କରି ପ୍ରତିଦିନ ସମ୍ବିଧାନର ପ୍ରସ୍ତାବନା ପଢନ୍ତି ଓ ତା’ପରେ ପିଲାମାନେ ତାହାକୁ ଉଚ୍ଚାରଣ କରିଥାନ୍ତି। ଏହି ୪ ଜଣ ପିଲା ୭ମ ଶ୍ରେଣୀରେ ପଢୁଛନ୍ତିି। ଅଷ୍ଟମରେ ପଢୁଥିବା ଦୁଇଜଣ ଛାତ୍ରୀ କଳାବତୀ ବାକରେ ଓ କିରଣ ମରାବ ଅନର୍ଗଳ ନିର୍ଭୁଲ ଭାବେ ସମ୍ବିଧାନ ପ୍ରସ୍ତାବନା ଉଚ୍ଚାରଣ କରିପାରୁଛନ୍ତି। ସ୍କୁଲ୍‌ର ପ୍ରଧାନଶିକ୍ଷକ ଏ.ଏଲ୍‌. ଧ୍ରୁବ କୁହନ୍ତି, ଯେବେଠୁ ସେ ସ୍କୁଲ୍‌ରେ ରହିଲେ ସେବେଠୁ ଶିକ୍ଷକ ମହମ୍ମଦ ଜାହିର ଆବାସ ସମ୍ବିଧାନ ପ୍ରସ୍ତାବନା ପଢିବା ଲାଗି ଚିନ୍ତା କରିଥିଲେ। ଆରମ୍ଭରୁ ଏହା କଠିନ ଥିଲା, କିନ୍ତୁ ପରେ ଚାରିଜଣ ଛାତ୍ର ତାହାକୁ ଆଗକୁ ବଢାଇଥିଲେ।