ଏଇ ଭାରତରେ

ଦୃଷ୍ଟିବାଧିତ ବରକନ୍ୟାଙ୍କ ବାହାଘର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେଉଥିଲେ ବି ଛତିଶଗଡ଼ର କୋରିଆ ଜିଲାରେ ଜାତିବାଦକୁ ପଛକରି ଅନୁଷ୍ଠିତ ହୋଇଥିବା ନିଆରା ବାହାଘର ଏବେ ଚର୍ଚ୍ଚାର ବିଷୟ ପାଲଟିଛି। କୋରିଆ ଜିଲାର ଟୁମରିଆ ଗାଁରେ ହୋଇଛି ଏହି ବାହାଘର। ଏହି ବାହାଘରର ବର ଓ କନ୍ୟା ଉଭୟ ଦୃଷ୍ଟିବାଧିତ। ଟୁମରିଆ ଗାଁର ଦାଦୁରାମଙ୍କ ବଡ଼ଝିଅ ଗୁଞ୍ଜାଙ୍କ ସହ ସୁରଜଙ୍କର ବାହାଘର ହୋଇଛି। ଗୁଞ୍ଜା ପିଲାଦିନୁ ଦୃଷ୍ଟିବାଧିତ। ସୁରଜ ଓ ଗୁଞ୍ଜାଙ୍କ ଜାତି ଅଲଗା ଅଲଗା। ବରବେଶରେ ସୁରଜ ମଧ୍ୟପ୍ରଦେଶର ଗ୍ବାଲିୟରରୁ ଆସିଥିଲେ। ତାଙ୍କ ସହ ସାମିଲ ହୋଇଥିବା ସମସ୍ତ ବରଯାତ୍ରୀ ଥିଲେ ଦୃଷ୍ଟିବାଧିତ। ବରାତରେ ମାଧବ ଦୃଷ୍ଟିବାଧିତ ଆଶ୍ରମର ବିଦ୍ୟାର୍ଥୀମାନେ ବରଯାତ୍ରୀ ହୋଇ ଆସିଥିଲେ। ଏହି ଆଶ୍ରମରେ ସୁରଜ ସଙ୍ଗୀତ ଶିକ୍ଷା ପ୍ରଦାନ କରନ୍ତି। ଟୁମରିଆ ଗାଁ ଲୋକମାନଙ୍କ ପାଇଁ ଉକ୍ତ ବାହାଘର ବି ସ୍ବତନ୍ତ୍ର ରହିଥିଲା। ପୂରା ଗାଁ ଲୋକେ ବାହାଘର ଦେଖିବା ଲାଗି ଦାଦୁରାମଙ୍କ ଘରେ ପହଞ୍ଚତ୍ ଯାଇଥିଲେ। ଗୁଞ୍ଜା କଳାରେ ଡିଗ୍ରୀ ହାସଲ କରିଛନ୍ତି। ସୁରଜ ସଙ୍ଗୀତ କଳାରେ ଆଇଟିଆଇ କରିଛନ୍ତି। ଚିତ୍ରକୂଟର ରାମଭଦ୍ରାଚାର୍ଯ୍ୟ ବିଶ୍ୱଦ୍ୟାଳୟରେ ପଢୁଥିବା ସମୟରେ ଏହି ଦୁହିଙ୍କର ସାକ୍ଷାତ ହୋଇଥିଲା। ଏହି ବାହାଘରରେ ନବଦମ୍ପତିଙ୍କୁ ଆଶୀର୍ବାଦ ଦେବା ପାଇଁ କେତେକ ନେତା ବି ପହଞ୍ଚିଥିଲେ।