ଏଇ ଭାରତରେ

ଶାନ୍ତି ଶୃଙ୍ଖଳା ରକ୍ଷା କରିବା ଟ୍ରାଫିକ ପୋଲିସ ଅଫିସରଙ୍କ ସାଧାରଣ ଦାୟିତ୍ୱ। ମାତ୍ର ତେଲେଙ୍ଗାନାରେ ଏମିତି ଜଣେ ପୋଲିସ ଅଫିସର ଅଛନ୍ତି ଯିଏ କି ରାସ୍ତା ମରାମତି କରିବା ସହ ଗୀତ ମାଧ୍ୟମରେ କୁସଂସ୍କାର ବିରୋଧରେ ସଚେତନତା ସୃଷ୍ଟି କରୁଛନ୍ତି। ଟ୍ରାଫିକ ଇନ୍ସପେକ୍ଟର ଆଞ୍ଜାପାଲି ନାଗାମାଲ୍ଲୁଙ୍କର ଏଭଳି କାର୍ଯ୍ୟ ଲୋକମାନଙ୍କ ହୃଦୟ ଜିତିପାରିଛି। ସେ ନିଜେ ଗୀତ ଲେଖୁଛନ୍ତି ଓ ଲୋକଗୀତ ସ୍ବରରେ ତାହାକୁ ବୋଲି ଗାଁଗୁଡିକରେ ସଚେତନତା ସୃଷ୍ଟି କରୁଛନ୍ତି। ଆଞ୍ଜାପାଲି ନାଲ୍‌ଗୋଣ୍ଡାରେ ଥିବା ସମୟରେ ଗୁଣିଗାରେଡି ସନ୍ଦେହରେ ଜଣେ ୫୫ ବର୍ଷୀୟା ମହିଳାଙ୍କ ଦେହରେ ନିଆଁ ଲଗାଇ ପାଖ ଗାଁ ଲୋକେ ମାରିଦେବା ପରେ ଏହା ବିରୋଧରେ ସଚେତନତା ଆଣିବା ପାଇଁ ସେ ପ୍ରଥମେ ଗୀତ ବୋଲିବା ଆରମ୍ଭ କରିଥିଲେ। ସଡକ ସୁରକ୍ଷା, ସାଇବର କ୍ରାଇମ୍‌ ଓ ସମାଜର ବିଭିନ୍ନ ସମସ୍ୟା ବିରୋଧରେ ସଚେତନତା ଆଣିବା ପାଇଁ ଆଞ୍ଜାପାଲି ୧୫ଟି ଗୀତ ଓ ୫୦ଟି ଭିଡିଓ ପ୍ରସ୍ତୁତ କରିସାରିଲେଣି। ଟ୍ରାଫିକ ନିୟମ ଉପରେ ଲୋକମାନଙ୍କୁ ବି ସେ ଗୀତ ମାଧ୍ୟମରେ ସଚେତନ କରାଉଛନ୍ତି। ତେଲୁଗୁ, କନ୍ନଡ ଓ ହିନ୍ଦୀରେ ଏହି ଗୀତ ବୋଲୁଛନ୍ତି। ଆଉ ୧୦ଟି ଭାଷାରେ ସେ ଏହାକୁ ପ୍ରସ୍ତୁତ କରିବା ଲାଗି ଲକ୍ଷ୍ୟ ମଧ୍ୟ ରଖିଛନ୍ତି ।
ଏହି ଟ୍ରାଫିକ ଅଫିସର ନିଜେ ରାସ୍ତା ମରାମତି କରୁଛନ୍ତି। ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିମାନଙ୍କୁ ତୁରନ୍ତ ରକ୍ତଦାନ କରି ୮୦ ଜଣଙ୍କ ଜୀବନ ବି ବଞ୍ଚାଇପାରିଛନ୍ତି। ଏହି ସେଲିବ୍ରିଟି ପୋଲିସ ଅଫିସର ତେଲେଙ୍ଗାନାର ‘ପୋଲିସ ଆନ୍ନା’ ଭାବେ ପରିଚିତ।