ଏଇ ଭାରତରେ

ଭାରତରେ ଗାନ୍ଧୀ ବିଚାରଧାରାରେ ଅନେକ ବ୍ୟକ୍ତି ଅଛନ୍ତି, ଯେଉଁମାନେ ନିଜ ସମ୍ବଳରେ ଗାନ୍ଧୀବାଦର ବାର୍ତ୍ତା ଦେଇଚାଲିଛନ୍ତି। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ବିହାରର ଶଶିଭୂଷଣ ସିଂ। ସେ ବିହାରର ସୀତାମଢି ମେଜରଗଞ୍ଜ ବ୍ଲକର ଟୁମରିକଲା ଗାଁରେ ରହନ୍ତି। ଭାରତ ସରକାରଙ୍କ ସ୍ବଚ୍ଛତା ଅଭିଯାନ ଆରମ୍ଭ ହେବା ପୂର୍ବରୁ ସେ ତାଙ୍କ ଅଞ୍ଚଳରେ ଏହାକୁ କାର୍ଯ୍ୟକାରୀ କରିଛନ୍ତି। ସ୍ବଚ୍ଛତା ତାଙ୍କ ଜୀବନଚର୍ଯ୍ୟାରେ ସାମିଲ ହୋଇଯାଇଛି। ସ୍ବଚ୍ଛତାର ଆଧୁନିକ ସିପାହି ଶଶିଭୂଷଣ ୨୦୧୧ରୁ ତାଙ୍କ ଗାଁରେ ସ୍ବଚ୍ଛତା ଅଭିଯାନ ଚଲାଇଛନ୍ତି। କିଛି ସମ୍ବଳ ନ ଥାଇ ବି ହୃଦୟରେ ସ୍ବଚ୍ଛତାକୁ ସ୍ଥାନ ଦେଇ ସକାଳୁ ଝାଡୁ ଧରି ବାହାରିଯାଆନ୍ତି ଶଶିଭୂଷଣ। ପ୍ରଥମରୁ ଲୋକେ ‘ବେକାରିର ଟାଇମ୍‌ପାସ’ ଓ ପରେ ‘ପାଗଳ ଝାଡୁଦାର’ ବୋଲି କହୁଥିଲେ ବି ସେ କେବେ ବି ଏପରିି କାର୍ଯ୍ୟରୁ ପଛକୁ ହଟିନାହାନ୍ତି। ତାଙ୍କ ଆର୍ଥିକ ପରିସ୍ଥିତି ସ୍ବଚ୍ଛଳ ନ ଥିଲେ ମଧ୍ୟ ନିଜେ ଟଙ୍କା ଖର୍ଚ୍ଚକରି ଝାଡୁ ଓ ଟୋକେଇ କିଣୁଛନ୍ତି। ଏହା ସହ ଲୋକମାନଙ୍କୁ ବାହାରେ ଶୌଚ ବିରୋଧରେ ସଚେତନ କରାଉଛନ୍ତି। ବିବାହ ପରେ ଶଶିଭୂଷଣଙ୍କ ସ୍ତ୍ରୀ ତାଙ୍କ ସହ ଏହି ସ୍ବଚ୍ଛତା ଅଭିଯାନରେ ସାମିଲ ହୋଇଯାଇଛନ୍ତି। ପାଗଳ ଝାଡୁବାଲା ଡାକରେ ଲୋକମାନଙ୍କର ସ୍ନେହ ରହିଛି ବୋଲି କୁହନ୍ତି ଶଶିଭୂଷଣ।