ଏଇ ଭାରତରେ

ନବଜାତ ଶିଶୁଙ୍କୁ ସୁସ୍ଥ ହେବା ପାଇଁ ଚେଙ୍କ ଦେବା ଭଳି ଅନ୍ଧବିଶ୍ୱାସ ବିଭିନ୍ନ ଅଞ୍ଚଳରେ ପ୍ରଚଳିତ ଥିବାବେଳେ ଉତ୍ତରପ୍ରଦେଶରେ ଦେଖିବାକୁ ମିଳେ ଆଉ ଏକ ଯନ୍ତ୍ରଣାଦାୟକ ପରମ୍ପରା। ଏଠାରେ ନବଜାତ ଶିଶୁଙ୍କୁ ଫୁଟନ୍ତା କ୍ଷୀରରେ ସ୍ନାନ କରାଯାଏ। ବାରାଣସୀ ଓ ମିରଜାପୁର ଜିଲାରେ କରହା ପୂଜନ ଅନୁଷ୍ଠିତ ହୁଏ। ଏହି ପୂଜା ବିବାହ କିମ୍ବା ଅନ୍ୟ ଶୁଭ ଅବସରରେ ପାଳନ କରାଯାଏ। ପରମ୍ପରା ଅନୁଯାୟୀ ଜଣେ ମହିଳା ଏକ ମାଟିପାତ୍ରରେ କ୍ଷୀର ଫୁଟାନ୍ତି। କ୍ଷୀର ଫୁଟିଲା ପରେ ଶିଶୁର ପିତା ଶିଶୁକୁ ଆଣି ପ୍ରଥମେ ଶିଶୁର ଗୋଡ଼କୁ ସେହି କ୍ଷୀରରେ ବୁଡ଼ାଇଦିଅନ୍ତି। ଏହାପରେ ସେହି କ୍ଷୀରକୁ ଶିଶୁର ଶରୀରରେ ଢାଳି ଦିଅନ୍ତି। ଏହାପରେ ଶିଶୁର ପିତା ନିଜେ ମଧ୍ୟ କ୍ଷୀରରେ ସ୍ନାନ କରନ୍ତି। ଏହି ସ୍ନାନ ବିଧି ସାଧାରଣତଃ ସ୍ଥାନୀୟ ମନ୍ଦିରରେ ପାଳନ କରାଯାଇଥାଏ। ଏହାକୁ ଦେଖିବା ପାଇଁ ଲୋକଙ୍କ ସମାଗମ ହୋଇଥାଏ। ମନ୍ଦିରର ପୂଜକ ସ୍ନାନ ସମୟରେ ମନ୍ତ୍ର ଉଚ୍ଚାରଣ କରନ୍ତି। ଏହି ପରମ୍ପରା ଦ୍ୱାରା ଶିଶୁର ମଙ୍ଗଳ ହେବା ସହ ଭଗବାନଙ୍କ ଆଶୀର୍ବାଦ ଲାଭ କରିଥାନ୍ତି ବୋଲି ବିଶ୍ୱାସ ରହିଛି। ଏହି ପରମ୍ପରା ଉପରେ ଉତ୍ତରପ୍ରଦେଶ ସରକାରଙ୍କ କଟକଣା ସତ୍ତ୍ୱେ ପ୍ରତିବର୍ଷ ନବରାତ୍ର ଅବସରରେ ବିଭିନ୍ନ ସ୍ଥାନରେ ଏହା ପାଳନ କରାଯାଉଛି।