ଏଇ ଭାରତରେ

ଗୁଜରାଟର ପାଳନପୁର ତହସିଲ ଅନ୍ତର୍ଗତ ବାଘଣା ଗାଁର ଲୋକଙ୍କ ସହ ଯୋଡିହୋଇ ରହିଛି ଏକ ଅଜବ ପରମ୍ପରା। ଆଷାଢ ଚତୁର୍ଦ୍ଦଶୀରୁ ଦଶହରା ଯାଏ ଓଟଗାଡି, ବଳଦଗାଡି, ରଥ, ଦୁଇଚକିଆ ଓ ଚାରିଚକିଆ ଯାନ ଏହି ଗାଁ ଭିତରକୁ ଯିବା ମନା। ଅନ୍ୟ ଗାଁର ଲୋକମାନେ ଆସିଲେ ଗାଁ ବାହାରେ ଗାଡି ରଖିଥାନ୍ତି। ଗୁରୁ ମହାରାଜାଙ୍କ ଆଦେଶକ୍ରମେ ରୋଗରୁ ମୁକ୍ତି ପାଇବା ସକାଶେ ଏଭଳି ପରମ୍ପରା ଆରମ୍ଭ କରାଯାଇଥିଲା। ଏହି ଗାଁରେ ଗୁରୁ ମହାରାଜାଙ୍କର ଏକ ପୁରୁଣା ମନ୍ଦିର ରହିଛି। ତାଙ୍କ ଆଶୀର୍ବାଦରୁ ଗାଁରେ କୌଣସି ବଡ଼ ରୋଗର ପ୍ରକୋପ ଦେଖାଯାଏ ନାହିଁ ବୋଲି ଲୋକେ ବିଶ୍ୱାସ କରନ୍ତିି। ୩୫୦ ବର୍ଷ ତଳର ଏହି ପରମ୍ପରା ଆଜି ବି ଶ୍ରଦ୍ଧା ଓ ବିଶ୍ୱାସର ସହ ପାଳନ କରାଯାଉଛି। ବହୁବର୍ଷ ପୂର୍ବେ ଗାଁରେ ମହାମାରୀ ବ୍ୟାପିବା ଦ୍ୱାରା ଅନେକ ଲୋକଙ୍କ ମୃତ୍ୟୁ ହେଉଥିଲା ଓ ଏହା ବି ପ୍ରତିବର୍ଷ ଲାଗି ରହୁଥିଲା। ଏଥିରୁ ରକ୍ଷା ପାଇବା ପାଇଁ ଗୁରୁ ମହାରାଜା ଆଷାଢ ଚତୁର୍ଦ୍ଦଶୀଠାରୁ ଦଶହରା ଯାଏ କୌଣସି ଗାଡି ଗାଁ ଭିତରେ ପ୍ରବେଶ କରିବାକୁ ମନା କରିଥିଲେ। ଏହା ପାଳନ କରିବା ପରେ ରୋଗର ପ୍ରକୋପ ଆଉ ଦେଖିବାକୁ ମିଳି ନ ଥିଲା।