ଏଇ ଭାରତରେ

ଭାରତର ଅନେକ ସ୍ଥାନରେ ପରମ୍ପରା ଓ ଲିଙ୍ଗଗତ ଅସମାନତାର ବେଡ଼ିରେ ବାନ୍ଧିହୋଇ ମହିଳାମାନେ ଅଣନିଃଶ୍ୱାସୀ ହୋଇପଡୁଥିବା ବେଳେ ବାରାଣସୀର ଏକ ଗାଁରେ ମହିଳାମାନେ ଯେପରି ସଂସ୍କାରୀ ମନୋଭାବ ପ୍ରଦର୍ଶନ କରିଛନ୍ତି ତାହା ବାସ୍ତବିକ ପ୍ରଶଂସନୀୟ। ଅନ୍ଧବିଶ୍ୱାସକୁ ପଛକୁ ପକାଇଦେଇ ବରିୟାସନପୁର ଗାଁର ଗୋଟିଏ ପରିବାରର ସମସ୍ତ ମହିଳା ସମାଜକୁ ସମାନତାର ଏକ ବାର୍ତ୍ତା ଦେଇଛନ୍ତି। ଏହି ଗାଁର ହରିଚରଣ ପଟେଲଙ୍କ ପତ୍ନୀ ୮୦ ବର୍ଷୀୟା ରଜ୍ଜି ଦେବୀଙ୍କ ଦେହାନ୍ତ ହେବା ପରେ ତାଙ୍କ ବୋହୂ ଓ ପରିବାରର ଅନ୍ୟ ମହିଳାମାନେ ଶବକୁ କାନ୍ଧେଇ ଶ୍ମଶାନକୁ ନେଇଥିଲେ। ସମସ୍ତେ ବାରାଣସୀର ସରାୟମୋହନ ଘାଟରେ ପହଞ୍ଚିବା ପରେ ରଜ୍ଜିଙ୍କର ପୁଅ ଥିଲେ ବି ଝିଅ ହୀରାମଣି ମୁଖାଗ୍ନି ଦେଇଥିଲେ। ଏହା ସହ ସେମାନେ ଶୁଦ୍ଧିକ୍ରିୟା ବାବଦ ଖର୍ଚ୍ଚକାଟ୍‌ କରିବା ପାଇଁ ତେରଦିନ ଭୋଜନ ନ ଦେବାକୁ ସ୍ଥିର କରିଛନ୍ତି। କେବଳ ଏତିକି ନୁହେଁ, ତେରଦିନ ପରିବାର ସଦସ୍ୟମାନେ ବୃକ୍ଷରୋପଣ କରିିବେ ବୋଲି କହିଛନ୍ତି ମୃତ ରଜ୍ଜିଙ୍କ ଏକମାତ୍ର ପୁତ୍ର ଭାଗୀରଥି ପ୍ରସାଦ। ହିନ୍ଦୁଧର୍ମରେ ଚଳି ଆସୁଥିବା ପ୍ରାଚୀନ ପରମ୍ପରାକୁ ଭାଙ୍ଗି ଆଉ ଏକ ପାଦ ଆଗକୁ ଯାଇଥିବାରୁ ଗାଁର ମୁଖିଆ ଓ ଅନ୍ୟ ପୁରୁଷମାନେ ମହିଳାମାନଙ୍କୁ ସମର୍ଥନ କରିଛନ୍ତି। ରଜ୍ଜି ଦେବୀଙ୍କ ବୋହୂ ଲାଲତି ଦେବୀ, ଝିଅ ହୀରାମଣି ଓ ପ୍ରେମାଙ୍କ ସହ ରେଖା, ସୁଧା, ସୁନୀତା, ଅମରାବତୀ ଓ ମହଦେଇ ଶବକୁ କାନ୍ଧରେ ନେବା ସମୟରେ ‘ଜନ୍ମ-ମୃତ୍ୟୁ ସତ୍ୟ’ ବୋଲି ଉଚ୍ଚାରଣ କରିଥିଲେ।