ଏଇ ଭାରତରେ

ହିନ୍ଦୁ ଓ ମୁସଲମାନଙ୍କ ପର୍ବ, ପରମ୍ପରା ଭିନ୍ନ ହୋଇଥିଲେ ହେଁ ବିହାରର ଏକ ଗାଁରେ ହିନ୍ଦୁମାନେ ଯେଭଳି ମୁସଲମାନଙ୍କ ପରମ୍ପରାକୁ ଆଦରିନେଇଛନ୍ତି ତାହା ସହାବସ୍ଥାନ ଓ ଭାଇଚାରାର ଉଦାହରଣ ସୃଷ୍ଟି କରିଛି। ବିହାରର କଟିଆର ଜିଲା ହସନଗଞ୍ଜ ବ୍ଲକ୍‌ ଜଗନ୍ନାଥପୁର ପଞ୍ଚାୟତର ହରିପୁର ଗାଁ ସାମ୍ପ୍ରଦାୟିକ ସଦ୍‌ଭାବନାର ଭିନ୍ନ ପରିଚୟ ଦେଇଛି। ଏହି ଗାଁର ଅଧିକାଂଶ ହିନ୍ଦୁ ରୋଜା ରଖନ୍ତି ଓ ମହରମର ତାଜିଆ ଶୋଭାଯାତ୍ରା ବାହାର କରନ୍ତି। ଏଥିରେ ଦୁଇ ସମ୍ପ୍ରଦାୟର ଲୋକଙ୍କ ସହଯୋଗ ଥାଏ। ମହରମକୁ ନେଇ ସବୁ ପ୍ରସ୍ତୁତି ଏଠାରେ ପାରମ୍ପରିକ ନୀତି ଅନୁଯାୟୀ କରାଯାଏ। ଲୋକମାନେ ନିୟମ ଅନୁସାରେ ଆଖଡା ସଜାଡ଼ନ୍ତି। ଶୋଭାଯାତ୍ରାରେ ଦୁଇ ସମ୍ପ୍ରଦାୟର ଲୋକେ ବିଭିନ୍ନ ସାହସିକ କଳା ପ୍ରଦର୍ଶନ କରନ୍ତି। ବହୁ ସଂଖ୍ୟାରେ ମହିଳା ବି ଏହି ଶୋଭାଯାତ୍ରାରେ ସାମିଲ ହୋଇଥାନ୍ତି। ଗାଁରେ ଥିବା ଛେଦି ଶାହଙ୍କ ସମାଧିରୁ ମହରମର ତାଜିଆ ବାହାରିବା ପରମ୍ପରା ବହୁ ଦିନରୁ ରହିଆସିଛି।