ଏଇ ଭାରତରେ

କୁକୁର ବିବାହ କରାଇଲେ ଗ୍ରହ ଦୋଷ ଖଣ୍ଡନ ହୋଇଥାଏ ବୋଲି ଲୋକେ ବିଶ୍ୱାସ କରନ୍ତି। ଯେଉଁ ପରିବାର ଏହି କୁକୁର ବିବାହ କରିଥାଆନ୍ତି ସେମାନଙ୍କ ଘରେ ଯାହାର କୁଣ୍ଡଳୀ ଦୋଷ ଥାଏ ତାହା ମଧ୍ୟ ଖଣ୍ଡନ ହୋଇଥାଏ। ସେହି ଘରେ ଥିବା ଅବିବାହିତ ଯୁବତୀ ଯୁବକଙ୍କ ଶୀଘ୍ର ବିବାହ ହେବା ସହ ସୁଖମୟ ଦାମ୍ପତ୍ୟ ଜୀବନ ଆରମ୍ଭ ହୋଇଥାଏ। କୁକୁର ବାହାଘର କଥା ଶୁଣିଲେ କଥାଟା ଟିକେ ଅଡୁଆ ଲାଗୁଛି ନିଶ୍ଚୟ। ହେଲେ ନିକଟରେ ବାରାଣସୀରେ ଏମିତି ଏକ ବିବାହ ଦେଖିବାକୁ ମିଳିଛି। ଆଲ୍ଲାହାବାଦ ବା ପ୍ରୟାଗରାଜଠାରୁ ୫୦ କିଲୋମିଟର ଦୂର କୋରାଓ ଗାଁରେ ଅନୁଷ୍ଠିତ ହୋଇଛି ଏହି ନିଆରା ବିବାହ। ସ୍ଥାନୀୟ ହିନ୍ଦୁ ସମ୍ପ୍ରଦାୟର ଲୋକେ ବୈଦିକ ରୀତିନୀତି ଅନୁଯାୟୀ ଏକ ଅଣ୍ଡିରା କୁକୁର ସହିତ ଗୋଟିଏ ମାଈ କୁକୁରର ବିବାହ କରିଛନ୍ତି। ତେବେ ଏହି ବିବାହ ପାଇଁ କାର୍ଡ ଛପାଯିବା ସହ ବିବାହ କାର୍ଯ୍ୟକ୍ରମରେ ବନ୍ଧୁବାନ୍ଧବ ଯଥାରୀତି ଯୋଗ ଦେଇଥିଲେ। ଏମିତି କି ବରଯାତ୍ରୀ ପ୍ରସେସନରେ ଯିବା ସହ ଲୋକେ ନାଚିଗାଇ ମଉଜ କରିଥିଲେ। ଏହାପରେ ଭୋଜିଭାତ ଆୟୋଜନ କରାଯାଇଥିଲା। ଠିକ୍‌ ମଣିଷଙ୍କ ଭଳି କୁକୁର ଦୁଇଟିଙ୍କୁ ସଜ କରି ବିବାହ ମଣ୍ଡପକୁ ନିଆଯାଇଥିଲା। ଆଉ ବିବାହ ପରେ ଏମାନଙ୍କୁ ବିଦାୟୀ ମଧ୍ୟ ଦିଆଯାଇଥିଲା।