ଏଇ ଭାରତରେ

ଭାରତରେ ପୁଣି ତାଲିବାନୀ ନିଷ୍ପତ୍ତି- ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଘଟଣାଟି ପୂରା ସତ। ବିହାରର ମଧୁବନୀ ଜିଲାର ହତ୍ଥାପୁର ପରସା ପଞ୍ଚାୟତର ପୂର୍ବତନ ସରପଞ୍ଚଙ୍କ ନେତୃତ୍ୱରେ ଓ ଏବକାର ସରପଞ୍ଚଙ୍କ ଅଧ୍ୟକ୍ଷତାରେ ପରସା ଗାଁରେ ଅନୁଷ୍ଠିତ ବୈଠକରେ ଅଜବ ନିଷ୍ପତ୍ତି ନିଆଯାଇଛି। ପଞ୍ଚାୟତ ଲଗାଇଛି ତୋଗଲକୀ କଟକଣା। ଗାଁର କୌଣସି ଝିଅ ଏକୁଟିଆ ମୋବାଇଲରେ କଥା ହୋଇପାରିବେ ନାହିଁ। ଯଦି ଚାହିଁବେ ଅଭିଭାବକଙ୍କ ସମ୍ମୁଖରେ କଥା ହୋଇପାରିବେ। ଝିଅମାନେ ବାହାରକୁ ଯାଇଥିତ୍ଲେ ସନ୍ଧ୍ୟା ପୂର୍ବରୁ ଘରକୁ ଫେରିବାକୁ ବାଧ୍ୟ। କଟକଣାରୁ ଶୌଚ ବି ବାଦ୍‌ ପଡିନି। ସନ୍ଧ୍ୟା ପରେ ଓ ସକାଳ ହେବା ପୂର୍ବରୁ ପରସା ଗାଁର କୌଣସି ଝିଅ ପଦାକୁ ଶୌଚ ପାଇଁ ଯାଇପାରିବେ ନାହିଁ ବୋଲି ପଞ୍ଚାୟତର ବୈଠକରେ ନିଷ୍ପତ୍ତି ନିଆଯାଇଛି। କେହି ଗାଁରେ ଅଶ୍ଳୀଳ ଭୋଜପୁରୀ ସଙ୍ଗୀତ ବଜାଇପାରିବେ ନାହିଁ। ଗାଁର କୌଣସି ବ୍ୟକ୍ତି ବି ନିଶାସେବନ କରିପାରିବେ ନାହିଁ। କେହି ରାସ୍ତାକଡରେ ଖୋଲାରେ ଶୌଚ କରିପାରିବେ ନାହିଁ। ରାତି ସାଢେ ୮ଟା ପରେ ଦଳ ଦଳ ହୋଇ ରାସ୍ତାରେ ବୁଲିବା ଉପରେ କଟକଣା ଲଗାଯାଇଛି। ଗାଁର ସବୁ ଉତ୍ସବରେ ବାଜା ବନ୍ଦ। ବିବାହ ଉତ୍ସବରେ ରାସ୍ତାରେ ଝିଅ-ପୁଅ ନାଚିବା ମନା। ଯଦି ନାଚିବେ ତେବେ ଘର ଭିତରେ ନାଚିପାରିବେ। ପରିବେଶ ଦୂଷିତ ନ ହେବା, ସାମାଜିକ ଶାନ୍ତି କେମିତି ବଜାୟ ରହିବ ସେଥିପାଇଁ ଏହି ନିଷ୍ପତ୍ତି ଗ୍ରାମବାସୀଙ୍କ ସହ ବିଚାରବିମର୍ଶ କରାଯାଇ ନିଆଯାଇଥିବା ସରପଞ୍ଚ କହିଛନ୍ତି।