ଏଇ ଭାରତରେ

ବିଭେଦ ମଧ୍ୟରେ ଏକତା ଭାରତର ପରିଚୟ। ବିଭିନ୍ନ ଧର୍ମ ମଧ୍ୟରେ ଶାଶ୍ୱତ ଚିନ୍ତାଧାରା ଧର୍ମ ନିରପେକ୍ଷତାର ଆଉ ଏକ ଉଦାହରଣ, ଯାହା ଦେଖିବାକୁ ମିଳିଛି ବାରାଣସୀର ହରୁହା ଡିହ ଅଞ୍ଚଳରେ । ମୁସଲମାନମାନେ ହିନ୍ଦୁ ଝିଅର ଶବକୁ କାନ୍ଧରେ ବୋହି ନେଇ ଦାହ ମଧ୍ୟ କରିଛନ୍ତି। ମୃତ ଝିଅର ନାମ ସୋନି। ବୟସ ୧୯। ସୋନିର ମା’ ହୃଦ୍‌ରୋଗ ଓ ବାପା ହୋରିଲାଲ ବିଶ୍ୱକର୍ମା ପକ୍ଷାଘାତରେ ପୀଡିତ। ସୋନିର ଏକମାତ୍ର ଭାଇ ଯାହା ରୋଜଗାର କରନ୍ତି ସେଥିରେ ପରିବାର ଚଳେ। ସୋନି ହଠାତ୍‌ ମ୍ୟାଲେରିଆରେ ପୀଡିତ ହେବାପରେ ତାଙ୍କର ମୃତ୍ୟୁ ହୋଇଥିଲା। ସୋନିଙ୍କ ମୃତ୍ୟୁପରେ ସାରା ପରିବାର ଭାଙ୍ଗି ପଡିଥିବାବେଳେ ତାଙ୍କ ପଡ଼ୋଶୀ ମୁସଲମାନମାନେ ତାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ। ସେମାନେ ଏକାଠି ହୋଇ ଶବଦାହ ପାଇଁ ସବୁ ପ୍ରକାର ବ୍ୟବସ୍ଥା କରିଥିଲେ। କାନ୍ଧରେ ସୋନିର ଶବକୁ ବାରାଣସୀର ମଣିକର୍ଣ୍ଣିକା ଘାଟକୁ ନେଇଥିଲେ । ଶବ ନେବା ସମୟରେ ସେମାନେ ‘ରାମ ନାମ ସତ୍ୟ ହୈ’ ଉଚ୍ଚାରଣ କରିଥିଲେ। ଘାଟରେ ସେମାନେ ସୋନିର ଭାଇଙ୍କୁ ଶବଦାହରେ ସାହାଯ୍ୟ ମଧ୍ୟ କରିଥିଲେ । ସେମାନେ ହୋରିଲାଲ ପରିବାରକୁ ଆର୍ଥିକ ସାହାଯ୍ୟ ମଧ୍ୟ ଦେଇଥିଲେ। ଆମେ ଆମ ଭିତରେ ସାଧାରଣ କଥାକୁ ନେଇ କଳହ କରୁଛେ, କିନ୍ତୁ ମୃତ୍ୟୁ ଜୀବନର ସତ୍ୟ ଓ ଶେଷ ଅଧ୍ୟାୟ ବୋଲି ଶବଦାହରେ ସାହାଯ୍ୟ କରିଥିବା ଶକିଲଙ୍କ ମତ। ଧାର୍ମିକ ବିଦ୍ୱେଷ ଓ ହିଂସା ଦୂର କରିବାରେ ଶକିଲଙ୍କ ମତ ଯେ ଶତ ପ୍ରତିଶତ ଗ୍ରହଣୀୟ ଏହା ଯେ କେହି ସ୍ବୀକାର କରିବେ ।