ଏଇ ଭାରତରେ

ବିହାରର ମୁଜଫରପୁର ଅଞ୍ଚଳରେ ଭାଇଚାରା ଓ ସାମ୍ପ୍ରଦାୟିକ ସଦ୍‌ଭାବନାର ପରିଚୟ ଦେଇଛନ୍ତି ସେଠାରେ ବାସ କରୁଥିବା ମୁସଲମାନ୍‌ମାନେ। ଶ୍ରାବଣ ମାସ ଶେଷ ସୋମବାରରେ ବକ୍ରିଦ୍‌ର ପ୍ରଥମ ଦିନ ପଡୁଥିବାରୁ ଏହିଦିନ କୁର୍ବାନି କରାଯିବନାହିଁ ବୋଲି ବାବା ଗରିବନାଥ ମନ୍ଦିର ଆଖପାଖରେ ରହୁଥିବା ୩୦-୪୦ଟି ମୁସଲମାନ ପରିବାର ନିଷ୍ପତ୍ତି ନେଇ ଦେଶକୁ ଏକ ନୂଆ ବାର୍ତ୍ତା ଦେଇଛନ୍ତି। ଶ୍ରାବଣ ମାସର ଶେଷ ସୋମବାରରେ ବାବା ଗରିବନାଥ ମନ୍ଦିରରେ ଭଗବାନ ଶିବଙ୍କୁ ଜଳଲାଗି କରିବା ପାଇଁ ଲକ୍ଷାଧିକ କାଉଡିଆଙ୍କ ସମାଗମ ହୁଏ। ଶାନ୍ତିର ସହ କିଭଳି ଜଳାଭିଷେକ ଓ ମେଳା ସମାପନ ହେବ ସେଥିପାଇଁ ମୁସଲମାନମାନଙ୍କ ସହଯୋଗ ଏକ ଉଦାହରଣ ବୋଲି କୁହାଯାଇପାରେ। ସୋମବାର ବକ୍ରିଦ୍‌ର ପ୍ରଥମଦିନ ହେଲେ ବି ମୁସଲମାନ ପରିବାରରେ କୁର୍ବାନି କରାଯିବନାହିଁ ବୋଲି ଛାତା ବଜାର ମସ୍‌ଜିଦ କମିଟିର ସମ୍ପାଦକ କହିଛନ୍ତି। ମନ୍ଦିର ସମ୍ମୁଖରେ ଥିତ୍ବା ଛାତା ବଜାର ମସଜିଦରେ ମୌଲାନା ଶହିଦୁଜ୍ଜମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହା ଘୋଷଣା କରାଯାଇଛି। ବୈଠକରେ ମସଜିଦ କମିଟିର ସଦସ୍ୟଙ୍କ ସହ ଗରିବନାଥ ମନ୍ଦିର ପକ୍ଷରୁ କେତେକ ବ୍ୟକ୍ତି ଉପସ୍ଥିତ ରହିଥିଲେ। ତିନିଦିନ ବକ୍ରିଦ୍‌ ପାଳନ କରାଯାଉବାରୁ ପ୍ରଥମ ଦିନ ବ୍ୟତୀତ ଆଉ ଦୁଇଦିନ କୁର୍ବାନି କରାଯାଇପାରିବ ବୋଲି କୁହାଯାଇଛି।