ଏଇ ଭାରତରେ

ଅଙ୍ଗଦାନ ମହାପୁଣ୍ୟ। ବେଙ୍ଗାଲୁରୁରେ ଜଣେ କୃଷକ ମୃତ୍ୟୁପରେ ତାଙ୍କ ଶରୀର ଦାନକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ଟୁମାକୁରୁର ଶ୍ରୀଦେବୀ ହସ୍ପିଟାଲ୍‌କୁ ଛାତ୍ରୀଛାତ୍ରଙ୍କ ଗବେଷଣା ପାଇଁ କୃଷକ ଜଣକ ତାଙ୍କ ଶରୀର ଦାନ କରିଛନ୍ତି। ଏହି କୃଷକ ହେଉଛନ୍ତି ହନମନ୍ଥ ସିଦ୍ଦାପ୍ପା ବିରାଦରା ପାଟିଲ(୭୬)। ସେ ବେଲଗାଭି ଜିଲାର ରୟବଗ ତାଲୁକର ବାସିନ୍ଦା। ମୃତ୍ୟୁ ପରେ ତାଙ୍କ ଶରୀର ମେଡିକାଲ କଲେଜକୁ ଦାନ କରାଯିବା ଉଚିତ, ଏହାଦ୍ୱାରା ଅଧ୍ୟୟନରତ ଛାତ୍ରୀଛାତ୍ର ଚିକିତ୍ସା ବିଜ୍ଞାନରେ ଗବେଷଣା କରିବାର ସୁଯୋଗ ପାଇବେ ବୋଲି କୃଷକ ତାଙ୍କ ପରିବାର ସଦସ୍ୟଙ୍କୁ କହିଥିଲେ। ତାଙ୍କ ପ୍ରତିଶ୍ରୁତି ରକ୍ଷା କରିବାକୁ ଯାଇ ବି.ଏମ୍‌. କଙ୍କନଓ୍ବାଡି ଆୟୁର୍ବେଦ ମହାବିଦ୍ୟାଳୟର ଆନାଟୋମି ପ୍ରଫେସର ତଥା କୃଷକଙ୍କ ପୁତ୍ର ଡା. ମହନ୍ତେଶ ରାମନବର ପିତାଙ୍କ ମୃତ ଶରୀରକୁ ଶ୍ରୀଦେବୀ ମେଡିକାଲ ଇନ୍‌ଷ୍ଟିଚ୍ୟୁଟ୍‌କୁ ହସ୍ତାନ୍ତର କରିଥିଲେ। ଏହାପରେ ମେଡିକାଲ ଛାତ୍ରମାନେ ଏକ ସ୍ବତନ୍ତ୍ର ପ୍ରାର୍ଥନା କାର୍ଯ୍ୟକ୍ରମ କରିବା ସହିତ ମୃତଦେହ ଉପରେ ପୁଷ୍ପମାଲ୍ୟ ଅର୍ପଣ କରି ବ୍ୟବଚ୍ଛେଦ ଗୃହକୁ ନେଇଥିଲେ। ଆଉ ଏକ ମଜାର ବିଷୟ ହେଉଛି ହନମନ୍ଥଙ୍କ ସ୍ତ୍ରୀଙ୍କର ମର ଶରୀରକୁ ଟୁମାକୁରୁ କଲେଜକୁ ଦୁଇବର୍ଷ ତଳେ ଦାନ କରାଯାଇଥିଲା। ମେଡିକାଲ କାଉନସିଲ୍‌ର ମାର୍ଗଦର୍ଶିକା ଅନୁଯାୟୀ ପ୍ରତି ୨୦ ଛାତ୍ରଙ୍କ ଗବେଷଣାମୂଳକ ଅଧ୍ୟୟନ ପାଇଁ ଗୋଟିଏ ମାନବ କଙ୍କାଳ ଆବଶ୍ୟକ ହେଉଥିବାବେଳେ ଚାହିଦା ଅନୁରୂପ ଏହା ମିଳିପାରୁ ନାହିଁ।