ଏଇ ଭାରତରେ

ପ୍ରତିବର୍ଷ ଅଗଷ୍ଟ ୧୫କୁ ଭାରତ ସ୍ବାଧୀନତା ଦିବସ ଭାବେ ପାଳନ କରିଥାଏ। କାରଣ ଭାରତୀୟଙ୍କ ପାଇଁ ଏହି ଦିନର ମହତ୍ତ୍ୱ ଖୁବ୍‌ ଅଧିକ। ହେଲେ ଭାରତରେ ଏମିତି ଏକ ଗାଁ ଅଛି ଯେଉଁଠି ଲୋକେ ସ୍ବାଧୀନତାର ୭୦ବର୍ଷରୁ ଊର୍ଦ୍ଧ୍ୱ ହେଲା ନିଜକୁ ପରାଧୀନ ବୋଲି ଧରି ନେଇଛନ୍ତି। କାରଣ ଏମାନେ ଆଜି ମଧ୍ୟ ପରାଧୀନ ଭଳି ରହୁଛନ୍ତି। ହରିୟାଣାର ରୋହନତ୍‌ ଗାଁରେ ସ୍ବାଧୀନତା ସହ ଜଡ଼ିତ କୌଣସି ପର୍ବ ପାଳନ କରାଯାଏ ନାହିଁ। କେବଳ ସ୍ବାଧୀନତା ଦିବସ ନୁହେଁ, ଏଠାରେ ସାଧାରଣତନ୍ତ୍ର ଦିବସ ମଧ୍ୟ ପାଳନ କରାଯାଇ ନ ଥାଏ। ଇତିହାସ କହେ ଇଂରେଜମାନେ ଏଠାରେ ଜାଲିଆନାଓ୍ବାଲାବାଗ ଭଳି ନରସଂହାର କରିବା ସହ ୧୮୫୭ କ୍ରାନ୍ତିକାରୀ ବିପ୍ଳବରେ ଯେଉଁମାନେ ଅଂଶଗ୍ରହଣ କରିଥିଲେ ସେମାନଙ୍କୁ ମୃତ୍ୟୁଦଣ୍ଡ ଦେଇଥିଲେ। ଏହାସହ ଗାଁରେ ତୋପ ଫୁଟାଇ ଅନେକଙ୍କୁ ମାରିଦେବା ସହ କେତେକଙ୍କୁ ରୋଲର ଚଢାଇ ଇଂରେଜମାନେ ମାରି ଦେଇଥିବା କୁହାଯାଏ। ଏମିତି ପରିସ୍ଥିତିରେ ଅନେକ ମହିଳା କୂଅକୁ ଡେଇଁ ଆତ୍ମହତ୍ୟା କରିଥିବା ମଧ୍ୟ ଇତିହାସରେ ବର୍ଣ୍ଣନା କରାଯାଇଛି। ଏମିତି ସବୁ ଘଟଣା ଇତିହାସ ପୃଷ୍ଠାରୁ ତଥା ବୟସ୍କ ବ୍ୟକ୍ତିଙ୍କଠାରୁ ଶୁଣିବା ପରେ ଆଜିବି ରୋହନତ୍‌ ଗାଁର ଲୋକେ ନିଜକୁ ପରାଧୀନ ବୋଲି ଭାବି ଗାଁରେ ଜାତୀୟ ପତାକା ଉଡାଉ ନ ଥିଲେ। ଏବେ ସରକାରଙ୍କର ବିଭିନ୍ନ ଯୋଜନା ମାଧ୍ୟମରେ ଗାଁର ଉନ୍ନତି କରାଯାଇଥିବା ବେଳେ ଗାଁ ଲୋକଙ୍କ ମନ ଧୀରେ ଧୀରେ ପରିବର୍ତ୍ତନ ହେଉଥିବା ଲକ୍ଷ୍ୟ କରାଯାଉଛି। କାରଣ ୨୦୧୮ ସ୍ବାଧୀନତା ଦିବସରେ ସେଠାରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିବା କେତେଜଣ ସରକାରୀ ଅଧିକାରୀ ସୂଚନା ଦେଇଛନ୍ତି। ତେଣୁ ଚଳିତବର୍ଷ ସ୍ବାଧୀନତା ଦିବସରେ ଏଠାରେ ଜାତୀୟ ପତାକା ଉତ୍ତୋଳନ କରାଯିବ ବୋଲି ଆଶା କରାଯାଉଛି।