Categories: ଖେଳ

ଏଆଇଏଫ୍‌ଏଫ୍‌ର ଫିଟ୍‌ନେସ୍‌ ଅଭିଯାନ ଭିଡିଓ ହେଲା ଲୋକପ୍ରିୟ

ନୂଆଦିଲ୍ଲୀ,୨୮।୪ (ପି.ଟି.): କରୋନା ଭାଇରସ୍‌ ସଂକ୍ରମଣ କାରଣରୁ ସାରା ଦେଶରେ ଲକ୍‌ଡାଉନ୍‌ ଚାଲିଥିବା ବେଳେ ପ୍ରଶଂସକଙ୍କ ପାଇଁ ଅଲ୍‌ ଇଣ୍ଡିଆ ଫୁଟବଲ ଫେଡେରେଶନ (ଏଆଇଏଫ୍‌ଏଫ୍‌) ଫିଟ୍‌ସେନ ଅଭିଯାନ ଭିଡିଓ ଜାରି କରିଥିଲା। ପ୍ରଶଂସକଙ୍କ ମଧ୍ୟ ଫିଟ୍‌ନେସ୍‌ ନେଇ ସଚେତନତା ସୃଷ୍ଟିକରିବା ଲକ୍ଷ୍ୟରେ ଏଆଇଏଫ୍‌ଏଫ୍‌ ଏହି ଭିଡିଓ ଜାରି କରିଥିଲା। ଏହି ଭିଡିଓ ବହୁଳ ଭାବେ ଆଦୃତ ହୋଇଛି। ୪ ସପ୍ତାହରୁ କମ୍‌ ସମୟରେ ଏହି ଭିଡିଓ ୪ ଲକ୍ଷ ଲୋକ ଦେଖିସାରିଛନ୍ତି। ଏହି ଅଭିଯାନର ନାମ ‘ଫିଟ୍‌ ଓ୍ବିଥ୍‌ ଇଣ୍ଡିଆନ୍‌ ଫୁଟବଲ’ ରଖାଯାଇଥିଲା ଓ ଏହାକୁ ଏପ୍ରିଲ ୨ ତାରିଖରେ ଲଞ୍ଚ୍‌ କରାଯାଇଥିଲା। ଏବେ ଏହାକୁ ମୋଟ ଉପରେ ୪, ୩୧,୦୦୦ ଲୋକ ଦେଖିସାରିଛନ୍ତି। ପ୍ରତି ଭିଡିଓକୁ ହାରାହାରି ୮୬, ୪୦୦ ଲୋକ ଦେଖିଛନ୍ତି। ବିଭିନ୍ନ ସୋସିଆଲ ମିଡିଆରେ ଏହା ବେଶ୍‌ ଲୋକପ୍ରିୟ ହୋଇପାରିଛି। ସାରା ଦେଶରେ ସବୁ ବୟସବର୍ଗର ଲୋକଙ୍କ ଦ୍ୱାରା ଏହି ଭିଡିଓ ବେଶ୍‌ ଆଦୃତ ହୋଇଛି ବୋଲି ଏଆଇଏଫ୍‌ଏଫ୍‌ କହିଛି।

ବାଇଚୁଙ୍ଗ୍‌ ଭୂତିଆ, ସୁନୀଲ ଛେତ୍ରୀ, ଗୁର୍‌ପ୍ରୀତ ସିଂ ସାନ୍ଧୁ, ଆଶାଲତା ଦେବୀ, ଆଦିତି ଚୌହାନ ଓ ଜେଜେ ଲାଲପେଖଲୁଆଙ୍କ ଭଳି ଫୁଟବଲର ଓ ଅନ୍ୟମାନେ ଏହି ଅଭିଯାନରେ ସାମିଲ ହୋଇଛନ୍ତି। ଗୋଟିଏ ଫୁଟବଲ୍‌ରେ ଜଣେ ଘରେ ରହି ମଧ୍ୟ ବ୍ୟାୟାମ କରିପାରିବ ବୋଲି ଏହି ଭିଡିଓ ବୁଝାଇବା ପାଇଁ ପ୍ରୟାସ କରିଛନ୍ତି। ଏଥିସହିତ ପ୍ରଶଂସକକଙ୍କୁ ଫିଟ୍‌ ଓ ସୁସ୍ଥ ରହିବାକୁ ଏହି ଭିଡିଓ ମାଧ୍ୟମରେ ଉତ୍ସାହିତ କରାଯାଇଛି।

Share