Categories: ଖେଳ

ଉସମାନ ଖ୍ବାଜା ବିପଦମୁକ୍ତ

ସାଉଥମ୍ପଟନ, ୨୩।୫(ପି.ଟି.)- ମୁଣ୍ଡରେ ବଲ୍‌ ବାଜି ଆଘାତପ୍ରାପ୍ତ ହୋଇଥିବା ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ ଉସମାନ ଖ୍ବାଜା ବିପଦମୁକ୍ତ ଥିବା ଗୁରୁବାର ଘୋଷଣା କରାଯାଇଛି। ବୁଧବାର ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଓ୍ବାର୍ମଅପ୍‌ ମ୍ୟାଚ୍‌ରେ ବ୍ୟାଟିଂ କରୁଥିବାବେଳେ ଆନ୍ଦ୍ରେ ରସେଲଙ୍କ ଏକ ବାଉନ୍ସର ବଲ୍‌ ଖ୍ବାଜାଙ୍କ ହେଲ୍‌ମେଟ୍‌ରେ ବାଜିଥିଲା। ଏହାପରେ ଖ୍ବାଜା ରିଟାୟର୍ଡ ହର୍ଟ ହୋଇ ପ୍ୟାଭିଲିୟନ ଫେରିଯାଇଥିଲେ। ମେଡିକାଲରେ ଖ୍ବାଜାଙ୍କ ମୁଣ୍ଡ ସ୍କାନ କରାଯାଇଥିବାବେଳେ କୌଣସି ଗୁରୁତର ଆଘାତ ଲାଗି ନ ଥିବା ଜଣାପଡ଼ିଛି, ଯାହାକି ବିଶ୍ୱକପ୍‌ ପୂର୍ବରୁ ଅଷ୍ଟ୍ରେଲିଆ ଦଳକୁ ଆଶ୍ୱସ୍ତି କରିଛି। ‘ଡରିଗଲା ଭଳି ଖବର ଥିଲା। ତାଙ୍କ ଗାଲ ପାଖ ହାଡ଼ରେ ବଲ୍‌ ବାଜିଥିଲା। ତେବେ ଏବେ ସେ ସୁସ୍ଥ ହୋଇ ପ୍ରତ୍ୟାବର୍ତ୍ତନ କରିବା ସବୁଠୁ ବଡ଼ ଖବର’ ବୋଲି ଏହି ଓ୍ବାର୍ମଅପ୍‌ ମ୍ୟାଚ୍‌ରେ ଅର୍ଦ୍ଧଶତକୀୟ ଇନିଂସ ଖେଳିଥିବା ଶନ୍‌ ମାର୍ଶ କହିଛନ୍ତି। ଏହି ଓ୍ବାର୍ମଅପ୍‌ରେ ପ୍ରଥମେ ବ୍ୟାଟିଂ କରି ଓ୍ବେଷ୍ଟଇଣ୍ଡିଜ କାର୍ଲୋସ ବାର୍ଥଓ୍ବେଟ୍‌ (୬୦) ଓ ଏଭିନ ଲୁଇସ (୫୦)ଙ୍କ ଅର୍ଦ୍ଧଶତକ ବଳରେ ୪୯.୨ ଓଭରରେ ୨୨୯ ରନ କରି ଅଲ୍‌ଆଉଟ୍‌ ହୋଇଥିଲା। ଜବାବରେ ଅଷ୍ଟ୍ରେଲିଆ ୩୮.୨ ଓଭରରେ ୩ ଉଇକେଟ୍‌ ହରାଇ ଲକ୍ଷ୍ୟ ହାସଲ କରିନେଇଥିଲା। ଶନ୍‌ ମାର୍ଶ ୫୫, ଷ୍ଟିଭ ସ୍ମିଥ୍‌ ୭୬ ଓ ଅଧିନାୟକ ଆରୋନ୍‌ ଫିଞ୍ଚ୍‌ ୪୨ ରନ କରିଥିଲେ।

Share