Categories: ଖେଳ

ଉଷୁରେ ପ୍ରବୀଣଙ୍କ କୃତିତ୍ୱ

ସାଂଘାଇ, ୨୩।୧୦ (ପି.ଟି.)- ପ୍ରଥମ ଭାରତୀୟ ପୁରୁଷ ଖେଳାଳି ଭାବେ ପ୍ରବୀଣ କୁମାର ବିଶ୍ୱ ଉଷୁ ଚାମ୍ପିୟନଶିପ୍‌ରେ ସ୍ବର୍ଣ୍ଣ ପଦକ ଜିତିବାର କୀର୍ତ୍ତିମାନ କରିଛନ୍ତି। ଏଠାରେ ଚାଲିଥିବା ବିଶ୍ୱ ଉଷୁ ଚାମ୍ପିୟନଶିପ୍‌ର ୧୫ତମ ସଂସ୍କରଣ ଅବସରରେ ପ୍ରବୀଣ ପୁରୁଷ ୪୮ କିଗ୍ରା ବର୍ଗରେ ଫିଲିପାଇନ୍ସର ରସେଲ ଡିଆଜଙ୍କୁ ୨-୧ରେ ପରାସ୍ତ କରି ସ୍ବର୍ଣ୍ଣ ପଦକ ଜିତିଛନ୍ତି। ପୂର୍ବରୁ ସେମିଫାଇନାଲରେ ପ୍ରବୀଣ ୨-୦ରେ ଉଜବେକିସ୍ତାନର ଖାସନ ଇକ୍ରୋମୋଭଙ୍କୁ ପରାସ୍ତ କରିଥିଲେ। ଏଥିପୂର୍ବରୁ ୨୦୧୭ରେ ପୂଜା କାଡିଆନ ପ୍ରଥମ ଭାରତୀୟ ଭାବେ ଉଷୁ ବିଶ୍ୱ ଚାମ୍ପିୟନଶିପ୍‌ରେ ସ୍ବର୍ଣ୍ଣ ପଦକ ପାଇଥିଲେ। ମହିଳା ୭୫ କିଗ୍ରା ବିଭାଗ ଫାଇନାଲରେ ପୂଜା ରୁଷିଆର ଏଭଗେଡ଼ିଆ ଷ୍ଟେପାନୋଭାଙ୍କୁ ହରାଇଥିଲେ। ଉଷୁ ହେଉଛି ଏକ ସାମିରିକ କଳା। ଯେଉଁଥିରେ କିକ୍‌ ବକ୍ସିଂ, କ୍ଲୋଜ ରେଞ୍ଜ ପଞ୍ଚ୍‌,ରେସ୍‌ଲିଂ, ଟାଏକୋଣ୍ଡୋ, ଥ୍ରୋ, ସୁଇପ୍‌ ଆଣ୍ଡ୍‌ କିକ୍‌ କ୍ୟାଚ୍‌ ଏହି କ୍ରୀଡ଼ାର ଅଂଶବିଶେଷ।

Share