Categories: ଖେଳ

ଉମାଖାନୋଭ ଅନ୍ତର୍ଜାତୀୟ ବକ୍ସିଂ: ବିଶ୍ୱ ଚାମ୍ପିୟନଙ୍କୁ ହରାଇଲେ ନୀରଜ

ନୂଆଦିଲ୍ଲୀ,୩।୮(ପି.ଟି.)- ରୁଷିଆର କାସ୍‌ପିସ୍କଠାରେ ଚାଲିଥିବା ମାଗୋମେଡ ସଲାମ ଉମାଖାନୋଭ ସ୍ମାରକୀ ଅନ୍ତର୍ଜାତୀୟ ବକ୍ସିଂ ଟୁର୍ନାମେଣ୍ଟରେ ଭାରତ ନୀରଜ ଫାଇନାଲରେ ପ୍ରବେଶ କରିଛନ୍ତି। ଇଣ୍ଡିଆ ଓପନ ଗୋଲ୍ଡ ମେଡାଲିଷ୍ଟ ନୀରଜ ସେମିଫାଇନାଲରେ ୨୦୧୬ ବିଶ୍ୱ ଚାମ୍ପିୟନ ଆଲେସିଆ ମେସିଆନୋଙ୍କୁ ପରାସ୍ତ କରି ଏହି ସଫଳତା ପାଇଛନ୍ତି। ୫୭ କେ.ଜି. ବର୍ଗ ମୁକାବିଲାରେ ଷ୍ଟ୍ରାଣ୍ଡଜା ମେମୋରିଆଲ ବ୍ରୋଞ୍ଜ୍‌ ପଦକ ବିଜେତା ନୀରଜ ୩-୨ରେ ମେସିଆନୋଙ୍କୁ ହରାଇ ଫାଇନାଲକୁ ଉଠିବା ସହ ଅତିକମ୍‌ରେ ରୌପ୍ୟ ପଦକ ନିଶ୍ଚିତ କରିଛନ୍ତି। ଏହି ନିର୍ଣ୍ଣାୟକ ମ୍ୟାଚ୍‌ରେ କଡ଼ା ସଂଘର୍ଷ ଦେଖିବାକୁ ମିଳିଥିଲା। ତେବେ ଫାଇନାଲ ରାଉଣ୍ଡରେ ନୀରଜ କେତୋଟି କ୍ଲିୟର ପଞ୍ଚ୍‌ ମାରି ମ୍ୟାଚ୍‌କୁ ହାତେଇ ନେଇଥିଲେ।
ପୂର୍ବରୁ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ବର୍ଣ୍ଣ ପଦକ ବିଜେତା ଗୌରବ ସୋଲାଙ୍କି ଓ ୨୦୧୯ ଇଣ୍ଡିଆ ଓପନ ରୌପ୍ୟ ପଦକ ବିଜେତା ଗୋବିନ୍ଦ ସାହାଣୀ ଗୁରୁବାର ସେମିଫାଇନାଲରେ ପ୍ରବେଶ କରି ଦୁଇଟି ପଦକ ନିଶ୍ଚିତ କରିଥିଲେ। ଚଳିତ ବର୍ଷ ଇଣ୍ଡିଆ ଓପନ୍‌ରେ ବ୍ରୋଞ୍ଜ୍‌ ପଦକ ଜିତିଥିବା ଗୌରବ ରୁଷିଆର ମାକସିମ ଚେରନିଶେଭଙ୍କୁ ସ୍ପ୍ଲିଟ୍‌ ଭର୍ଡିକ୍ସ ଜରିଆରେ ୩-୨ରେ ହରାଇ ୫୬ କେ.ଜି. ବର୍ଗର ସେମିଫାଇନାଲରେ ପ୍ରବେଶ କରିଥିଲେ। ସେହିପରି ଗୋବିନ୍ଦ ତାଜିକିସ୍ତାନର ଶେରମୁଖମ୍ମଦ ରୁଷ୍ଟାମୋଭଙ୍କୁ ୪୯ କେ.ଜି. ବର୍ଗରେ ଟୁର୍ନାମେଣ୍ଟରେ ପ୍ରଥମ ବିଜୟ ହାସଲ କରିଥିଲେ। ତେବେ ଅନ୍ୟତମ ଭାରତୀୟ ଆଶିଶ ଇନ୍‌ଶା ୫୨ କେ.ଜି. କ୍ୱାର୍ଟର ଫାଇନାଲରେ ରୁଷିଆର ଇସ୍ଲାମିଦିନ ଅଲିସୋଲଟାନେଭଙ୍କଠାରୁ ପରାସ୍ତ ହୋଇଥିଲେ। ୨୦୧୮ ଇଣ୍ଡିଆ ଓପନ୍‌ ଗୋଲ୍ଡ ମେଡାଲିଷ୍ଟ ସନଜିତ୍‌ ରୁଷିଆର ଡାନିଏଲ ଲୁଟାଇଙ୍କ ବିପକ୍ଷ ବାଉଟ୍‌ ପ୍ରଥମ ରାଉଣ୍ଡ ମ୍ୟାଚ୍‌ରେ ଆହତ ହୋଇ ଓହରିଯାଇଥିଲେ। ମହିଳା ଓ ୨ ପୁରୁଷ ଖେଳାଳି ସେମିଫାଇନାଲରେ ପ୍ରବେଶ କରିଥିବାରୁ ଏହି ଟୁର୍ନାମେଣ୍ଟର ଭାରତ ଅତିକମ୍‌ରେ ୬ଟି ପଦକ ଜିତିବା ନିଶ୍ଚିତ ହୋଇଛି।

Share