Categories: ଖେଳ

ଉପେକ୍ଷିତ ଖେଳାଳିଙ୍କୁ ଶାସ୍ତ୍ରୀଙ୍କ ସାନ୍ତ୍ୱନା

ଦୁବାଇ,୧୮।୪(ପି.ଟି.)- ଭାରତୀୟ ବିଶ୍ୱକପ୍‌ ଦଳ ଚୟନ ନେଇ ପୂର୍ବତନ ଅଲରାଉଣ୍ଡର ତଥା କୋଚ୍‌ ରବି ଶାସ୍ତ୍ରୀ ମୁହଁ ଖେଲିଛନ୍ତି। ବିଶ୍ୱକପ୍‌ ପାଇଁ ଏକ ୧୫ ବଦଳରେ ଏକ ୧୬ ଜଣିଆ ଶକ୍ତିଶାଳୀ ଦଳ ଚୟନ ହୋଇଥିଲେ ଭଲ ହୋଇଥାନ୍ତ ବୋଲି ସେ ମତ ଦେଇଛନ୍ତି। ତେବେ ଯେଉଁ ଖେଳାଳିମାନେ ବିଶ୍ୱକପ୍‌ ଦଳରେ ସ୍ଥାନ ପାଇନାହାନ୍ତି ସେମାନଙ୍କୁ ଶାସ୍ତ୍ରୀ ସାନ୍ତ୍ୱନା ଦେଇଛନ୍ତି। ସେମାନେ ନିରାଶ ହେବା ଉଚିତ୍‌ ନୁହେଁ ବୋଲି ସେ କହିଛନ୍ତି। ମେ ୩୦ରୁ ଇଂଲଣ୍ଡରେ ଆରମ୍ଭ ହେବାକୁ ଥିବା ବିଶ୍ୱକପ୍‌ ପାଇଁ ସୋମବାର ଏକ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଥିଲା। ଏହି ଦଳରେ ରିଷଭ ପନ୍ତ ଓ ଅମ୍ବାତି ରାୟୁଡୁଙ୍କୁ ଚୟନକର୍ତ୍ତାମାନେ ଅଣଦେଖା କରିଥିଲେ। ଫଳରେ ଏ ନେଇ ବେଶ୍‌ ଚର୍ଚ୍ଚା ସୃଷ୍ଟି ହୋଇଥିଲା। ଦଳ ଚୟନରେ ମୋର କୌଣସି ଭୂମିକା ନାହିଁ ବୋଲି ଶାସ୍ତ୍ରୀ ସ୍ପଷ୍ଟ କରିଛନ୍ତି। ପୁଣି ଯେଉଁମାନେ ଦଳରେ ସ୍ଥାନ ପାଇନାହାନ୍ତି ସେମାନଙ୍କୁ ମଧ୍ୟ ସୁଯୋଗ ମିଳିପାରେ। କାରଣ କ୍ରିକେଟରେ ଇଞ୍ଜୁରି ସମସ୍ୟା ରହିଛି। ତେଣୁ କେତେବେଳେ ବି ଜଣେ ଖେଳାଳିଙ୍କୁ ଡାକରା ମିଳିପାରେ। ଏହି ବିଶ୍ୱକପ୍‌ରେ ଇଂଲଣ୍ଡ ଫେଭରାଇଟ୍‌ ଦଳ ବୋଲି ସେ କହିଛନ୍ତି। ଗତ ଦୁଇବର୍ଷ ହେବ ଇଂଲଣ୍ଡ କ୍ରମାଗତ ଭାବେ ସ୍ଥିର ପ୍ରଦର୍ଶନ କରିଆସୁଛି। ତେବେ ବିଶ୍ୱକପ୍‌ରେ ଏକାଧିକ ଦଳ ବିପର୍ଯ୍ୟୟ ଘଟାଇବାର ଦକ୍ଷତା ରଖୁଛନ୍ତି। ତେଣୁ ପ୍ରତ୍ୟେକ ଦଳକୁ ପ୍ରତି ମ୍ୟାଚ୍‌ରେ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ପଡିବ। ଏହା ନ ହେଲେ ଦୁର୍ବଳ ଦଳଗୁଡିକ ମଧ୍ୟ ବିପର୍ଯ୍ୟୟ ଘଟାଇ ଆଗକୁ ଯାଇପାରିବେ ବୋଲି ଶାସ୍ତ୍ରୀ କହିଛନ୍ତି।

Share