ଉପରବେଡ଼ାର ଝିଅ

ପ୍ରଫେସର ଦମୟନ୍ତୀ ବେଶ୍ରା

ମୟୂରଭଞ୍ଜ ଜିଲା କୁସୁମୀ ବ୍ଲକ ଅନ୍ତର୍ଗତ ଉପରବେଡ଼ା ଗ୍ରାମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜନ୍ମ ୨୦ା୦୬ା୧୯୫୮ରେ। ଶ୍ରୀମତୀ ମୁର୍ମୁ ନିଜ ଗ୍ରାମର ପ୍ରାଥମିକ ବିଦ୍ୟାଳୟରୁ ଶିକ୍ଷା ଆରମ୍ଭ କରିଥିଲେ। ତୁଳସୀ ଦୁଇପତ୍ରରୁ ବାସିଲା ପରି ପିଲାଦିନରୁ ତାଙ୍କର ନିର୍ଭୀକତା, ଆମତ୍ବିଶ୍ୱାସ ଏବଂ ଦାୟିତ୍ୱ ତୁଲାଇବାର ଦକ୍ଷତା ଜଣାପଡୁଥିଲା। ଶ୍ରେଣୀରେ ପ୍ରଥମ ହେଉଥିଲେ। ସେସମୟରେ ଶ୍ରେଣୀରେ ପ୍ରଥମ ହେଉଥିବା ପିଲା ମନିଟର ହେଉଥିଲେ। କିନ୍ତୁ ସେ ଝିଅପିଲା ହୋଇଥିବାରୁ ପୁଅ ସହପାଠୀମାନେ ଦାବିକଲେ ପୁଅପିଲା ମନିଟର ହେଉ ବୋଲି। ମାତ୍ର ଦ୍ରୌପଦୀ ମୁର୍ମୁ ନିର୍ଭୀକଭାବରେ ଶିକ୍ଷକଙ୍କୁ କହିଲେ, ସେ ଶ୍ରେଣୀରେ ପ୍ରଥମ ହୋଇଥିବାରୁ ମନିଟର ହେବାର ଅଧିକାର ତାଙ୍କର। ଶିକ୍ଷକ ସେଥିରେ ଏକମତ ହୋଇ ତାଙ୍କୁ ମନିଟର କଲେ। ସେ ପ୍ରମାଣିତ କରିଥିଲେ ଝିଅମାନଙ୍କ ନିକଟରେ ନେତୃତ୍ୱ ନେବାର ଦକ୍ଷତା ରହିଛି ଏବଂ ସମସ୍ତ କାର୍ଯ୍ୟକୁ ସୁଚାରୁରୂପେ ନିର୍ବାହ କରିପାରିବେ।
ଭୁବନେଶ୍ୱର ୟୁନିଟ୍‌-୨ ଗାର୍ଲସ ହାଇସ୍କୁଲରୁ ମାଟ୍ରିକ, ବର୍ତ୍ତମାନର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରୁ ଆଇଏ ଏବଂ ବିଏ ଶିକ୍ଷାପ୍ରାପ୍ତ କରିଛନ୍ତି। ବିଏ ପଢୁଥିବା ସମୟରେ ଏକ ସାନ୍ତାଳୀ ନାଟକରେ ନାୟକ ଭୂମିକାରେ ଅଭିନୟ କରି ଉଚ୍ଚପ୍ରଶଂସିତ ହୋଇଥିଲେ। ଯେଉଁ ସମୟରେ ଛାତ୍ରୀମାନେ ପୁରୁଷ ଚରିତ୍ରରେ ଅଭିନୟ କରିବାକୁ ପଛଘଞ୍ଚା ଦେଉଥିଲେ, ସେତେବେଳେ ଦ୍ରୌପଦୀ ଆଗ୍ରହର ସହ ନାୟକ ଚରିତ୍ରକୁ ବାଛିନେଇଥିଲେ। ତାହାହିଁ ଦର୍ଶାଇ ଦିଏ ଆହ୍ବାନମୂଳକ କାର୍ଯ୍ୟ କରିବାରେ ତାଙ୍କର ନିଷ୍ଠା ଓ ଦୃଢ଼ମନୋବଳ।
ଏମ୍‌ଏ ପଢ଼ିବାର ଇଚ୍ଛା ଥାଇ ସୁଦ୍ଧା ସେ ଚାକିରି କରିବାକୁ ମନସ୍ଥ କରିଥିଲେ। କାରଣ ଚାକିରି କଲେ ବାପାଙ୍କୁ ସାହାଯ୍ୟ କରିପାରିବେ। ଚାକିରି ପାଇଁ ଦରଖାସ୍ତ କଲେ, ପରୀକ୍ଷା ଦେଲେ ଏବଂ କ଼ୃତକାର୍ଯ୍ୟ ହୋଇ ଓଡ଼ିଶା ସରକାରଙ୍କ ଜଳସେଚନ ବିଭାଗରେ ଚାକିରି କଲେ ମାସିକ ୨୫୫ ଟଙ୍କା ବେତନରେ। ଚାକିରି ପରେ ପାହାଡ଼ପୁର ନିବାସୀ ଶ୍ୟାମଚରଣ ମୁର୍ମୁଙ୍କୁ ବିବାହ କରି କନ୍ୟାରନତ୍ଟିଏ ପାଇଥିଲେ। ମାତ୍ର ୩ବର୍ଷ ପରେ ସେ ହୋଇଗଲେ ଦୂର ଆକାଶର ତାରା। ଏହାପରେ ସେ ଚାକିରି ଛାଡ଼ି ରାଇରଙ୍ଗପୁରକୁ ଫେରି ଆସିଲେ। ପରେ ତାଙ୍କ କୋଳକୁ ଆସିଥିଲେ ୨ପୁଅ ଓ ଝିଅଟିଏ। ପିଲାମାନେ ବଡ଼ ହେଲା ପରେ ସମାଜସେବାରେ ମନୋନିବେଶ କରିଥିଲେ। ରାଇରଙ୍ଗପୁରରେ ଥିବା ଆଦିବାସୀ ସମାଜ ଶିକ୍ଷା ଓ ସଂସ୍କୃତି ସଂଘ ସହ ଜଡ଼ିତ ଥିବାରୁ ସେଠାରେ ପିଲାଙ୍କୁ ଗଣିତ ଓ ଇଂରାଜୀ ପଢ଼ାଉଥିଲେ। ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ମଧ୍ୟ ଶିକ୍ଷାଦାନ ଦେଇଥିଲେ ବିନା ବେତନରେ। ଏହି ସମୟରେ ରାଜନୀତିରେ ପ୍ରବେଶ ପାଇଁ ତାଙ୍କୁ ସୁଯୋଗ ମିଳିଲା। ଅଚାନକ ଜୀବନର ଗତିପଥର ମୋଡ଼ ପରିବର୍ତ୍ତନ ହେଲା। ନିର୍ବାଚନରେ ବିଜୟୀ ହୋଇ ପ୍ରଥମେ କାଉନ୍‌ସିଲର, ପରେ ଉପାଧ୍ୟକ୍ଷ ହେଲେ ରାଇରଙ୍ଗପୁର ବିଜ୍ଞପିତ ଅଞ୍ଚଳ ପରିଷଦର। ସେଇଠାରୁ ଆରମ୍ଭ ହେଲା ରାଜନୀତିର ଜୟଯାତ୍ରା। ଆଉ ପଛକୁ ଫେରିଚାହିଁ ନାହାନ୍ତିି। ଆଗେଇ ଚାଲିଛି ଚରୈବତି ଚରୈବତି ରୀତିରେ। ପ୍ରଥମେ ବିଧାୟିକା, ତା’ପରେ ମନ୍ତ୍ରୀ, ଭାଜପାର ରାଜ୍ୟ ଆଦିବାସୀ ସଭାନେତ୍ରୀ ଏବଂ ଝାଡ଼ଖଣ୍ଡର ହୋଇଛନ୍ତି ରାଜ୍ୟପାଳ। ସେ ହୋଇଛନ୍ତି ପ୍ରଥମ ଆଦିବାସୀ ମହିଳା ରାଜ୍ୟପାଳ। ପ୍ରତ୍ୟେକ ପଦବୀରେ ସେ ଉଲ୍ଲେଖନୀୟ କାର୍ଯ୍ୟକରି ଲୋକପ୍ରିୟ ହୋଇପାରିଛନ୍ତି।
ଉପାଧ୍ୟକ୍ଷ ଭାବରେ ସେ ରାଇରଙ୍ଗପୁର ସହରକୁ ସ୍ବଚ୍ଛ ଓ ସୁନ୍ଦର କରିବାରେ ସଫଳ ହୋଇ ପାରିଥିଲେ। ବିଧାୟିକା ଥିବାବେଳେ କୁସୁମୀ ବ୍ଲକ, ବିଜାତଳା ବ୍ଲକ, ରାଇରଙ୍ଗପୁର ବ୍ଲକ, ରାଇରଙ୍ଗପୁର ଏନ୍‌ଏସିରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସୁଚାରୁରୂପେ ନିର୍ବାହ କରିଥିବାରୁ ତାଙ୍କୁ ଶ୍ରେଷ୍ଠ ବିଧାୟିକା ଭବେ ନୀଳକଣ୍ଠ ଦାସ ପୁରସ୍କାର ମଧ୍ୟ ମିଳିଛି। ସେ ମନ୍ତ୍ରୀ ଥିବା ସମୟରେ‘ଜହ୍ନମାମୁ’ ପତ୍ରିକା ଅନୂଦିତ ହୋଇ ସାନ୍ତାଳୀ ଭାଷାରେ ‘ଚାନ୍ଦମାମ’ ନାମରେ ପ୍ରକାଶିତ ହେଉଥିଲା। କେବଳ ସେତିକି ନୁହେଁ ତାଙ୍କର ସବୁଠାରୁ ବଡ଼ ଉଦ୍ୟମ ଥିଲା ସାନ୍ତାଳୀ ଭାଷାକୁ ସାମ୍ବିଧାନିକ ମାନ୍ୟତା ପ୍ରଦାନ। ଶ୍ରୀମତୀ ମୁର୍ମୁ ଯେତେବେଳେ ଆଦିବାସୀ ଉପଦେଷ୍ଟା ପରିଷଦର ସଦସ୍ୟା ଥିଲେ ସେତେବେଳେ ମୁଖ୍ୟମନ୍ତ୍ରୀଙ୍କ ସମ୍ମୁଖରେ ସାନ୍ତାଳୀ ଭାଷା ପ୍ରସଙ୍ଗ ଉଠାଇ ତାଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ। ମୁଖ୍ୟମନ୍ତ୍ରୀ ମଧ୍ୟ ଏହାକୁ ସୁପାରିସ କରିଥିଲେ। ସେତେବେଳେ କେନ୍ଦ୍ରରେ ଭାଷା କମିଟିର ଅଧ୍ୟକ୍ଷ ଥଲେ ରଙ୍ଗନାଥ ମିଶ୍ର। ସେ ମଧ୍ୟ ଅନୁକୂଳ ସୁପାରିସ କରିଥଲେ। ଏହାପରେ ସେ ବାଲେଶ୍ୱରର ପୂର୍ବତନ ଏମ୍‌ପି ଖାରବେଳ ସ୍ବାଇଁଙ୍କ ସହ ତକତ୍ାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ସାକ୍ଷାତ କରି ଦାବି ଜଣାଇଥିଲେ। ବାଜପେୟୀ ସାନ୍ତାଳୀ ଭାଷାର ମହତ୍ତ୍ୱକୁ ଉପଲବ୍ଧି କରି ସାମ୍ବିଧାନିକ ସ୍ବୀକୃତି ଦେବାପାଇଁ ସୁପାରିସ କରିଥିଲେ। ଶେଷରେ ସାନ୍ତାଳୀ ଭାଷା ସମ୍ବିଧାନର ଅଷ୍ଟମ ଅନୁସୂଚୀରେ ସ୍ଥାନିତ ହେଲା। ଏଥିରେ ଦ୍ରୌପଦୀ ମୁର୍ମୁଙ୍କର ନିରନ୍ତର ଉଦ୍ୟମ ଥିବାରୁ ସାନ୍ତାଳମାନେ ଚିରଦିନ କୃତଜ୍ଞ ରହିବେ ତାଙ୍କ ନିକଟରେ।
ଝାଡ଼ଖଣ୍ଡର ରାଜ୍ୟପାଳ ଥିବା ସମୟରେ ଶିକ୍ଷାକ୍ଷେତ୍ରରେ ସେ ଅନେକ ସଂସ୍କାର ଆଣିଥିଲେ। ସେଠାକାର ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକରେ ଠିକ୍‌ ସମୟରେ ପରୀକ୍ଷା ହେଉ ନ ଥିଲା। ଫଳରେ ଅନେକ ଛାତ୍ରୀଛାତ୍ର ଅସୁବିଧାର ସମ୍ମୁଖୀନ ହେଉଥିଲେ। ତେଣୁ ଠିକ୍‌ ସମୟରେ ପରୀକ୍ଷାଫଳ ପ୍ରକାଶ କରିବା ପାଇଁ ନିର୍ଦ୍ଦେଶ ଦେଇ ଶିକ୍ଷା ବ୍ୟବସ୍ଥାକୁ ନିୟମିତ କରିଥିଲେ।
ଶ୍ରୀମତୀ ମୁର୍ମୁ ପରିବେଶ ସୁରକ୍ଷା ନିମନ୍ତେ ରାଜଭବନ ପରିସରରେ ପାଞ୍ଚଶତ ଶାଳବୃକ୍ଷ ରୋପଣ କରିଛନ୍ତି। ତାଙ୍କ ଅନ୍ତେ ଆଉ ଜଣେ ଏ ପୃଥିବୀକୁ ତାଙ୍କ ଆଖିରେ ଦେଖୁ, ସେଥିପାଇଁ ସେ ଚକ୍ଷୁଦାନ ପାଇଁ ଅନୁବନ୍ଧିତ ହୋଇଛନ୍ତି। ଏହିପରି ଅନେକ ଜନହିତକର କାର୍ଯ୍ୟ ସମ୍ପନ୍ନ ହୋଇଛି ତାଙ୍କ ଦ୍ୱାରା। ବ୍ୟକ୍ତିଗତ ହେଉ ବା ସାମୂହିକ, ଯେଉଁମାନେ ତାଙ୍କର ବଦାନ୍ୟତାକୁ ଅନୁଭବ କରିଥିବେ ଅନ୍ତରରୁ କୃତଜ୍ଞତା ଜ୍ଞାପନ କରୁଥିବେ ନିଶ୍ଚିତ ରୂପେ।
ସମଗ୍ର ନାରୀଜାତିର ସେ ପ୍ରେରଣା। ନାରୀଶକ୍ତିର ଦୃଷ୍ଟାନ୍ତ। ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି। ଭାରତବର୍ଷର ସର୍ବକନିଷ୍ଠ ରାଷ୍ଟ୍ରପତି। ଆଦିବାସୀଙ୍କ ମଉଡମଣି। ଓଡ଼ିଶା ମାଟିର, ମୟୂରଭଞ୍ଜ ଜିଲାର ଗର୍ବ ଓ ଗୌରବ।
ରାଜନୀତିରେ ସର୍ବୋଚ୍ଚ ପଦବୀର ଅଧିକାରିଣୀ ରାଷ୍ଟ୍ରପତି ମୁର୍ମୁଙ୍କ ବ୍ୟକ୍ତିଗତ ଜୀବନ କିନ୍ତୁ ଅନେକ ଦୁର୍ଘଟଣାରେ ପରିପୂର୍ଣ୍ଣ। ଅଜଣା ଅନାମଧେୟ ଅସମୟର ମହାବାତ୍ୟା ଓ ସୁନାମି ତାଙ୍କ ପରିବାରକୁ ଛାରଖାର କରି ଦେଇଛି। ଏକମାତ୍ର କନ୍ୟା ବର୍ତ୍ତମାନ ତାଙ୍କ ସାଥିରେ। ସେ କିନ୍ତୁ ସମସ୍ତଙ୍କର। ସେ ଉପବେଡା଼ର ଝିଅ, ପାହାଡ଼ପୁରର ବଧୂ। ସବୁବେଳେ ଉପରେ। ପାହାଡ଼ର ଶୀର୍ଷ ଦେଶରେ। ଖୁସିରେ ଯେତେବେଳେ ନାଚନ୍ତି ସର୍ବାଗ୍ରେ ଥାଆନ୍ତି। ସବୁ ନାରୀକୁ ସତେ ଯେପରି ହାତ ଧରିନେଉଛନ୍ତି ଆଗକୁ ଆଗକୁ ପଥ କଢ଼ାଇ। ପ୍ରଜାପିତା ବ୍ରହ୍ମାକୁମାରୀ ଆଶ୍ରିତା, ଆଧ୍ୟାମତ୍ିକ ମାର୍ଗରେ ପରିଚାଳିତା, ରାଜଯୋଗରେ ନିବିଷ୍ଟ ମୁର୍ମୁଙ୍କୁ ଦୁଃଖ ଛୁଇଁପାରିନାହଁ, ବରଂ ସେ ଧୈର୍ଯ୍ୟରେ ଉତ୍ତୁଙ୍ଗ ପାହାଡ଼, ସହନଶୀଳତାରେ ଧରିତ୍ରୀ, ସମଦୃଷ୍ଟିରେ ଅମ୍ବର, ଶ୍ରଦ୍ଧାଶୀଳରେ ସାଗର ପାଲଟିଯାଇଛନ୍ତି। ତାଙ୍କ ଅଭିଭାଷଣରେ ରବର୍ଟ ଫ୍ରଷ୍ଟଙ୍କ ଲିଖିତ ଏବଂ ମାୟାଧର ମାନସିଂହ ଅନୂଦିତ ସ୍ମରଣୀୟ ପଦକୁ ସେ ବାରବାର ଉଦ୍ଧାର କରି କହନ୍ତି-
ସୁନ୍ଦର ଯେତିକି ଅନ୍ଧାର ସେତିକି
ଏଇ ଯେ ଗହନ ବନ
ତେଣୁ ତୁ ଆପଣା ସଂକଳ୍ପେ ଅଚଳ
ଅଟଳ ରହରେ ମନ।
ଆଗରେ ପଡ଼ିଛି ପଥବହୁ ଦୂର
ଆହୁରି କେତେ ଯେ ବାକି
ଚାଲିବି ଚାଲିବି ନ ପଡ଼ିବି ଥକି
ମୁଦିବା ଆଗରୁ ଆଖି।
ଜୀବନର ଅନ୍ୟ ନାମ ଚାଲିବା। ସେ ଆଗକୁ ଚାଲିବାରେ ବିଶ୍ୱାସୀ। ଏ ପୃଥିବୀ ସର୍ବଦା ଚଳନଶୀଳ। ଆମେ ଅଟକି ଯିବା କାହିଁକି? ଏଇ ଆମତ୍ବିଶ୍ୱାସ ତାଙ୍କୁ ସବୁଠାରୁ ଉଚ୍ଚରେ ଥିବା ବେଡ଼ା (ରାଇସିନା ହିଲ୍‌) ରେ ପହଞ୍ଚାଇପାରିଛି। ତାଙ୍କର ଜନ୍ମ ସବୁବେଳେ ଉପରବେଡ଼ାରେ ରହିବା ପାଇଁ। ବାସ୍ତବିକ ସେ ଉପରବେଡ଼ାର ଝିଅ।
– ମଧୁବନ, ବାରିପଦା
ମୋ: ୯୪୩୭୩୪୯୮୯୧


Enter your email to get our daily news in your inbox.

All Right Reserved By Dharitri.Com

ଅବକ୍ଷୟମୁଖୀ ଜାତୀୟ ଚରିତ୍ର

ଯଦି ଆମେ ଜାତୀୟ ଚରିତ୍ର ଉପରେ ଆଲୋକପାତ କରିବା ତେବେ ଆମର ଦୃଶ୍ୟପଟରେ ସ୍ବାଧୀନତା ପୂର୍ବର ସ୍ବାଧୀନତା ସଂଗ୍ରାମୀଙ୍କ ଚରିତ୍ର, ମୌଳିକ ଆଦର୍ଶ, ତ୍ୟାଗ, ତିତିକ୍ଷା,...

୨୦୨୫-ସଂସ୍କାରର ବର୍ଷ

ଭାରତ ବିଶ୍ୱ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଆମ ଲୋକଙ୍କର ଅଭିନବ ଚିନ୍ତାଧାରା କାରଣରୁ ଏହା ସମ୍ଭବ ହୋଇପାରିଛି। ଆଜି ଦୁନିଆ ଭାରତକୁ ଆଶା ଓ...

ରଙ୍ଗ ବଦଳୁଛି

ନିଶ୍ଚିତ ଭାବେ କୁହାଯାଇପାରେ, ପରିବେଶ ଓ ପରିସଂସ୍ଥାନ ବିଗିଡ଼ିଗଲେ ତାହାର ପ୍ରଭାବ ପ୍ରାଣୀ ଓ ଉଦ୍ଭିଦଜଗତ ଉପରେ ପଡ଼ିବ। ନିଜର ସ୍ବାର୍ଥ ସାଧନ ପାଇଁ ପ୍ରକୃତିର...

ଏଇ ଭାରତରେ

ରାଜସ୍ଥାନର କୋଲିଆ ଗାଁର ଗୁପ୍ତା ପରିବାରର ପ୍ରୟାସରେ ଅନେକ ହଜାର ମହିଳା ସଶକ୍ତହେବା ସହ ରୋଜଗାରକ୍ଷମ ହୋଇପାରିଛନ୍ତି। ୨୦୧୫ରେ ଏକ କୌଶଳ ବିକାଶ କେନ୍ଦ୍ର ଖୋଲି...

ଉତ୍ସବ ଓ ଭାଷଣ

ଗୋଟିଏ ବର୍ଷ ସରୁଛି, ଆଉ ଗୋଟିଏ ଆସୁଛି। ଏଇ ଗମନାଗମନ ବେଳରେ ସାରା ରାଇଜ ଉତ୍ସବମୁଖର ହୋଇଉଠିଛି। ଶିକ୍ଷା ଅନୁଷ୍ଠାନରେ ଚାଲିଛି କ୍ରୀଡ଼ା ଉତ୍ସବ, ପୁରସ୍କାର...

ପେନ୍‌ସନ୍‌ଭୋଗୀଙ୍କ ଆଶଙ୍କା

ଏବେ ସାମାଜିକ ଗଣମାଧ୍ୟମରେ ଗୋଟିଏ ବାର୍ତ୍ତା ପ୍ରଚାରିତ ହେଉଛି ଯେ ଆଗାମୀ ଅଷ୍ଟମ ଦରମା ଆୟୁକ୍ତଙ୍କ ସୁପାରିସରେ ପେନ୍‌ସନଭୋଗୀଙ୍କ ପେନ୍‌ସନ୍‌ ପରିମାଣ ପୁନଃ ନିର୍ଦ୍ଧାରିତ ହେବନାହିଁ।...

ନୀରବ ଘାତକ

ବାୟୁ ପ୍ରଦୂଷଣ କୋଭିଡ୍‌ ପରବର୍ତ୍ତୀ କାଳରେ ଭାରତର ସବୁଠାରୁ ଗମ୍ଭୀର ଜନସ୍ବାସ୍ଥ୍ୟ ସଙ୍କଟ ବୋଲି ଜଣାପଡ଼ିଛି। ଚିକିତ୍ସା ବିଶେଷଜ୍ଞମାନେ ସତର୍କ କରାଇଛନ୍ତି ଯେ, ଜରୁରୀ ଓ...

ଏଇ ଭାରତରେ

ତ୍ରିପୁରା ସେପାହିଜାଲା ଜିଲାରେ ଅତ୍ୟଧିକ ବାଲ୍ୟବିବାହ ହୋଇଥାଏ। ଏବେ କିନ୍ତୁ ତାହା ବହୁ ପରିମାଣରେ କମିଯାଇଛି। ସେପାହିଜାଲା ଜିଲାପାଳ ସିଦ୍ଧାର୍ଥ ଜୟସ୍ବାଲଙ୍କ ଦ୍ୱାରା ଏହା ସମ୍ଭବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri