ଉପକୂଳ ଅତିକ୍ରମ କରୁଛି ‘ଅମ୍ଫନ୍‌’: ଉପକୂଳବର୍ତ୍ତୀ ଜିଲାରେ ପ୍ରବଳ ଝଡ଼ବର୍ଷା, ଅପରାହ୍ନ ସୁଦ୍ଧା ପବନର ବେଗ ଆହୁରି ବଢ଼ିବା ସମ୍ଭାବନା

ଭୁବନେଶ୍ୱର,୨୦।୫(ବ୍ୟୁରୋ): ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ଅମ୍ଫନ୍‌’ ଉତ୍ତର, ଉତ୍ତର ପଶ୍ଚିମ ଦିଗ ଦେଇ ଗତି କରୁଛି। ପାରାଦୀପଠାରୁ ୧୨୦ କିମି, ପାରାଦୀପର ଦକ୍ଷିଣ ପୂର୍ବ ଦିଗରୁ ୧୨୩ କିମି, ପଶ୍ଚିମବଙ୍ଗର ଦୀଘାଠାରୁ ଦକ୍ଷିଣ ପୂର୍ବ ଦିଗ ୧୭୦ କିମି ଏବଂ ବାଂଲାଦେଶର ଖେପୁରାର ପଶ୍ଚିମ-ଦକ୍ଷିଣ ପଶ୍ଚିମ ଦିଗଠାରୁ ୩୨୦ କିମି ଦୂର ଦେଇ ବାତ୍ୟା ଗତି କରୁଛି। ବର୍ତ୍ତମାନ ଏହାର ବେଗ ଘଣ୍ଟା ପ୍ରତି ୧୭୫-୧୮୦ କିମି ରହିଥିବା ପାଣିପାଗ ବିଭାଗ ପକ୍ଷରୁ ବୁଧବାର ସୂଚନା ଦିଆଯାଇଛି। ଅପରାହ୍ନ ୫ଟାରୁ ୭ଟା ମଧ୍ୟରେ ସୁନ୍ଦରବନ ନିକଟ ଦେଇ ବାତ୍ୟା ସ୍ଥଳଭାଗ ଅତିକ୍ରମ କରିବାର ସମ୍ଭାବନା ରହିଛି। ବାତ୍ୟା ପ୍ରଭାବରେ ଉପକୂଳ ଓଡ଼ିଶାରେ ବୁଧବାର ଭୋର୍‌ରୁ ବର୍ଷା ସହ ଝଡ଼ ତୋଫାନ ଲାଗି ରହିଛି। କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କଟକ, ବାଲେଶ୍ୱର, ଭଦ୍ରକ, ଯାଜପୁର ଏବଂ ମୟୂରଭଞ୍ଜରେ ବର୍ଷା ହେଉଥିବା ସୂଚନା ମିଳିଛି।

ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ ପାରାଦୀପରେ ଘଣ୍ଟାପ୍ରତି ୮୯ କିମି ବେଗରେ ପବନ ବହୁଥିବା ବେଳେ ଚାନ୍ଦବାଲିରେ ୭୦, ଭୁବନେଶ୍ୱରରେ ୫୫, ବାଲେଶ୍ୱର ୧୦୦, ପୁରୀ ୫୦ କିମି ବେଗରେ ପବନ ବହୁଛି। ଏଥିସହ ବର୍ଷା ପରିମାଣ ମଧ୍ୟ ବହୁମାତ୍ରାରେ ବଢ଼ିଛି। ପାରାଦୀପରେ ୨୨୩.୮ ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ଚାନ୍ଦବାଲିରେ ୭୫.୨, ଭୁବନେଶ୍ୱର ୫୮, ବାଲେଶ୍ୱର ୭୧.୩, ପୁରୀ ୯୮.୨ ଏବଂ ଗୋପାଳପୁରରେ ୮.୬ ମିମି ବର୍ଷା ସକାଳ ୯ଟା ସୁଦ୍ଧା ରେକର୍ଡ କରାଯାଇଛି। ବାତ୍ୟା ବର୍ତ୍ତମାନ ଉତ୍ତର, ଉତ୍ତରପୂର୍ବ ଦିଗ ଦେଇ ଘଣ୍ଟାପ୍ରତି ୨୨ କିମି ବେଗରେ ଗତି କରୁଛି। ଆସନ୍ତା ୧୨ ଘଣ୍ଟା ମଧ୍ୟରେ ୬ ଘଣ୍ଟା ମଧ୍ୟରେ ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଜିଲାରେ ଘଣ୍ଟାପ୍ରତି ୧୧୦-୧୨୫ କିମି ବେଗରେ ପବନ ବହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।