ଉଦ୍ଭାବନରେ ପଛୁଆ

ଆକାର ପଟେଲ
କିଛି ସପ୍ତାହ ତଳେ ଭାରତରେ ସ୍ମାର୍ଟଫୋନ୍‌ ଶିଳ୍ପ ସମ୍ପର୍କରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା। ଖାଉଟି ଅର୍ଥନୀତିର ଏହା ଅନ୍ୟତମ ଅତି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର, ଯାହାର ବିଶାଳ ବାର୍ଷିକ ଅଭିବୃଦ୍ଧି ସହିତ ବିରାଟ ଆକାର ରହିଛି। ଭାରତର ସ୍ମାର୍ଟଫୋନ୍‌ ବଜାରରେ ଅଗ୍ରଣୀ ହେଉଛି ଚାଇନିଜ୍‌ କମ୍ପାନୀ ଶାଓମି, ଯାହାର ୩୦ ପ୍ରତିଶତ ବଜାର ଅଂଶ ରହିଛି। ତା’ ତଳକୁ ଦୁଇ ନମ୍ବର ସ୍ଥାନରେ ରହିଛି ୨୨ ପ୍ରତିଶତ ବଜାର ଅଂଶ ସହ ଦକ୍ଷିଣ କୋରିଆର ସାମ୍‌ସଙ୍ଗ। ତିନି, ଚାରି ଓ ପାଞ୍ଚ ନମ୍ବରରେ ମଧ୍ୟ ସେଇ ଚାଇନିଜ୍‌ କମ୍ପାନୀ ଭିଭୋ, ଓପ୍ପୋ ଓ ରିଅଲ୍‌ମି ରହିଛନ୍ତି। କୌଣସି ଭାରତୀୟ କମ୍ପାନୀ ଏ ଯାଏ କୌଣସି ଉପଯୋଗୀ ଉତ୍ପାଦ ତିଆରି କରି ବଜାରକୁ ଛାଡ଼ିପାରି ନାହାନ୍ତି। ଫାଉଣ୍ଡିଙ୍ଗ୍‌ ଫୁଏଲ୍‌ ନାମକ ଏକ ଓ୍ବେବ୍‌ସାଇଟ୍‌ରେ ମୁଁ ନିକଟରେ ଗୋଟିଏ କଥା ପଢ଼ିଥିଲି। ସେଥିରେ ଏକ ସାକ୍ଷାତ୍‌କାରରେ ଇନ୍‌ଫୋସିସ୍‌ର ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତି କହିଛନ୍ତି: ଗତ ୬୦ ବର୍ଷ ଭିତରେ ଭାରତରେ ଗୋଟିଏ ହେଲେ ଉଦ୍ଭାବନ ହୋଇନାହିଁ। ବିଶ୍ୱନାଗରିକଙ୍କୁ ଖୁସି କଲାଭଳି ଉଦ୍ଭାବନ ପାଇଁ ବାଟ କଢ଼ାଇନେବା ନିମନ୍ତେ ଭାରତ ଗୋଟିଏ ହେଲେ ଚିନ୍ତା (ଆଇଡିଆ) ସୃଷ୍ଟି କରିପାରି ନାହିଁ।
ଆମେ ପ୍ରଥମେ ଦୁଇଟି ଜିନିଷ ଉପରେ ବିଚାର କରିବା। ପ୍ରଥମତଃ ଏହା କ’ଣ ସତ? କୌଣସି ଉଦ୍ଭାବନ ବା ଉତ୍ପାଦ ଅଛି କି ନାହିଁ, ସେ ବିଷୟରେ ମୁଁ ଆଗରୁ କିଛି ଚିନ୍ତା କରିନାହିଁ ବା ପ୍ରସ୍ତୁତ ହୋଇନାହିଁ। କିନ୍ତୁ ଯଦି ପୃଥିବୀରେ ଆଲୋଡ଼ନ ସୃଷ୍ଟି କଲାଭଳି କୌଣସି ଉଦ୍ଭାବନ ଥାନ୍ତା, ତେବେ ନିଶ୍ଚିତଭାବେ ଏହା କମ୍ପାନୀକୁ ବଡ଼ କରିତୋଳିଥାନ୍ତା। ତେଣୁ ମୁଁ ୨୦୧୮ରେ ଭାରତର ସବୁଠୁ ବଡ଼ ୧୦ଟି କମ୍ପାନୀର ତାଲିକା ଦେଖିଲି। ସେଗୁଡ଼ିକ ହେଉଛି: ଭାରତୀୟ ତୈଳ ନିଗମ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌, ଓଏନ୍‌ଜିସି, ଷ୍ଟେଟ୍‌ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ, ଟାଟା ମୋଟର୍ସ, ଭାରତ ପେଟ୍ରୋଲିୟମ୍‌, ହିନ୍ଦୁସ୍ତାନ ପେଟ୍ରୋଲିୟମ୍‌, ରାଜେଶ ଏକ୍ସପୋର୍ଟସ୍‌, ଟାଟା ଷ୍ଟିଲ୍‌ ଓ କୋଲ୍‌ ଇଣ୍ଡିଆ। ଏଗୁଡ଼ିକ ମଧ୍ୟରୁ କେବଳ ଟାଟା ମୋଟର୍ସ (ଅଟୋମାବାଇଲ୍‌ସ) ଓ ରାଜେଶ ଏକ୍ସପୋର୍ଟସ୍‌ (ଅଳଙ୍କାର) ଖାଉଟି ସାମଗ୍ରୀର ଉତ୍ପାଦନ ଓ ବିକ୍ରି କରନ୍ତି। ଏହି ତାଲିକାରେ ବିଶ୍ୱରେ ଆଲୋଡନ ସୃଷ୍ଟି କଲାଭଳି ଉତ୍ପାଦ ନାହିଁ। ତେଣୁ ମନେହୁଏ ମୂର୍ତ୍ତିଙ୍କ କଥା ସତ।
ଦ୍ୱିତୀୟରେ ଆମେ ଏହାର କାରଣ ସମ୍ପର୍କରେ ବିଚାର କରିବା। ଏହାର ଉତ୍ତର ଦେବା ସହଜ ନୁହେଁ କାରଣ ଆମକୁ ଅନୁମାନ ଓ ତତ୍ତ୍ୱ ଉପରେ ଭିତ୍ତି କରି ଉତ୍ତର ଖୋଜିବାକୁ ପଡ଼ିବ। ତଥାପି ଆମେ ଚେଷ୍ଟା କରିବା। ଉକ୍ତ ସାକ୍ଷାତ୍‌କାରରେ ମୂର୍ତ୍ତି କହିଥିଲେ ଯେ, ଆମର ଯୁବବର୍ଗ ପାଶ୍ଚାତ୍ୟ ବିଶ୍ୱବିଦ୍ୟାଳୟଗୁଡ଼ିକର ଛାତ୍ରମାନଙ୍କ ପରି ସମାନ ମେଧା ଓ ଶକ୍ତିର ଅଧିକାରୀ ହୋଇଥିଲେ ମଧ୍ୟ ସେମାନେ କୌଣସି ପ୍ରଭାବଶାଳୀ ଗବେଷଣା କରୁନାହାନ୍ତି। ସେ କହିଛନ୍ତି ଯେ, ମାସାଚୁସେଟ୍‌ସ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜିକୁ ଦେଖି ତାହାରି ଢାଞ୍ଚାରେ ନେହେରୁ ଆଇଆଇଟିର ପରିକଳ୍ପନା କରିଥିଲେ। କିନ୍ତୁ ମାସାଚୁସେଟ୍‌ସ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି ମାଇକ୍ରୋଚିପ୍‌ ଓ ଗ୍ଲୋବାଲ୍‌ ପୋଜିଶନିଂ ସିଷ୍ଟମ୍‌ (ଜିପିଏସ୍‌) ଉଦ୍ଭାବନ କରିଥିବା ବେଳେ ଆଇଆଇଟି ଏପର୍ଯ୍ୟନ୍ତ କ’ଣ କରିଛି? ସତକଥା କହିବାକୁ ଗଲେ ଆଇଆଇଟି ଏପର୍ଯ୍ୟନ୍ତ ଦେଖାଇଲା ଭଳି ସେପରି କିଛି କରିନାହିଁ। ଆହୁରି ଅନ୍ୟ କିଛି ଜିନିଷ ମଧ୍ୟ ଅଛି, ଯେଉଁଥିରୁ ଉଦ୍ଭାବନ ଓ ନବୋନ୍ମେଷ କ୍ଷେତ୍ରରେ ବିଶ୍ୱରେ ଆମର ସ୍ଥାନ କେଉଁଠି ତାହା ସ୍ପଷ୍ଟ ହୋଇଯିବ। ଗତବର୍ଷ ପ୍ରଥମ ଥର ପାଇଁ ଚାଇନା ବିଶ୍ୱର ୨୦ଟି ପ୍ରମୁଖ ନବୋନ୍ମେଷଶାଳିନୀ ଅର୍ଥନୀତି ଭିତରେ ସ୍ଥାନ ପାଇଛି। ଏହି ତଥ୍ୟ ବିଶ୍ୱ ବୌଦ୍ଧିକ ସମ୍ପତ୍ତି ସଂଗଠନ ଦ୍ୱାରା ପ୍ରକାଶ ପାଇଛି ଏହା ଉଦ୍ଭାବନ ଓ ପ୍ୟାଟେଣ୍ଟ ଉପରେ ଦୃଷ୍ଟି ଦେଇ ଏହା ପ୍ରକାଶ କରିଛି। ବିଶ୍ୱ ନବୋନ୍ମେଷ ସୂଚକାଙ୍କରେ ପ୍ରମୁଖ ୧୦ଟି ଦେଶ ହେଉଛନ୍ତି ସ୍ବିଜରଲାଣ୍ଡ, ନେଦରଲାଣ୍ଡ, ସ୍ବିଡେନ୍‌, ଇଂଲଣ୍ଡ, ସିଙ୍ଗାପୁର, ଆମେରିକା, ଫିନ୍‌ଲାଣ୍ଡ, ଡେନ୍‌ମାର୍କ, ଜର୍ମାନୀ ଓ ଆୟର୍ଲାଣ୍ଡ। ଏ କ୍ଷେତ୍ରରେ ୧୭ ନମ୍ବର ସ୍ଥାନରେ ଥିବା ଚାଇନା ଗବେଷଣା ଓ ବିକାଶକୁ ତ୍ୱରାନ୍ବିତ କରିବା ଲାଗି ସରକାରୀ ନୀତି ପ୍ରଣୟନ କରିଛି।
ବର୍ତ୍ତମାନ ଡିଜିଟାଲ ଦୁନିଆ ଓ କୃତ୍ରିମ ମେଧା କ୍ଷେତ୍ରରେ ଦ୍ରୁତ ବିକାଶ ଘଟିବା ସହ ବିଶ୍ୱ ଇତିହାସ ଏକ ନୂତନ ମୋଡ଼ ନେବାରେ ଲାଗିଛି। ସ୍ବୟଂଚାଳିତ କାର୍‌ ଏବଂ ଔଷଧ ଓ ଜେନିଟିକ୍ସ କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି ଘଟୁଛି। ବିଶ୍ୱର ଏକଷଷ୍ଠାଂଶ ଜନସଂଖ୍ୟା ଥିବା ଭାରତ ପରି ଦେଶର ଏ କ୍ଷେତ୍ରରେ ଅବଦାନ ଶୂନ। ବିଶ୍ୱ ନବୋନ୍ମେଷ ସୂଚକାଙ୍କରେ ଭାରତର ସ୍ଥାନ ୫୭। ଏହା ଆମ୍ଭମାନଙ୍କ ମଧ୍ୟରୁ ଅନେକଙ୍କୁ ଆଶ୍ଚର୍ଯ୍ୟାନ୍ବିତ କରିବ କାରଣ ଆମେ ବିଶ୍ୱାସ କରୁଛୁ ଯେ ସୂଚନା ପ୍ରଯୁକ୍ତି ଆନ୍ଦୋଳନ କ୍ଷେତ୍ରରେ ଭାରତ ହେଉଛି ଅନ୍ୟତମ ଅଗ୍ରଣୀ ଦେଶ। କିନ୍ତୁ ବାସ୍ତବତା କିଛି ଅଲଗା ଏବଂ ସେଥିପାଇଁ ମୂର୍ତ୍ତିଙ୍କ କଥାକୁ ଆମକୁ ବିଶ୍ୱାସ କରିବାକୁ ପଡ଼ିବ। ଯଦି ଭାରତୀୟ ଯୁବକମାନେ ଅନ୍ୟ ଦେଶର ଯୁବକମାନଙ୍କ ପରି ମେଧାବୀ ଏବଂ ସେମାନଙ୍କୁ ଯଦି ସମାନ ସୁଯୋଗ ଦିଆଯାଉଥାଏ, ତେବେ ଆମେ କାହିଁକି ସେମାନଙ୍କ ସମକକ୍ଷ ହୋଇପାରୁ ନାହୁଁ? ପ୍ରକୃତରେ ନୂତନ ଗବେଷଣା ଓ ଉଦ୍ଭାବନ ପାଇଁ ଚାଇନା ଓ ଅନ୍ୟ ଦେଶ ପରି ଆମେ ସେତିକି ସୁବିଧା ସୁଯୋଗ ଦେଇପାରୁ ନାହୁଁ। ମୁଁ ଭାବୁଛି ବିଶ୍ୱରେ ଦ୍ରୁତ ପରିବର୍ତ୍ତନ ଘଟୁଥିବା ବେଳେ ଆମେ ଏ ଦିଗକୁ ଆଉ ଅଧିକ ଦିନ ଉପେକ୍ଷା କରିପାରିବା ନାହିଁ। ଆମେ ଯଦି ସମସ୍ୟାକୁ ବୁଝିବୁ ତେବେ ତା’ର ସମାଧାନ ପାଇଁ ନିଶ୍ଚୟ ବାଟ ବାହାର କରିପାରିବୁ।
Email: aakar.patel@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଅବକ୍ଷୟମୁଖୀ ଜାତୀୟ ଚରିତ୍ର

ଯଦି ଆମେ ଜାତୀୟ ଚରିତ୍ର ଉପରେ ଆଲୋକପାତ କରିବା ତେବେ ଆମର ଦୃଶ୍ୟପଟରେ ସ୍ବାଧୀନତା ପୂର୍ବର ସ୍ବାଧୀନତା ସଂଗ୍ରାମୀଙ୍କ ଚରିତ୍ର, ମୌଳିକ ଆଦର୍ଶ, ତ୍ୟାଗ, ତିତିକ୍ଷା,...

୨୦୨୫-ସଂସ୍କାରର ବର୍ଷ

ଭାରତ ବିଶ୍ୱ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଆମ ଲୋକଙ୍କର ଅଭିନବ ଚିନ୍ତାଧାରା କାରଣରୁ ଏହା ସମ୍ଭବ ହୋଇପାରିଛି। ଆଜି ଦୁନିଆ ଭାରତକୁ ଆଶା ଓ...

ରଙ୍ଗ ବଦଳୁଛି

ନିଶ୍ଚିତ ଭାବେ କୁହାଯାଇପାରେ, ପରିବେଶ ଓ ପରିସଂସ୍ଥାନ ବିଗିଡ଼ିଗଲେ ତାହାର ପ୍ରଭାବ ପ୍ରାଣୀ ଓ ଉଦ୍ଭିଦଜଗତ ଉପରେ ପଡ଼ିବ। ନିଜର ସ୍ବାର୍ଥ ସାଧନ ପାଇଁ ପ୍ରକୃତିର...

ଏଇ ଭାରତରେ

ରାଜସ୍ଥାନର କୋଲିଆ ଗାଁର ଗୁପ୍ତା ପରିବାରର ପ୍ରୟାସରେ ଅନେକ ହଜାର ମହିଳା ସଶକ୍ତହେବା ସହ ରୋଜଗାରକ୍ଷମ ହୋଇପାରିଛନ୍ତି। ୨୦୧୫ରେ ଏକ କୌଶଳ ବିକାଶ କେନ୍ଦ୍ର ଖୋଲି...

ଉତ୍ସବ ଓ ଭାଷଣ

ଗୋଟିଏ ବର୍ଷ ସରୁଛି, ଆଉ ଗୋଟିଏ ଆସୁଛି। ଏଇ ଗମନାଗମନ ବେଳରେ ସାରା ରାଇଜ ଉତ୍ସବମୁଖର ହୋଇଉଠିଛି। ଶିକ୍ଷା ଅନୁଷ୍ଠାନରେ ଚାଲିଛି କ୍ରୀଡ଼ା ଉତ୍ସବ, ପୁରସ୍କାର...

ପେନ୍‌ସନ୍‌ଭୋଗୀଙ୍କ ଆଶଙ୍କା

ଏବେ ସାମାଜିକ ଗଣମାଧ୍ୟମରେ ଗୋଟିଏ ବାର୍ତ୍ତା ପ୍ରଚାରିତ ହେଉଛି ଯେ ଆଗାମୀ ଅଷ୍ଟମ ଦରମା ଆୟୁକ୍ତଙ୍କ ସୁପାରିସରେ ପେନ୍‌ସନଭୋଗୀଙ୍କ ପେନ୍‌ସନ୍‌ ପରିମାଣ ପୁନଃ ନିର୍ଦ୍ଧାରିତ ହେବନାହିଁ।...

ନୀରବ ଘାତକ

ବାୟୁ ପ୍ରଦୂଷଣ କୋଭିଡ୍‌ ପରବର୍ତ୍ତୀ କାଳରେ ଭାରତର ସବୁଠାରୁ ଗମ୍ଭୀର ଜନସ୍ବାସ୍ଥ୍ୟ ସଙ୍କଟ ବୋଲି ଜଣାପଡ଼ିଛି। ଚିକିତ୍ସା ବିଶେଷଜ୍ଞମାନେ ସତର୍କ କରାଇଛନ୍ତି ଯେ, ଜରୁରୀ ଓ...

ଏଇ ଭାରତରେ

ତ୍ରିପୁରା ସେପାହିଜାଲା ଜିଲାରେ ଅତ୍ୟଧିକ ବାଲ୍ୟବିବାହ ହୋଇଥାଏ। ଏବେ କିନ୍ତୁ ତାହା ବହୁ ପରିମାଣରେ କମିଯାଇଛି। ସେପାହିଜାଲା ଜିଲାପାଳ ସିଦ୍ଧାର୍ଥ ଜୟସ୍ବାଲଙ୍କ ଦ୍ୱାରା ଏହା ସମ୍ଭବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri