ଉତ୍ତମ ବ୍ୟବହାର, ସେବା ମନୋଭାବ ରଖ: ଏସ୍‌ପି

ପୁରୀ ଅଫିସ୍‌,୬।୧୨: ଓଡ଼ିଶା ପୋଲିସର ଅବିଚ୍ଛେଦ୍ୟ ଅଙ୍ଗ ହେଉଛନ୍ତି ଗୃହରକ୍ଷୀ। ପୁରୀରେ ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ, ରଥଯାତ୍ରା ସମୟରେ ଟ୍ରାଫିକ୍‌ ନିୟନ୍ତ୍ରଣ ଆଦି ବିଭିନ୍ନ କାର୍ଯ୍ୟକ୍ରମରେ ଗୃହରକ୍ଷୀଙ୍କ କାର୍ଯ୍ୟ ପ୍ରଂଶସନୀୟ। ଉତ୍ତମ ବ୍ୟବହାର ଏବଂ ସେବା ମନୋଭାବ ନେଇ କାର୍ଯ୍ୟକରି ଜନତାଙ୍କ ପ୍ରଶଂସାଭାଜନ ହେବାଲାଗି ଶୁକ୍ରବାର ପୋଲିସ ପଡ଼ିଆରେ ଆୟୋଜତି ୫୭ତମ ଗୃହରକ୍ଷୀ ଦିବସ ପାଳନ ଅବସରରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଏସ୍‌ପି ଉମାଶଙ୍କର ଦାସ ଏହା କହିଛନ୍ତି। ସେ ସମ୍ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିବା ସହ ସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ଲାଗି ଗୃହରକ୍ଷୀଙ୍କୁ ସମ୍ମାନିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏଏସ୍‌ପି (ହେଡକ୍ୱାର୍ଟର୍ସ ) ପି.କେ. ସ୍ବାଇଁ, ଏଏସ୍‌ପି (ଆଇନ ଶୃଙ୍ଖଳା) ଅରୁଣ କୁମାର ଜେନା, ସିଟି ଡିଏସ୍‌ପି କ୍ଷୀରସାଗର ମଲିକ, ସଦର ଡିଏସ୍‌ପି କିଶୋର ଚନ୍ଦ୍ର ମୁଣ୍ଡ୍‌ଙ୍କ ସମେତ ବହୁ ପୋଲିସ ଅଧିକାରୀମାନେ ଉପସ୍ଥିତ ଥିଲେ।