ଉଚ୍ଚଶିକ୍ଷାରେ ପାତରଅନ୍ତର

ଡ. ସୁବାସ ଚନ୍ଦ୍ର ପାତ୍ର

ଉଚ୍ଚ ବାଛବିଚାର, ଉଚ୍ଚ ବଞ୍ଚିତୀକରଣ ବିଷୟରେ ଯଦି କାହାରି ସମ୍ୟକ ଧାରଣା ଆହରଣ କରିବାର ଇଚ୍ଛା ଥାଏ ତା’ହାଲେ ଓଡ଼ି଼ଶାର ଉଚ୍ଚଶିକ୍ଷା ବିଭାଗରେ ପ୍ରଚଳିତ ବର୍ଗୀକରଣ ଉପରେ ଆଖି ପକେଇବା ଠିକ୍‌ ହେବ! ଓଡ଼ିଶା ସରକାରଙ୍କ କୌଣସି ବିଭାଗରେ ଏତେ ବର୍ଗୀକରଣ, ଏତେ ପାତରଅନ୍ତର ନୀତିର ପ୍ରଚଳନ ନାହିଁ।
ଏକ ସମୟରେ ଓଡ଼ିଶାର ଉଚ୍ଚଶିକ୍ଷା ବ୍ୟବସ୍ଥା, ଏକ ସୁସଂହତ ବିଧିବିଧାନରେ ବ୍ୟବସ୍ଥିତ ଥିଲା। ମହାବିଦ୍ୟାଳୟ ଥିଲା ଦୁଇ ଶ୍ରେଣୀର। ସରକାରୀ ଓ ଅନୁଦାନପ୍ରାପ୍ତ। ଅନୁଦାନ ପ୍ରଦାନ ପାଇଁ ଥିଲା ସ୍ପଷ୍ଟ ନୀତି। ଏହି ନୀତି ଅନୁଯାୟୀ ସର୍ବନିମ୍ନ ୫ ବର୍ଷ ଅବା ସର୍ବୋଚ୍ଚ ୯ ବର୍ଷ ପରେ ଜଣେ ଅଧ୍ୟାପକ ପୂର୍ଣ୍ଣ ଦରମା ପ୍ରାପ୍ତ ହେଉଥିଲେ। ପରବର୍ତ୍ତୀ ସମୟରେ, ୧୯୮୯ ମସିହାରେ ଅଧ୍ୟାପକମାନଙ୍କ ଆନ୍ଦୋଳନ ଫଳରେ ସରକାର ୟୁଜିସି ସ୍କେଲ ମଧ୍ୟ ଦେଲେ, ଯାହା ସକାଶେ ସରକାରୀ କଲେଜ ଓ ପୂର୍ଣ୍ଣ ଅନୁଦାନ ପ୍ରାପ୍ତ କଲେଜଗୁଡ଼ିକ ଭିତରେ ଥିବା ଦରମାର ତାରତମ୍ୟ ଦୂର ହେଲା। ଅବଶ୍ୟ ସରକାରୀ କଲେଜରେ ୧୯୭୬ ମସିହାରୁ ୟୁଜିସି ସ୍କେଲ ପ୍ରଚଳିତ ଥିଲା। ଶିକ୍ଷକକୁଳ ବେଶ୍‌ କିଛି ସ୍ବାଚ୍ଛନ୍ଦ୍ୟରେ ଓ ମର୍ଯ୍ୟାଦାର ସହିତ ନିଜ କର୍ତ୍ତବ୍ୟ ସମ୍ପାଦନ କଲେ।
ଦୁଃଖର କଥା ୟୁଜିସି ସ୍କେଲ, ଓଡ଼ିଶା ସରକାରଙ୍କ ଦ୍ୱିତୀୟ ଶ୍ରେଣୀ ଗେଜେଟେଡ୍‌ ଅଧିକାରୀଙ୍କ ଦରମାଠାରୁ ଅଧିକ ଥିବାରୁ ଗାତ୍ରଦାହ ଆରମ୍ଭ ହେଲା। ବିଶେଷତଃ ଅମଲାତାନ୍ତ୍ରିକ ଅଧିକାରୀମାନେ ଈର୍ଷା ପ୍ରଦର୍ଶନ ଓ ଅଧ୍ୟାପକମାରଣ ଯଜ୍ଞରେ ଆଗରେ ରହିଲେ। ଅନ୍ୟ ବିଭାଗର ତତୁଲ୍ୟ ଅଧିକାରୀମାନେ ପରୋକ୍ଷରେ ସମର୍ଥନ କଲେ। ଫଳସ୍ବରୂପ ଓଡ଼ିଶାର କଲେଜ ବ୍ୟବସ୍ଥାରୁ ୟୁଜିସି ସ୍କେଲ ଉଚ୍ଛେଦ କରି ଅଧ୍ୟାପକ ପଦବୀ ସ୍ଥାନରେ ଏକ ନୂ୍ୟନ ପଦବୀ-ଜୁନିୟର ଅଧ୍ୟାପକ ପଦବୀ-୧୯୯୨ରୁ ସୃଷ୍ଟିକରି ଶିକ୍ଷାବ୍ୟବସ୍ଥାକୁ ସରକାର ତଳିତଳାନ୍ତ କଲେ। ଉଭୟ ସରକାରୀ ଓ ଅନୁଦାନପ୍ରାପ୍ତ କଲେଜମାନଙ୍କରୁ ୟୁ.ଜି.ସି ସ୍କେଲ ଲୋପ ପାଇଲା। ବହୁ ବାଦ ବିବାଦ ଓ ବିଶ୍ୱବିଦ୍ୟାଳୟ ମଞ୍ଜୁରୀ କମିଶନଙ୍କ ତାଗିଦ ପରେ ଏବଂ କ୍ରମାଗତ ଭାବେ ଉଚ୍ଚମାନର ଛାତ୍ରମାନେ ଅଧ୍ୟାପକ ବୃତ୍ତିରେ ଯୋଗ ନ ଦେବା କାରଣରୁ ୨୦୧୪ରେ ସରକାରୀ କଲେଜରେ ୟୁଜିସି ସ୍କେଲ ପୁନଃ ପ୍ରଚଳନ ହେଲା। ସରକାରୀ କଲେଜରେ ସିନା ୟୁଜିସି ଦରମା ପୁନଃପ୍ରଚଳିତ ହେଲା କିନ୍ତୁ ପୂର୍ଣ୍ଣ ଅନୁନାଦପ୍ରାପ୍ତ କଲେଜଗୁଡ଼ିକରେ ଆଉ ୟୁଜିସି ସ୍କେଲ ପ୍ରଦାନ କରାଗଲା ନାହିଁ। ବରଂ ଅନୁଦାନପ୍ରାପ୍ତ କଲେଜଗୁଡ଼ିକୁ ବିଭିନ୍ନ ଗୋଷ୍ଠୀରେ ବିଭକ୍ତ କରି କାହାକୁ ୪୮୮ ଶ୍ରେଣୀଭୁକ୍ତ ଆଉ କାହାକୁ ୬୬୨ ଶ୍ରେଣୀଭୁକ୍ତ କରାଗଲା। ବର୍ଷୱାରି ପୂର୍ବପ୍ରଚଳିତ ଗ୍ରାଣ୍ଟ-ଇନ୍‌-ଏଡ୍‌ (ଜିଆଇଏ) ବ୍ୟବସ୍ଥା ପ୍ରତ୍ୟାହାର କରିନେଇ ତା’ ପ୍ରତି ବଦଳରେ ଅତି ଦୁର୍ବିଷହ ବ୍ଲକଗ୍ରାଣ୍ଟ ବ୍ୟବସ୍ଥା ପ୍ରଚଳନ କରାଗଲା, ଯେଉଁଥିରେ ମଣିଷ ବଞ୍ଚିବା ପାଇଁ ହାତ ମୁଠାଏ ଦରମା ସିନା ପାଇଲା କିନ୍ତୁ ପେନ୍‌ସନ ବା ଅବସରକାଳୀନ ଅନ୍ୟାନ୍ୟ ବ୍ୟବସ୍ଥା ରହିଲା ନାହିଁ, ଅର୍ଥାତ୍‌ ବୃଦ୍ଧ ବୟସରେ, ଅବସର, ଭଗ୍ନସ୍ବାସ୍ଥ୍ୟ ଓ ପାରିବାରିକ ବୋଝ ନେଇ ଏକ ଅନିଶ୍ଚିତ ଜୀବନଯାପନ ପାଇଁ ଅଧ୍ୟାପକମାନଙ୍କୁ ଠେଲି ଦିଆଗଲା।
ବର୍ତ୍ତମାନ ବାଛବିଚାରର କଥା। ଆପାତତଃ ଏକ ନିର୍ଦ୍ଦିଷ୍ଟ ପ୍ରକ୍ରିୟାରେ ନିଯୁକ୍ତ ଅଧ୍ୟାପକମାନଙ୍କ ମଧ୍ୟରେ ଦରମା ଓ ଆନୁଷଙ୍ଗିକ ତାରତମ୍ୟ ବିଚାର କରାଯାଉ। ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ସରକାରୀ କଲେଜରେ ଅଧ୍ୟାପକ ନିଯୁକ୍ତି ପାଇଁ ସ୍ନାତକୋତ୍ତରରେ ୫୫ ପ୍ରତିଶତ ମାର୍କ ଓ ତା’ ସହିତ ପିଏଚ୍‌ଡି ଅବା ନିଟ୍‌ ପରୀକ୍ଷାରେ ସଫଳତା ବାଧ୍ୟତାମୂଳକ କରିଥିବା ବେଳେ, ଷ୍ଟେଟ୍‌ ସିଲେକ୍‌ଶନ ବୋର୍ଡ (ଏସ୍‌ଏସ୍‌ବି) ଅନୁଦାନପ୍ରାପ୍ତ କଲେଜର ଅଧ୍ୟାପକ ନିଯୁକ୍ତି ପାଇଁ ପ୍ରାୟତଃ ଏକା ଯୋଗ୍ୟତା ନିର୍ଦ୍ଧାରିତ କରିଛି। ଏସ୍‌ଏସ୍‌ବିରେ ପିଏଚ୍‌.ଡି/ ନିଟ୍‌ / ଏମ୍‌.ଫିଲ୍‌କୁ ଅଗ୍ରାଧିକାର ଦେବା ସହ ସେଥି ପାଇଁ ବେଶ୍‌ ଅଧିକ ମାର୍କ ରଖାଯାଇଛି। ତା’ ଛଡ଼ା ଏସ୍‌ଏସ୍‌ବି ପରୀକ୍ଷାରେ ବାଧ୍ୟତାମୂଳକ ଲିଖିତ ପରୀକ୍ଷା ଥିଲାବେଳେ ଓପିଏସ୍‌ସିରେ କେବଳ ମୌଖିକ ପରୀକ୍ଷାରେ ପ୍ରାର୍ଥୀ ଚୟନ କରାଯାଏ। ଏକା ଯୋଗ୍ୟତା, ଏକା ଶିକ୍ଷାଦାନ କର୍ମ ପାଇଁ ମନୋନୀତ ପ୍ରାର୍ଥୀ ସରକାରୀ କଲେଜରେ ୟୁଜିସି ସ୍କେଲରେ ନିୟୋଜିତ ଅଧ୍ୟାପକ ଓ ଅନୁଦାନପ୍ରାପ୍ତ କଲେଜର ରାଜ୍ୟ ସରକାରଙ୍କ ସ୍କେଲରେ ନିୟୋଜିତ ଅଧ୍ୟାପକମାନଙ୍କ ମଧ୍ୟରେ ଦରମା ଓ ଆନୁଷଙ୍ଗିକ ଦେୟର ଫରକ ଆକାଶ ପାତାଳ। ମୋଟାମୋଟି ହିସାବ ଏହିପରି- ଦରମା ବାବଦରେ ମାସକୁ ପାଖାପାଖି ୨୫ହଜାର ଟଙ୍କାର ଫରକ୍‌ ଅର୍ଥାତ୍‌ ବର୍ଷକୁ ୩ଲକ୍ଷ ଟଙ୍କା; ଘରଭଡ଼ା ପ୍ରଦାନ କରାଯାଉ ନ ଥିବାରୁ ମାସିକ ୩ହଜାର ଟଙ୍କା ହାରରେ ବର୍ଷକୁ ୩୬ହଜାର ଟଙ୍କା; ଅବସରକାଳୀନ ଗ୍ରାଚ୍ୟୁଇଟିରେ ୧୦ଲକ୍ଷ ଟଙ୍କାର ଫରକ (ସରକାରୀ କଲେଜ ୧୫ଲକ୍ଷ -ଅନୁଦାନପ୍ରାପ୍ତ କଲେଜ ୫ଲକ୍ଷ); ଛୁଟି ବିକ୍ରି ବ୍ୟବସ୍ଥା ନ ଥିବାର ସେ ବାବଦରେ ୧୫ଲକ୍ଷ ଟଙ୍କା, କମ୍ୟୁଟେଡ ପେନ୍‌ସନ ବ୍ୟବସ୍ଥା ନ ଥିବାରୁ ସେ ବାବାଦ ୨୦ଲକ୍ଷ ଟଙ୍କା। ଅର୍ଥାତ୍‌ ସମାନ ବିଧିବ୍ୟବସ୍ଥା ଅନୁଯାୟୀ ସରକାରଙ୍କ ଦ୍ୱାରା ପରିଚାଳିତ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଉତ୍ତୀର୍ଣ୍ଣ ଅନୁଦାନପ୍ରାପ୍ତ କଲେଜରେ ନିଯୁକ୍ତ ଜଣେ ଅଧ୍ୟାପକ ପିଏସ୍‌ସି ଦ୍ୱାରା ମନୋନୀତ ସରକାରୀ କଲେଜରେ ନିୟୋଜିତ ଜଣେ ଅଧ୍ୟାପକଠାରୁ ଆଜିର ଦରମା ଓ ଆନୁଷଙ୍ଗିକ ଅନୁଦାନ ହିସାବରେ ଅବସରବେଳେ ଅନ୍ୟୁନ ୧ କୋଟି ଟଙ୍କାରୁ ବଞ୍ଚିତ ହେବେ। ବର୍ଦ୍ଧିତ ଦରମାରେ ଏହି ତାରତମ୍ୟ କେଉଁଠି ପହଞ୍ଚିବ ତାହା କଳନା ବି କରିହେବନି।
ପୂର୍ବରୁ ସରକାରଙ୍କ ଅର୍ଥାଭାବ ଥିଲା। ସରକାର କର୍ମଚାରୀମାନଙ୍କୁ ଠିକ୍‌ ସମୟରେ ଦରମା ଦେଇ ପାରୁ ନ ଥିଲେ। ଏବେ ‘ବଳକା ବଜେଟ’ର ସୁନାମ ଜପ କରାଯାଉଛି, ବଜେଟ ପରିମାଣ ୩ଲକ୍ଷ କୋଟି ଟଙ୍କାରୁ ଅଧିକ। ନୂତନ ସରକାର ୮୦୦ ଟଙ୍କା ଅଧିକ ମୂଲ୍ୟରେ ଲକ୍ଷ ଲକ୍ଷ କୁଇଣ୍ଟାଲ ଧାନ ଚାଷୀଙ୍କଠୁ କିଣିବାକୁ ଯାଉଥିଲାବେଳେ, ସୁଭଦ୍ରା ଯୋଜନାରେ ସରକାର ମହିଳାମାନଙ୍କୁ ୫୦ହଜାର ଟଙ୍କାର ଅନୁଦାନ ପ୍ରଦାନ କରିବାକୁ ଅଗ୍ରସର ହେଉଥିଲାବେଳେ; ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା ପ୍ରଭୃତିକୁ ପର୍ଯ୍ୟାପ୍ତ ପରିମାଣରେ ବଢ଼ାଇବାକୁ ସିଦ୍ଧାନ୍ତ ନେଇଥିବାବେଳେ; ସବୁ ଜିଲାରେ ଗୋଟିଏ ମେଡିକାଲ କଲେଜ ଓ ନର୍ସିଂ କଲେଜ ଖୋଲିବାକୁ ନୂତନ ସରକାର ପ୍ରତିଶ୍ରୁତି ଦେଇଥିଲାବେଳେ; ବର୍ଷକୁ ୩ଲକ୍ଷ ଯୁବକଙ୍କୁ ସରକାରୀ ନିଯୁକ୍ତି ଦେବାକୁ ଗ୍ୟାରେଣ୍ଟି ଦେଇଥିବା ବେଳେ ଏବଂ ଏ ସବୁ ପ୍ରତିଶ୍ରୁତି ପାଳନ ପାଇଁ ଲକ୍ଷ ଲକ୍ଷ କୋଟିକୋଟି ଟଙ୍କା ଯୋଗାଡ଼ ଲାଗି ଆଗଭର ହେଉଥିଲାବେଳେ କେବଳ ଅନୁଦାନପ୍ରାପ୍ତ କଲେଜର ନିଯୁକ୍ତ ଅଧ୍ୟାପକମାନଙ୍କୁ କ’ଣ ପାଇଁ ନିମ୍ନ ଦରମା ଓ ନିମ୍ନସ୍ତରର ଅବସରକାଳୀନ ସୁବିଧା ପ୍ରଦାନ କରି ଉଚ୍ଚଶିକ୍ଷା ବ୍ୟବସ୍ଥାକୁ ସବୁଦିନ ପଙ୍ଗୁ କରି ରଖାଯିବ?
ଏ ପ୍ରକାର ତାରତମ୍ୟ, ଆର୍ଥିକ ବୈଷମ୍ୟ, ତଜ୍ଜନିତ ସାମାଜିକ ବୈଷମ୍ୟ ନେଇ ଜଣେ ଅଧ୍ୟାପକ କି ପ୍ରକାର ଶିକ୍ଷାପ୍ରଦାନ କରିବ? ତେଣୁ ପ୍ରଥମ ପଦକ୍ଷେପ ହିସାବରେ ପୂର୍ଣ୍ଣ ଅନୁଦାନପ୍ରାପ୍ତ କଲେଜଗୁଡ଼ିକରେ କାର୍ଯ୍ୟରତ ନିୟମିତ ଅଧ୍ୟାପକମାନଙ୍କୁ ୟୁଜିସି ସ୍କେଲ ପ୍ରଦାନ କରାଯାଉ।
ଅନ୍ୟ ଗୋଷ୍ଠୀର ଅଧ୍ୟାପକମାନଙ୍କୁ ଜିଆଇଏ ପରିସରଭୁକ୍ତ କରି ସେମାନଙ୍କ ମଧ୍ୟରୁ ଯେଉଁମାନେ ୟୁଜିସି ସ୍କେଲ ପାଇଁ ଯୋଗ୍ୟ ସେମାନଙ୍କୁ ମଧ୍ୟ ୟୁଜିସି ସ୍କେଲ ପ୍ରଦାନ କରାଯାଉ। ଅବସରକାଳୀନ ଆର୍ଥିକ ସୁବିଧା ପ୍ରଦାନରେ ସରକାରୀ ଓ ପୂର୍ଣ୍ଣ ଅନୁଦାନପ୍ରାପ୍ତ କଲେଜ ମଧ୍ୟରେ ବୈଷମ୍ୟ ଉଚ୍ଛେଦ କରାଯାଉ।
ଜେଲ ରୋଡ଼, ବାଲେଶ୍ୱର
ମୋ: ୯୪୩୭୩୭୬୨୧୯


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଆନ୍ଧ୍ରପ୍ରଦେଶ ଅନନ୍ତପୁର ଜିଲାର ମରୁଡ଼ିପ୍ରବଣ ଅଞ୍ଚଳରେ ଭାରତୀୟ ବନ ସେବା ଅଧିକାରୀ(ଆଇଏଫ୍‌ଏସ୍‌) ବିନିତ କୁମାର ଓ ତାଙ୍କ ସ୍ତ୍ରୀ ତଥା ବନ୍ୟପ୍ରାଣୀ ସଂରକ୍ଷକ ରୂପା ଯାଦବ ଜଳାଶୟ…

ଶବ୍ଦଘାତକର ଯୁଗଯନ୍ତ୍ରଣା

ଡାକବାଜି,, ଡିଜେ, ବାଣ ଆଦି ଶବ୍ଦ ପ୍ରଦୂଷଣ ସୃଷ୍ଟିକାରୀ ଉପାଦାନ ଏବେ କେବଳ ଆଉ ପାର୍ବଣ ପାଳନ ମଧ୍ୟରେ ସୀମିତ ରହିନାହିଁ। ସହର ବଜାରରୁ ଆରମ୍ଭ କରି…

ପ୍ଲାଷ୍ଟିକମୟ ପୃଥିବୀ

ପୃଥିବୀ ସମ ଏକ ସୁନ୍ଦର ଗ୍ରହ ନାହିଁ କହିଲେ ଅତ୍ୟୁକ୍ତି ହେବନାହିଁ, ଯେଉଁଠାରେ ଆମେ ଜନ୍ମ ଗ୍ରହଣ କରି ନିଜକୁ ଭାଗ୍ୟବାନ ମନେକରୁ। କାରଣ ପୃଥିବୀ ଆମକୁ…

ବିଦ୍ରୋହୀ ରାଜା

୧୯୮୯ରେ ଆମେରିକାରେ ଗ୍ରୀଷ୍ମଋତୁ (ଜୁନ-ଅଗଷ୍ଟ)ରେ ଫ୍ରାନ୍ସିସ ଫୁକୁୟାମା ‘ଇତିହାସର ଶେଷ’ ସିଦ୍ଧାନ୍ତ ଉପସ୍ଥାପନ କରିଥିଲେ। ତାଙ୍କ ଦୃଷ୍ଟିକୋଣରେ ଉଦାରବାଦୀ ଗଣତାନ୍ତ୍ରିକ ପୁଞ୍ଜିବାଦ ବା ପାଶ୍ଚାତ୍ୟ ଉଦାରବାଦ ଗଣତନ୍ତ୍ର…

ଭାରତୀୟ ଗଣତନ୍ତ୍ରରେ ଅଭାବୀ ବିକଳ୍ପ

ଏକ ଚା’ ଖଟିରେ ଦୁଇ ବନ୍ଧୁ ପରସ୍ପର ରାଜନୀତି ବିଷୟରେ ଚର୍ଚ୍ଚା କରୁଥିଲେ ଏବଂ ଜଣେ ବନ୍ଧୁ ଅନ୍ୟ ଜଣେ ବନ୍ଧୁଙ୍କ ସହିତ କଥୋପକଥନ ଛଳରେ କହୁଥା’ନ୍ତି-…

ପୁରୁଷ, ନାରୀ ଓ ସଭ୍ୟତା

ଓଡ଼ିଶା ଆଜି ନିଜକୁ ଉନ୍ନତି ପଥରେ ଆଗେଇ ନେବାକୁ ଦୃଢ଼ ଚେଷ୍ଟା କରୁଛି। ନୂଆ ରାସ୍ତା, ବଡ଼ ବଡ଼ କୋଠା, ଶିଳ୍ପ ପାର୍କ, ଡିଜିଟାଲ ସେବା, ସରକାରୀ…

ଚିତାରେ ସତୀ

ୟୁରୋପରେ ସଇତାନଙ୍କୁ ପୂଜା କରୁଥିବା ସନ୍ଦେହରେ ମହିଳାଙ୍କୁ ଡାହାଣୀ ଆଖ୍ୟା ଦେଇ ଖ୍ରୀଷ୍ଟିଆନ୍‌ ଧର୍ମଯାଜକମାନେ ସେମାନଙ୍କୁ ଜିଅନ୍ତା ପୋଡ଼ିଦେଉଥିଲେ। ଆରବରେ ଇସ୍‌ଲାମ ଛାଡ଼ିବାକୁ ମନା କରୁଥିବା ଲୋକଙ୍କୁ…

ଏଇ ଭାରତରେ

ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri