Categories: ଖେଳ

ଉଗାଣ୍ଡା ପାରା ବ୍ୟାଡମିଣ୍ଟନ: ପ୍ରମୋଦଙ୍କୁ ଡବଲ ସ୍ବର୍ଣ୍ଣ

କଟକ ଅଫିସ,୨୯ା୪- ଉଗାଣ୍ଡାର କାମ୍ପାଲା ସ୍ଥିତ ଲୁଗୋଗୋ ଇନ୍‌ଡୋର ଷ୍ଟାଡିୟମରେ ଚାଲିଥିବା ଉଗାଣ୍ଡା ପାରା ବ୍ୟାଡମିଣ୍ଟନ ଅନ୍ତର୍ଜାତୀୟ ଚାମ୍ପିୟନଶିପ୍‌ରେ ପୁଣି ଚମକିଛନ୍ତି ଓଡ଼ିଶାର ତାରକା ଖେଳାଳି ପ୍ରମୋଦ ଭଗତ । ଉଭୟ ସିଙ୍ଗିଲ୍ସ ଓ ଡବଲ୍ସ ବିଭାଗରେ ପ୍ରମୋଦ ସ୍ବର୍ଣ୍ଣ ପଦକ ବିଜୟୀ ହୋଇଛନ୍ତି । ସିଙ୍ଗିଲ୍ସ ବିଭାଗର ଫାଇନାଲ ମୁକାବିଲାରେ ପ୍ରମୋଦ ଅନ୍ୟତମ ଭାରତୀୟ ଖେଳାଳି ଉମେଶ ବିକ୍ରମ କୁମାରଙ୍କୁ ପରାସ୍ତ କରିଥିଲେ । ସଂଘର୍ଷପୂର୍ଣ୍ଣ ପ୍ରଥମ ସେଟ୍‌କୁ ପ୍ରମୋଦ ୨୪-୨୨ରେ ଜିତିବା ପରେ ଦ୍ୱିତୀୟ ସେଟ୍‌କୁ ଏକତରଫା ଭାବେ ୨୧-୧୦ରେ ଜିତି ଚାମ୍ପିୟନ ହୋଇଥିଲେ । ଅନ୍ତର୍ଜାତୀୟ ପାରା ବ୍ୟାଡମିଣ୍ଟନ ଚାମ୍ପିୟନଶିପ୍‌ରେ ପ୍ରମୋଦଙ୍କର ଏହା ଲଗାତାର ୭ମ ସିଙ୍ଗଲ୍ସ ସ୍ବର୍ଣ୍ଣ ପଦକ । ଏହି ସଫଳତା ସହ ପ୍ରମୋଦ ବିଶ୍ୱ ପାରା ବ୍ୟାଡମିଣ୍ଟନ ର଼୍ୟାଙ୍କିଙ୍ଗ୍‌ର ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି । ଡବଲ୍ସ ବିଭାଗରେ ପ୍ରମୋଦ-ମନୋଜ ସରକାରଙ୍କ ଯୋଡ଼ି ଫ୍ରାନ୍ସର ଗ୍ୟାଲି ଗୁଇଲାଉମି-ମ୍ୟାଥୁ ଥୋମାସଙ୍କ ଯୋଡ଼ିକୁ ୨୧-୧୩, ୨୧-୧୧ ସେଟରେ ହରାଇଥିଲେ । ଅନ୍ୟ ପକ୍ଷରେ ଦୀର୍ଘ ୪ବର୍ଷର ବ୍ୟବଧାନ ପରେ ପ୍ରମୋଦ ଅନ୍ତର୍ଜାତୀୟ ଟୁର୍ନାମେଣ୍ଟର ଡବଲ୍ସ ବିଭାଗରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି । ଆଗାମୀ ଅଲିମ୍ପିକରେ ପଦକ ହାସଲ କରିବା ଏବେ ଲକ୍ଷ୍ୟ ବୋଲି ପ୍ରମୋଦ ନିଜ ପ୍ରତିକ୍ରିୟାରେ କହିଛନ୍ତି । ଏହି ସଫଳତା ପାଇଁ କୋଚ୍‌, ପରିବାର ଲୋକ ଓ ସପୋର୍ଟ ଷ୍ଟାଫଙ୍କୁ ପ୍ରମୋଦ ଧନ୍ୟବାଦ ଜଣାଇଛନ୍ତି ।

Share