Categories: ଖେଳ

ଇଷ୍ଟ୍‌ ଇଣ୍ଡିଆ ଓପନ୍‌ ସ୍ନୁକର: ସେମିଫାଇନାଲରେ ସୁବ୍ରତ

ଭୁବନେଶ୍ୱର,୧୫।୧୨(ସ୍ପୋଟର୍‌ସ ବ୍ୟୁରୋ)- ପାଟଣାରେ ଚାଲିଥିବା ଇଷ୍ଟ ଇଣ୍ଡିଆ ସ୍ନୁକର ଚାମ୍ପିୟନଶିପ୍‌ରେ ଓଡ଼ିଶାର ସୁବ୍ରତ ଦାସ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଶନିବାର ସୁବ୍ରତ ପ୍ରି- କ୍ୱାର୍ଟର ଓ କ୍ୱାର୍ଟର ଫାଇନାଲରେ ବିଜୟୀ ହୋଇ ସେମିକୁ ଉଠିଛନ୍ତି। ସେ ପ୍ରି-କ୍ୱାର୍ଟରରେ ଅଭୟ ପ୍ରକାଶଙ୍କୁ ୩-୦ରେ ହରାଇ ଅଗ୍ରଗତି କରିଥିଲେ। ଏହାପରେ ସେ କ୍ୱାର୍ଟରରେ ରାଞ୍ଚିର ଶୁଭମ ସିଂଙ୍କୁ ମଧ୍ୟ ସମାନ ଅନ୍ତରରେ ପରାସ୍ତ କରିଥିଲେ।
ପାଟଣାର ଆଡିକ୍‌ଶନ ସ୍ନୁକର ସେଣ୍ଟରରେ ଚାଲିଥିବା ଏହି ପ୍ରତିଯୋଗିତାରେ ସୁବ୍ରତ ଶୁକ୍ରବାର ୩-୦ରେ ପୂର୍ବତନ ବିହାର ଜୁନିୟର ଚାମ୍ପିୟନ ଉତ୍କର୍ଷ ସିଂଙ୍କୁ ପରାସ୍ତ ପ୍ରି-କ୍ୱାର୍ଟରରେ ପ୍ରବେଶ କରିଥିଲେ। ୪ ଦିନଧରି ଚାଲିବାକୁ ଥିବା ଏହି ଟୁର୍ନାମେଣ୍ଟର ଚାମ୍ପିୟନ ଖେଳାଳିଙ୍କୁ ଟ୍ରଫି ସହ ୨୧ ହଜାର ଟଙ୍କା ଆର୍ଥିକ ପୁରସ୍କାର ପ୍ରଦାନ କରାଯିବ। ଓଡ଼ିଶା ସ୍ନୁକର ଚାମ୍ପିୟନଶିପ୍‌ରେ ଟାଇଟଲ ହାସଲ କରିଥିବା ସୁବ୍ରତଙ୍କ ସମେତ ପୂର୍ବ ଭାରତର ଅନ୍ୟ ଖେଳାଳିମାନଙ୍କୁ ମଧ୍ୟ ଏହି ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିବାକୁ ଆମନ୍ତ୍ରଣ କରାଯାଇଥିଲା। ଏହି ଚାମ୍ପିୟନଶିପ୍‌ରେ ସୁବ୍ରତଙ୍କୁ ଟପ୍‌ ସିଡ୍‌ ମାନ୍ୟତା ପ୍ରଦାନ କରାଯାଇଛି। ଜାତୀୟ ସର୍କିଟରେ ସୁବ୍ରତ ଶ୍ରେଷ୍ଠ ୩୨ରେ ସ୍ଥାନ ପାଇଛନ୍ତି।

Share