Categories: ଖେଳ

ଇରିଶ ପାରା-ବ୍ୟାଡ୍‌ମିଣ୍ଟନ: ଓଡ଼ିଶାର ପ୍ରମୋଦଙ୍କୁ ଡବଲ୍‌ ସ୍ବର୍ଣ୍ଣ

ଭୁବନେଶ୍ୱର, ୨୪।୬(ସ୍ପୋଟର୍‌ସ ବ୍ୟୁରୋ)- ଆୟର୍ଲାଣ୍ଡର ଡବ୍‌ଲିନଠାରେ ଶେଷ ହୋଇଥିବା ଇରିଶ ପାରା-ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାରେ ଓଡ଼ିଆ ତାରକା ପ୍ରମୋଦ ଭଗତ ୨ଟି ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଡବ୍‌ଲିନର ନ୍ୟାଶନାଲ ଇନ୍‌ଡୋର ଏରେନାରେ ଅନୁଷ୍ଠିତ ଏହି ପ୍ରତିଯୋଗିତାର ସିଙ୍ଗଲ୍ସ ଓ ଡବଲ୍ସରେ ପ୍ରମୋଦ ଚାମ୍ପିୟନ ହୋଇଛନ୍ତି। ସିଙ୍ଗଲ୍ସ ଫାଇନାଲରେ ପ୍ରମୋଦ ୨୧-୧୭, ୧୭୦୨୧, ୨୧-୧୦ ଗେମ୍‌ରେ ଇଂଲଣ୍ଡର ଡାନିଏଲ୍‌ ବିଥେଲଙ୍କୁ ପରାସ୍ତ କରିଛନ୍ତି। ପ୍ରଥମ ଗେମ୍‌ ପ୍ରମୋଦ ଓ ୨ୟକୁ ଡାନିଏଲ୍‌ ଜିତିବାରୁ ୧-୧ ବରାବର୍‌ସ୍ଥିତିରେ ରହିଥିଲା। ଏହାପରେ ଅନ୍ତିମ ତଥା ୩ୟ ଗେମ୍‌କୁ ସହଜରେ ଜିତି ପ୍ରମୋଦ ସ୍ବର୍ଣ୍ଣ ପଦକ ଅକ୍ତିଆର କରିଥିଲେ। ଏଥିସହ ଚଳିତ ବର୍ଷ ମୋଟ୍‌ ଅନ୍ତର୍ଜାତୀୟ ପ୍ରତିଯୋଗିତାରୁ ପ୍ରମୋଦ ୫ରେ ବିଜୟୀ ହେବା ସହ ଏକ ନମ୍ବର ମାନ୍ୟତା ବଜାୟ ରଖିଛନ୍ତି। ଅଲିମ୍ପିକ ଯୋଗ୍ୟତାରୁ ସେ ଆଉ ପାଦେ ଦୂରରେ ରହିଛନ୍ତି। ଅପରପକ୍ଷରେ ପୁରୁଷ ଡବଲ୍ସରେ ପ୍ରମୋଦ ନିଜ ଦେଶର ମନୋଜ ସରକାରଙ୍କୁ ସାଥୀ କରି ସ୍ବର୍ଣ୍ଣ ପଦକ କବ୍‌ଜା କରିନେଇଛନ୍ତି। ଫାଇନାଲରେ ପ୍ରମୋଦ-ମନୋଜ ଯୋଡ଼ି ୨୧-୧୩, ୧୮-୨୧, ୨୩-୨୧ରେ ଅନ୍ୟତମ ଭାରତୀୟ ଯୋଡ଼ି ତରୁଣ ଓ ନିତେଶ କୁମାରଙ୍କୁ ହରାଇଛନ୍ତି।

Share