Categories: ଖେଳ

ଇଣ୍ଡିପେଣ୍ଡେସ୍‌ କପ୍‌ ହ୍ୟାଣ୍ଡବଲ୍‌ରେ ଭାରତକୁ ରୌପ୍ୟ

ଭୁବନେଶ୍ୱର, ୨୬।୯ (ସ୍ପୋଟର୍‌ସ ବ୍ୟୁରୋ)- ଉଜବେକିସ୍ତାନର ରାଜଧାନୀ ତାସ୍‌କେଣ୍ଟଠାରେ ଚଳିତ ୧୮ରୁ ୨୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ୨୮ତମ ଇଣ୍ଡିପେଣ୍ଡେସ୍‌ କପ୍‌ ହ୍ୟାଣ୍ଡବଲ୍‌ ଚାମ୍ପିୟନଶିପ୍‌ରେ ଭାରତୀୟ ଦଳ ରନର୍ସଅପ୍‌ ହୋଇ ରୌପ୍ୟ ପଦକ ହାସଲ କରିଛି। ଫାଇନାଲ ମ୍ୟାଚ୍‌ରେ ଭାରତ ଆୟୋଜକ ଉଜ୍‌ବେକିସ୍ତାନକୁ ଭେଟିଥିଲା। ଏଥିରେ ଉଜବେକିସ୍ତାନ ୩୦-୨୦ ଗୋଲ ବଳରେ ବିଜୟୀ ହୋଇ ଚାମ୍ପିୟନ ହୋଇଛି। ଏହି ମ୍ୟାଚ୍‌ ପୂର୍ବରୁ ଭାରତ ପ୍ରଥମ ମ୍ୟାଚ୍‌ରେ ଉଜବେକିସ୍ତାନକୁ ହରାଇଥିଲାପରବର୍ତ୍ତୀ ମ୍ୟାଚ୍‌ରେ କାଜାକସ୍ତାନ ନିକଟରୁ ପରାସ୍ତ ହୋଇଥିଲେ ମଧ୍ୟ ଫାଇନାଲରେ ପ୍ରବେଶ କରିଥିଲା। ଭାରତୀୟ ଦଳରେ ଓଡ଼ିଶାର ୩ ଖେଳାଳି ଆକାଶ ପଟ୍ଟନାୟକ, ଆର୍ଯ୍ୟାନ ବ୍ରାହ୍ମିନ ଓ ରଞ୍ଜିତ ମହାନ୍ତି ସ୍ଥାନ ପାଇଥିଲେ। ଓଡ଼ିଶାର ପ୍ରଥମ ସିନିୟର ଖେଳାଳିଭାବେ ଆକାଶ, ଆର୍ଯ୍ୟାନ ଓ ରଞ୍ଜିତ ଭାରତୀୟ ଦଳରୁ ପ୍ରତିନିଧିତ୍ୱ କରି ପଦକ ଜିତି ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିଛନ୍ତି। ଓଡ଼ିଆ ଖେଳାଳିଙ୍କ ଏହି ସଫଳତା ଲାଗି ଓଡ଼ିଶା ହ୍ୟାଣ୍ଡବଲ୍‌ ସଂଘର ସଭାପତି ସୟଦ ମକ୍‌ବୁଲ ଅଲ୍ଲୀ ଓ ସମ୍ପାଦକ ବିରେନ ବେହେରା ଏହି ୩ଜଣ ଖେଳାଳିଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି।

Share